ରଥ ଯାତ୍ରା ପାଇଁ ଦୁଇ ଦିନ ଛୁଟି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଚଳିତ ବର୍ଷ ରଥ ଯାତ୍ରା ବିରଳ ହେଉଥିବାରୁ ଦୁଇ ଦିନ ଧରି ଚାଲିବ । ତେଣୁ ରଥଯାତ୍ରା ପାଇଁ ୨ ଦିନ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଜୁଲାଇ ୭ ଓ ୮ ତାରିଖ ଦୁଇ ଦିନ ସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ ସବୁ ଛୁଟି ରହିବ । ପୁରୀରେ ମଙ୍ଗଳବାର ଆୟୋଜିତ ସମୀକ୍ଷା ବୈଠକରେ ଯୋଗ ଦେଇ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଛୁଟି ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଚଳିତବର୍ଷ ବିରଳ ଓ ଅଦ୍ଭୁତ ରଥଯାତ୍ରା ହେବାକୁ ଯାଉଛି । ଦୀର୍ଘ ୫୩ ବର୍ଷ ପରେ ଚଳିତ ବର୍ଷ ବିରଳ ରଥଯାତ୍ରା ହେବାକୁ ଯାଉଛି। ନୂଆ ସରକାରରେ ଏଭଳି ସୁଯୋଗ ଆସିବା ଆମର ସୌଭାଗ୍ୟ। ଚଳିତ ବର୍ଷ ୨ ଦିନରେ ରଥଯାତ୍ରା ସମାପନ ହେବ । ତେଣୁ ସରକାରୀସ୍ତରରେ ଯେଉଁ ଗୋଟିଏ ଦିନର ଛୁଟି ଥିଲା ତାହାକୁ ଆଉ ଗୋଟିଏ ଦିନ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛି ।
ରଥ ଯାତ୍ରାର ସମୀକ୍ଷା ବୈଠକରେ ଯୋଗ ଦେବାକୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ଯାଇଥିଲେ। ସେଠାରେ ଟାଉନ୍ ହଲରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ କେଭି ସିଂହ ଦେଓଙ୍କ ସହ ବିଭିନ୍ନ ବିଭାଗୀୟ ମନ୍ତ୍ରୀ, ଜିଲ୍ଲାର ସମସ୍ତ ବିଧାୟକ, ମୁଖ୍ୟ ଶାସନ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି, ସେବାୟତ ସମେତ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଏଥିରେ ଉପସ୍ଥିତ ରହିଥିଲେ।
ରଥନିର୍ମାଣ ଅଗ୍ରଗତି, ନୀତିକାନ୍ତି, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ପାନୀୟ ଜଳ ଯୋଗାଣ, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ପରିବହନ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା, ପରିମଳ ବ୍ୟବସ୍ଥା ଭଳି ସମସ୍ତ ଦିଗକୁ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା।