Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହଟିଲେ ବୀର ବିକ୍ରମ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହେଲେ ଅରବିନ୍ଦ ପାଢୀ

ପୁରୀ: ବଡ଼ ଠାକୁରଙ୍କ ପହଣ୍ଡି ଅଘଟଣ ପରେ ଆକ୍ସନ ମୋଡ଼ରେ ରାଜ୍ୟ ସରକାର। ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବୀର ବିକ୍ରମ ଯାଦବଙ୍କ ସ୍ଥାନରେ ଅରବିନ୍ଦ ପାଢୀଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦରେ ନିଯୁକ୍ତ ଦେଇଛନ୍ତି ରାଜ୍ୟ ସରକାର। ଗୁରୁବାର ରାତି ଅଧିଆ ଆଇନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି। ଅରବିନ୍ଦ ପାଢୀ ବର୍ତ୍ତମାନ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ରହିଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ତାଙ୍କୁ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ମୋହନ ମାଝୀ ସରକାର। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅରବିନ୍ଦ ପାଢୀଙ୍କର ମଧ୍ୟ ପୁରୁଣା ଅଭିଜ୍ଞତା ରହିଛି।

ସୂଚନାଯୋଗ୍ୟ, ନିକଟରେ ବୀରବିକ୍ରମ ଯାଦବ ମେ ୨୨ରୁ ଜୁନ ୧୧ ପର୍ଯ୍ୟନ୍ତ ଛୁଟିରେ ଯାଇଥିବା ବେଳେ ଅରବିନ୍ଦ ପାଢୀଙ୍କୁ ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ମିଳିଥିଲା। ଏହା ପୂର୍ବରୁ ୨୦୧୪ ମସିହାରେ ମଧ୍ୟ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ କାର‌୍ୟ୍ୟ କରିଥିଲେ ବରିଷ୍ଠ ଆଇଏସ ଅଧିକାରୀ ଅରବିନ୍ଦ ପାଢୀ। ସେପଟେ ବରିଷ୍ଠ ଆଇଏସ ଅଧିକାରୀଙ୍କ ଉପରେ ରାଜ୍ୟ ସରକାରଙ୍କ ଛାଟ ବାଜିବା ଆରମ୍ଭ ହୋଇଥିବା ବେଳେ ବୀର ବିକ୍ରମ ଯାଦବଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦରୁ ହଟାଯାଇଥିବା କୁହାଯାଉଛି।

ବୀର ବିକ୍ରମ ଯାଦବ ଯୋଗାଣ ଓ ପୂର୍ତ୍ତ ବିଭାଗର ସଚିବ ରହିବା ସହ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ପାଇଥିଲେ। ତାଙ୍କ କାର‌୍ୟ୍ୟକାଳ ମଧ୍ୟରେ କୌଣସି ଆଖିଦୃଶିଆ ପ୍ରଶାସନିକ ଦକ୍ଷତା ଦେଖାଇନଥିଲେ ମଧ୍ୟ ବିଜେଡି ସରକାର ସମୟରେ ଅଖଣ୍ଡ କ୍ଷମତା ଭୋଗ କରୁଥିଲେ ବୋଲି ଚର୍ଚ୍ଚା ହୁଏ। ଏବେ ତାଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦରୁ ବିଦା କରାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ