Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆନ୍ଦୋଳନ ବେଳେ ସମର୍ଥନ ଦେଇଥିଲେ ମୋହନ, ଏବେ ଦାବି ପୂରଣର ବେଳ

ଭୁବନେଶ୍ବର: ବିଜେପି ଯେତେବେଳେ ବିରୋଧୀ ଭୂମିକାରେ ଥିଲା ରାଜ୍ୟର ବିଭିନ୍ନ ବର୍ଗଙ୍କ ଦାବି ତଥା ଆନ୍ଦୋଳନକାରୀଙ୍କ ସହ ଛିଡା ହୋଇଥିଲା । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ତଥା ସେତେବେଳେର ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଆନ୍ଦୋଳନରତ ବିଭିନ୍ନ ବର୍ଗର ସଂଗଠନ ପାଖରେ ପହଞ୍ଚି ସେମାନଙ୍କ ସମସ୍ୟା ବୁଝିବା ସହ ସେମାନଙ୍କ ଦାବି ଯଥାର୍ଥ ବୋଲି କହିଥିଲେ । ତେଣୁ ବର୍ତ୍ତମାନ ସେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିବା ପରେ ସେ ସବୁ ସଂଗଠନ ଦାବି ପୂରଣ ନେଇ ଏବେ ବେଶ ଆଶାବାଦୀ ହୋଇଉଠିଛନ୍ତି ।
ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ରାଜ୍ୟର ବିଭିନ୍ନ ସଂଗଠନ ବହୁ ଦାବି ନେଇ ବହୁ ଦିନ ଧରି ଆନ୍ଦୋଳନ ଜାରି ରଖିଥିଲେ । ପୂରୁଣା ସରକାର କିଛି ପୂରଣ ହୋଇଥିବା ବେଳେ କିଛି ବାକି ରହିଯାଇଥିଲା । ରାଜ୍ୟ ବେସରକାରୀ ଅନୁଦାନ ଏବଂ ଅଣଅନୁଦାନପ୍ରାପ୍ତ କଲେଜ ସଂଘର ଅଧ୍ୟାପକ ଓ କର୍ମଚାରୀଙ୍କୁ ଗ୍ରାଣ୍ଟ ଇନ ଏଡ଼ ପରିସରଭୁକ୍ତ କରିବା ପାଇଁ ଦୀର୍ଘ ଦିନ ଧରି ଦାବି ହୋଇଆସୁଛି । ସରକାରୀ ସ୍ତରରେ ପ୍ରକ୍ରିୟା ହୋଇଥିଲେ ମଧ୍ୟ ଗତ ନିର୍ବାଚନ ପୂର୍ବରୁ ସେମାନଙ୍କ ଦାବି ପୂରଣ ହୋଇ ନଥିଲା । ଏପରିକି ସଂଘ ପକ୍ଷରୁ ଅଧ୍ୟାପକମାନେ ଦୀର୍ଘ ଦିନ ଧରି ଭିନ୍ନ ଢଙ୍ଗରେ ଆନ୍ଦୋଳନ କରିଥିଲେ । ଯାହାକି ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିଲା । ସେତେବେଳର ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଆନ୍ଦୋଳନକାରୀଙ୍କ ପାଖରେ ପହଞ୍ଚି ସେମାନଙ୍କ ଦାବି ସମ୍ପର୍କରେ ଆଲୋଚନା କରିବା ସହ ସବୁ ଦାବି ଯୁକ୍ତିଯୁକ୍ତ ଓ ତୁରନ୍ତ ପୂରଣ ହେବା ଦରକାର ବୋଲି କହିଥିଲେ । ସେହିପରି ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟରତ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କୁ ସ୍ଥାୟୀ କରାଯାଇଥିଲେ ମଧ୍ୟ ବହୁ କର୍ମଚାରୀ ଏଥିରୁ ବାଦ ପଡ଼ିଛନ୍ତି । ଏଥିସହ ପୁରୁଣା ପେନସନ, ବାଦ ପଡିଥିବା କର୍ମଚାରୀଙ୍କୁ ନିୟମିତ କରିବା, ସ୍ୱାସ୍ଥ୍ୟ ବୀମା ତଥା ଅନ୍ୟାନ୍ୟ ଦାବି ନେଇ ସେମାନେ ଆନ୍ଦୋଳନ କରୁଥିଲେ । ସେ ସମୟରେ ସେମାନଙ୍କୁ ଭେଟି ମୋହନ ମାଝୀ ସବୁ ଦାବିକୁ ସମର୍ଥନ କରିଥିଲେ । ଏବେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏସବୁକୁ ପୂରଣ କରିବେ ବୋଲି ଦୃଢ଼ ଆଶାବାଦୀ ଅଛନ୍ତି ବିଭିନ୍ନ ସଂଘ । ଏପରିକି ପୁରୁଣା ପ୍ରତିଶ୍ରୁତିକୁ ମନେ ପକାଇବା ପାଇଁ ସଂଘଗୁଡିକ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ପ୍ରସ୍ତୁତ ହେଉଥିବା କହିଛନ୍ତି ।
ବିରୋଧୀ ଦଳ ମୁଖ୍ୟ ସଚେତକ ଥିବା ସମୟରେ ଆନ୍ଦୋଳନ ସ୍ଥଳୀ ଯାଇ ଆନ୍ଦୋଳନକାରୀଙ୍କ ସମସ୍ୟା ଶୁଣିବା ସହ ସେମାନଙ୍କ ସମସ୍ୟାକୁ ବିଧାନସଭାରେ ମଧ୍ୟ ଉଠାଇଥିଲେ ମୋହନ ମାଝୀ । ଏପରିକି ବର୍ତ୍ତମାନ ବିଜେପି ସରକାରରେ ମନ୍ତ୍ରୀ ହୋଇଥିବା ବହୁ ବିଧାୟକ ମଧ୍ୟ ଆନ୍ଦୋଳନକାରୀଙ୍କ ସହ ଛିଡା ହୋଇଥିଲେ । ତେଣୁ ଏବେ ବିଜେପି ସରକାର ଗଢିବା ସହ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଆନ୍ଦୋଳନକାରୀମାନେ ଦାବି ପୂରଣ ନେଇ ବେଶ ଆଶାବାଦୀ ଥିବା କହିଛନ୍ତି । ସେପଟେ ବିଜେପି ସରକାର ସେସବୁ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି ରାଜନୀତି ସମୀକ୍ଷକମାନେ ଆଶା ପ୍ରକଟ କରିଛନ୍ତି ।