Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପଡିଆବାହାଲରୁ ଗୋଶାଳା ଏନଏଚ ରାସ୍ତା ଖୋଲିବ,ବୃହତ୍ ମାର୍କେଟ୍ ଟର୍ମିନାଲ୍ ସ୍ୱପ୍ନ ହେବ ସାର୍ଥକ-କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର:(ରାଜାରାମ ଷଡଙ୍ଗୀ ):୧୦ ବର୍ଷ ଧରି ମଉଳି ପଡିଥିବା ପଶ୍ଚିମ ଓଡିଶାର ବଡ ସ୍ୱପ୍ନ ନିଲଡୁଙ୍ଗରୀ ବୃହତ ମାର୍କେଟ ଟର୍ମିନାଲ ନିର୍ମାଣର ଆଶା ସଞ୍ଚାର ହୋଇଛି। ପୁର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରି ସୁଦ୍ଦା ଏହା ପଡି ରହିଥିଲା।ପଶ୍ଚିମ ଓଡିଶାର ପ୍ରାୟ ୧୦ ଜିଲ୍ଲାର ଚାଷୀଙ୍କ ବୃହତ ସ୍ୱପ୍ନ ମଳିନ ପଡୁଥିବା ନେଇ ପ୍ରସଙ୍ଗ ଭିତ୍ତିକ ଖବର ପ୍ରକାଶ ପାଇବା ପରେ ସମ୍ବଲପୁର ବିଜେପିର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ମାର୍କେଟ ଟର୍ମିନାଲ ନିର୍ମାଣର ଆବଶ୍ୟକତାକୁ ଅନୁଭବ କରି ବିଜେପି ସରକାର ଆସିଲେ ଚାଷୀଙ୍କ ସ୍ୱପ୍ନକୁ ଅଗ୍ରାଧିକାର ଦିଆଯିବ ବୋଲି ଘୋଷଣା କରିଥିଲେ।ଆଉ ଆଜି ବୁଲ୍ଲା ଏମିସିଏଲ ଗେଷ୍ଟ ହାଉସ ଠାରେ ସାମ୍ବାଦିକଙ୍କୁ ଭେଟି ଏଭଳି ଇସାରା ଦେଇଛନ୍ତି।
ସମ୍ବଲପୁରରେ ରାସ୍ତାଘାଟ, ପିଇବା ପାଣି, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ସୁଧୁରାଯିବ । ଏଥିପାଇଁ ଦୀର୍ଘମିଆଦୀ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦିଆଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଥିଲେ। ବିଶେଷ ଭାବରେ ସମ୍ବଲପୁରକୁ ଏକ ଶ୍ରୀମନ୍ତ ସହର କରିବା ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ ବୋଲି ରବିବାର ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସାମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ ମୌଳିକ ସମସ୍ୟା ଓ ଲୋକାକାଂକ୍ଷା ସହ ଜଡ଼ିତ ବିଭିନ୍ନ ବିଷୟରେ ଦିଆଯାଇଥିବା କାର୍ଯ୍ୟକୁ ଅନୁପାଳନ କରିବା ଉପରେ ମତ ରଖିଛନ୍ତି ଶ୍ରୀ ପ୍ରଧାନ । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଓଡ଼ିଶାରେ ଜନଆଶୀର୍ବାଦ କାରଣରୁ ବିଜେପି ସରକାର ଗଠନ ହୋଇଛି । ସରକାର ଗଠନର ସ୍ୱଳ୍ପ ସମୟ ମଧ୍ୟରେ ବିଜେପି ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରିବା ପାଇଁ ନୀତିଗତ ନିଷ୍ପତି ନିଆଯାଇଛି । ଏଥିପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି । ଏହି ପରିପ୍ରେକ୍ଷୀରେ ସମ୍ବଲପୁରକୁ ଆଗକୁ ନେବା ପାଇଁ ମଧ୍ୟ ଦଳ ପକ୍ଷରୁ ପ୍ରାଥମିକତା ଦିଆଯାଉଛି । ଆଗାମୀ ଦିନରେ ବର୍ଷା ଋତୁ ଆସୁଥିବା ବେଳେ ସମ୍ବଲପୁର ରାସ୍ତାଘାଟ, ପାନୀୟ ଜଳ, ସ୍ୱାସ୍ଥ୍ୟସେବା, ପରିମଳ, ସ୍ୱଚ୍ଛତା ଉପରେ ଯୋର୍ ଦେବା ପାଇଁ ଆଜି ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଆଗାମୀ ଦିନରେ ସମ୍ବଲପୁରକୁ ଆଗକୁ ନେବା ନେଇ ମାଷ୍ଟର ପ୍ଲାନ ହୋଇଛି ନା ନାହିଁ ସେ ସମ୍ପର୍କରେ ଆଲୋଚନା ହୋଇଛି।ନିର୍ବାଚନ ପ୍ରଚାର ସମୟରେ ପିଏମ ଆବାସରେ ଘର, ଜମି ପଟ୍ଟା ମିଳିବା ନେଇ ଲୋକଙ୍କ ଅପେକ୍ଷା ରହିଛି । ଲୋକଙ୍କୁ ସବୁ ସୁବିଧା ସହ କ୍ରୀଡାକୁ ପ୍ରୋତ୍ସାହନ, କଳା ଓ ସଂସ୍କୃତିକୁ ଆଗକୁ ନେବା ପାଇଁ ବହୁମୁଖୀ ସାଂସ୍କୃତିକ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ନାଗରିକଙ୍କ ଥିବା ଅପେକ୍ଷା ଉପରେ ମ୍ୟୁନିସପାଲିଟି ଅଧିକାରୀଙ୍କ ସହ ପାରମ୍ଭିକ ଚର୍ଚ୍ଚା ଆଲୋଚନା ହୋଇଥିବା ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସିନ୍ଦୁରପଙ୍କରୁ ନକ୍ସାପାଲି ପର୍ଯ୍ୟନ୍ତ ପୁରୁଣା ଏନଏଚ ରାସ୍ତା ସ୍ୱାଭାବିକ ହୋଇଛି । ଖୁବ ଶୀଘ୍ର ଆନୁଷଙ୍ଗିକ କାମ ସମ୍ପୂର୍ଣ୍ଣ କରାଯିବ । ସରଲା ଓଭରବ୍ରିଜ ଠାରୁ ଆଗକୁ ଥିବା ରାସ୍ତାକୁ ୬ ଲେନ୍ କରାଯିବାର କାମ ଆରମ୍ଭ ହୋଇଛି । ପଡିଆବାହାଲରୁ ଗୋଶାଳା ପର୍ଯ୍ୟନ୍ତ ୧୮ କିମି ଏନଏଚ ସମ୍ବଲପୁରର ମୁଖଶାଳା ହେବ ତଥା ଏକ ବିକାଶର ମାର୍ଗ କରିବା ପାଇଁ ଯୋଜନା ହେବ । ସେଠାରେ ସ୍ୱାସ୍ଥ୍ୟ ସୁବିଧା ଓ ଟର୍ମିନାଲ କମ୍ପଲେକ୍ସର କାମ ଉପରେ ଗୁରୁତ୍ୱ ଦିଆଯିବ । ଏହି ଜାତୀୟ ରାଜପଥ ନୂଆ ସମ୍ବଲପୁରର ଅର୍ଥନୀତିର ଶ୍ରୀବୃଦ୍ଧିର ନମୁନା ହେବ । ସମ୍ବଲପୁରରେ ସାମଗ୍ରିକ ବିକାଶକୁ ଗୁରୁତ୍ୱ ଦିଆଯିବା ସହ ସମସ୍ତ ଶିକ୍ଷାନୁଷ୍ଠାନ ସହଯୋଗରେ ଜ୍ଞାନ ଆଧାରିତ ଅର୍ଥନୀତିକୁ ଗତି ଦିଆଯିବ । ଦକ୍ଷତା, ଉଦ୍ୟମିତା ଓ ରୋଜଗାର ଉପରେ ଗୁରୁତ୍ୱ ଦେଇ ସମ୍ବଲପୁରକୁ ଏକ ଶ୍ରୀମନ୍ତ ସହର କରିବା ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ । ଏଥିପାଇଁ ଯେଉଁ ଢାଞ୍ଚା ଦରକାର ସେ ଦିଗରେ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବାକୁ ଜିଲ୍ଲା ପ୍ରଶାସନକୁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ସମ୍ବଲପୁରରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ନିର୍ବାଚନ ସମୟରେ ଏବଂ ପରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ପ୍ରସଙ୍ଗଭିତ୍ତିକ ଖବର ଉପସ୍ଥାପନ କରିଥିଲେ । ଏଥିପାଇଁ ସେ ସାମ୍ବାଦିକ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଏହି ସମୟରେ ପୂର୍ବତନ ରେଙ୍ଗାଲି ବିଧାୟକ ନାଉରୀ ନାୟକ, ରାଜ୍ୟ ସାଧାରଣ ସମ୍ପାଦକ ସିମାଞ୍ଚଲ ଖଟେଇ, ଜିଲ୍ଲା ସଭାପତି ଗିରିଶ ପଟେଲ, ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା ଡ଼.ପ୍ରମୋଦ ରଥ, ଗୋବିନ୍ଦ ଅଗ୍ରୱାଲ ଓ ରାଜ୍ୟ ପେନାଲିଷ୍ଟ ମାନସ ରଞ୍ଜନ ବକ୍ସି ଉପସ୍ଥିତ ଥିଲେ ।