ଟି-୨୦ ବିଶ୍ୱକପ୍ ପରେ ଗୌତମ ଗମ୍ଭୀର ହେବେ ଟିମ୍ ଇଣ୍ଡିଆର ହେଡ୍ କୋଚ୍‌, ଜାଣନ୍ତୁ କେବେ ହେବ ଘୋଷଣା


ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ୨୦୨୪ ପରେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ସରିବାକୁ ଯାଉଛି । ଏହା ପରେ ସେ ଏହି ପଦରୁ ଅବ୍ୟାହତି ନେଇଯିବେ । ଏହା ପରେ ଭାରତୀୟ ଦଳକୁ ନୂତନ କୋଚ୍ ମିଳିଯିବ, ଯାହାର ଘୋଷଣା ଜୁନ ଶେଷ ସପ୍ତାହ ଆଡକୁ ହେବାର ଆଶା କରାଯାଉଛି । ଏହି ନୂତନ କୋଚ୍ ଆଉ କେହି ନୁହନ୍ତି, ଭାରତୀୟ ଦଳର ପୂର୍ବତନ ଓପନିଂ ବ୍ୟାଟର ଗୌତମ ଗମ୍ଭୀର ହେବେ ।

ଗମ୍ଭୀରଙ୍କ ନାମରେ ମୋହର ବାଜି ସାରିଛି । ରିପୋର୍ଟ ଅନୁଯାୟୀ, ବିସିସିଆଇ ଓ ଗମ୍ଭୀରଙ୍କ ମଧ୍ୟରେ ଚୁକ୍ତିନାମା ହୋଇ ସାରିଛି । ଗତ ଗୁରୁବାର ଏହା ସ୍ପଷ୍ଟ ହୋଇ ସାରିଛି ଯେ, ଗମ୍ଭୀର ଭାରତୀୟ ଦଳର ଆଗାମୀ ମୁଖ୍ୟ ପ୍ରଶିକ୍ଷକ ହେବାକୁ ଯାଉଛନ୍ତି । ଟି-୨୦ ବିଶ୍ୱକପ୍ ସରିବା ପରେ ଏହାର ଆନୁଷ୍ଠାନିକ ଘୋଷଣା କରାଯିବ । ଦୈନିକ ଜାଗରଣର ରିପୋର୍ଟରୁ ଏହି ଖବର ସାମ୍ନାକୁ ଆସିଛି ।

ତେବେ ଗୌତମ ଗମ୍ଭୀରଙ୍କ ସହିତ ସପୋର୍ଟ ଷ୍ଟାଫ କିଏ ହେବେ, ତାହା ଆଗାମୀ ଦିନରେ ଜଣା ପଡିବ । ସଂପ୍ରତି ଭାରତୀୟ ଦଳର ବ୍ୟାଟିଂ ଭାବେ କୋଚ୍ ବିକ୍ରମ ରାଠୋର, ବୋଲିଂ କୋଚ୍ ଭାବେ ପାରସ ମହାମ୍ବ୍ରେ ଓ ଫିଲ୍ଡିଂ କୋଚ୍ ଭାବେ ଟି ଦିଲୀପ କାର୍ଯ୍ୟ କରୁଛନ୍ତି । ମୁଖ୍ୟ କୋଚ୍ ଦାୟିତ୍ୱ ନେବା ପରେ ଖୋଦ୍ ଗମ୍ଭୀର ନିଜର ସପୋର୍ଟ ଷ୍ଟାଫ ଚୟନ କରିବେ । ରାହୁଲ ଦ୍ରାବିଡ ମଧ୍ୟ ଏମିତି କରିଥିଲେ । କାରଣ ତାଙ୍କ ପୂର୍ବରୁ ରବି ଶାସ୍ତ୍ରୀ ନିଜ ସପୋର୍ଟ ଷ୍ଟାଫରେ ବ୍ୟାଟିଂ କୋଚ୍ ଭାବେ ସଞ୍ଜୟ ବାଙ୍ଗର, ବୋଲିଂ କୋଚ୍ ଭାବେ ଭରତ ଅରୁଣ ଏବଂ ଫିଲ୍ଡିଂ କୋଚ୍ ଭାବେ ଆର ଶ୍ରୀଧରଙ୍କୁ ଚୟନ କରିଥିଲେ ।

ଗମ୍ଭୀର ଯେମିତି ଭାରତୀୟ ଦଳର ମୁଖ୍ୟ କୋଚ୍ ଦାୟିତ୍ୱ ସମ୍ଭାଳିବେ, ସପୋର୍ଟ ଷ୍ଟାଫ ମଧ୍ୟ ବଦଳିବେ । ଏହା ସହିତ ଭାରତୀୟ ଦଳରେ ମଧ୍ୟ ପରିବର୍ତ୍ତନର ସମ୍ଭାବନା ରହିଛି । କାରଣ ଗମ୍ଭୀରଙ୍କ କୋଚିଂ ଶୈଳୀ ରାହୁଲ ଦ୍ରାବିଡଙ୍କଠୁ ଭିନ୍ନ ରହିଛି । ଦ୍ରାବିଡ ସଂଯମପୂର୍ଣ୍ଣ ବ୍ୟକ୍ତି ହୋଇଥିବା ବେଳେ ଗମ୍ଭୀର ଆକ୍ରାମଣାତ୍ମକ କ୍ରିକେଟକୁ ଗୁରୁତ୍ୱ ଦେଇଥାନ୍ତି । ହେଲେ ଦ୍ରାବିଡ ମଧ୍ୟ ଭାରତୀୟ କ୍ରିକେଟ୍ ଦଳକୁ ଆକ୍ରମଣାତ୍କ କରିବାକୁ ପୂରା ଉଦ୍ୟମ କରିଛନ୍ତି ଏବଂ ଅନେକ ଥର ସଫଳ ମଧ୍ୟ ହୋଇଛନ୍ତି ।