ନୂଆଦିଲ୍ଲୀ: ଚାଷୀଙ୍କୁ ଖରିଫ ଋତୁରେ ଫସଲ ପାଇଁ ରାଜ୍ୟ ସରକାର ୧୧ ହଜାର କୋଟି ଟଙ୍କାର ଋଣ ଦେବାକୁ ଯାଉଛନ୍ତି । ଚାଷୀଙ୍କୁ ଏକ ଟଙ୍କା ପ୍ରିମିୟମରେ ଏହି ସୁବିଧା ମିଳିବ । ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ଉପରେ ଚାଷୀଙ୍କୁ କୌଣସି ସୁଧ ଦେବାକୁ ପଡ଼ିବ ନାହିଁ । ୧ରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ୨ ପ୍ରତିଶତ ସୁଧ ଦେବାକୁ ପଡ଼ିବ ।
ରାଜ୍ୟ ସମବାୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହାସହି ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କଗୁଡ଼ିକ ଓ ଜିଲ୍ଲାସ୍ତରରେ ଫସଲ ଋଣ ସୀମା ଧାର୍ଯ୍ୟ କରାଯାଇଛି ।
ରାଜ୍ୟ ସମବାୟ ସଚିବ ରାଜେଶ ପ୍ରଭାକର ପାଟିଲ ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି । ଚିଠିରେ ସେ ଉଲ୍ଲେଖ କରିଛନ୍ତି, ୨୦୨୪ ଖରିଫ ଋତୁରେ ଚାଷୀଙ୍କୁ ୧୧ ହଜାର କୋଟି ଟଙ୍କାର ଫସଲ ଋଣ ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି । ୨୦୨୩ ଖରିଫ ଋତୁରେ ମୋଟ ୯୫୦୦ କୋଟି ଟଙ୍କାର ଫସଲ ଋଣ ଯୋଗାଇବାକୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଚାଷୀଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ୯୭୧୮.୦୪ କୋଟି ଟଙ୍କାର ଫସଲ ଋଣ ମୋଟ ୧୮ ଲକ୍ଷ ୯୮ ହଜାର ୬୪୮ ଜଣ ଚାଷୀଙ୍କୁ ଯୋଗାଇ ଦିଆଯାଇଛି । ସେହିପରି ୨୦୨୩ ରବି ଋତୁରେ ୮୮୮୮.୨୪ କୋଟି ଟଙ୍କାର ଫସଲ ଋଣ ଚାଷୀଙ୍କୁ ଦିଆଯାଇଛି ।
ଚଳିତ ଖରିଫ ଋତୁରେ ଚାଷୀଙ୍କୁ ୧୧ ହଜାର କୋଟି ଟଙ୍କାର ଫସଲ ଋଣ ଯୋଗାଇ ଦିଆଯିବ । ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ଚାଷୀଙ୍କୁ କୌଣସି ସୁଧ ଦେବାକୁ ପଡ଼ିବ ନାହିଁ । ୧ରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ୨ ପ୍ରତିଶତ ସୁଧ ଓ ୩ ଲକ୍ଷ ଟଙ୍କାରୁ ଅଧିକ ଋଣ ଉପରେ ବ୍ୟବସାୟିକ ଋଣ ଭଳି ସୁଧ ଦେବାକୁ ପଡ଼ିବ । ଫସଲ ଋଣ ବାବଦ ଅର୍ଥ ସିଧାସଳଖ ଚାଷୀଙ୍କ ବ୍ୟାଙ୍କରେ ଥିବା ସଞ୍ଚୟ ଆକାଉଣ୍ଟକୁ ଯିବ । ସେହିପରି ସମସ୍ତ ଋଣ ନେଉଥିବା ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ବୀମା ଯୋଜନା ଅଧୀନରେ ପଞ୍ଜିକୃତ ହେବାକୁ ପଡ଼ିବ । ଏଥିପାଇଁ ସେମାନଙ୍କୁ ମାତ୍ର ୧ ଟଙ୍କାର ଟୋକେନ୍ ମନି ଦେଇ ଏହି ସୁବିଧା ନେଇପାରିବେ ବୋଲି ସଚିବ ପାଟିଲ ସୂଚନା ଦେଇଛନ୍ତି ।