Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆସିଲା ଶୁଭ ମୁହୂର୍ତ୍ତ, ୧ଟା ୨୮ରେ ଖୋଲିବ ରତ୍ନଭଣ୍ଡାର

ପୁରୀ: ଆଜି ଖୋଲିବ ରତ୍ନଭଣ୍ଡାର । ଏ ନେଇ ଶୁଭ ମୁହୂର୍ତ୍ତ ମଧ୍ୟ ଆସି ଯାଇଛି । ଆଜି ଦିନ ୧ଟା ୨୮ ଶୁଭ ମୁହୂର୍ତ୍ତରେ ଖୋଲିବ ବହୁ ପ୍ରତୀକ୍ଷିତ ରତ୍ନଭଣ୍ଡାର। ରବିବାର ସକାଳେ ବସିଥିବା ତଦାରଖ କମିଟି ବୈଠକ ପରେ ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ୧ଟା ୨୮ ସୁଦ୍ଧା ତାଲା ଖୋଲିବା ପ୍ରକ୍ରିୟା ଆରମ୍ଭ ହେବ । ମୁଖ୍ୟ ପ୍ରଶାସକ ଟ୍ରେଜେରୀରୁ ଚାବି ମଗାଇଛନ୍ତି । ରତ୍ନଭଣ୍ଡାର ଭିତରକୁ ମୋଟ୍ ୧୧ ଜଣ ସଦସ୍ୟ ଯିବେ । ତଦାରଖ କମିଟିର ୨ ଜଣ ସଦସ୍ୟ ଯିବେ । ମୁଁ ଆଉ ଓ ଡାକ୍ତର ସିବିକେ ମହାନ୍ତି ରତ୍ନଭଣ୍ଡାର ଭିତରକୁ ଯିବୁ । ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଦେଉଳ କରଣ, ଭଣ୍ଡାର ମେକାପ ଭିତରକୁ ଯିବେ । ଏହି ସମୟରେ ମନ୍ଦିର ନ ଆସିବାକୁ ଶ୍ରଦ୍ଧାଳୁଙ୍କୁ ଅପିଲ୍ କରିଛନ୍ତି ଜଷ୍ଟିସ ରଥ ।

ରତ୍ନଭଣ୍ଡାର ଚାବି ସଂପର୍କରେ ପୁରୀ ଜିଲ୍ଲାପାଳ ପ୍ରତିକ୍ରିୟା ଦେଇ କହିଛନ୍ତି । ଟ୍ରେଜେରୀରେ ମହଜୁଦ ଚାବି ଅଧୀକୃତ ଅଧିକାରୀଙ୍କୁ ଦିଆଯାଇଛି । ରତ୍ନଭଣ୍ଡାର ଖୋଲିବା ବେଳେ ଅଧିକୃତ କମିଟି ସାମ୍ନାରେ ଚାବି ରଖାଯିବ । ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଶ୍ରୀମନ୍ଦିରରେ ପହଞ୍ଚିଛି ଆଜ୍ଞାମାଳ। ଶ୍ରୀଲୋକନାଥଙ୍କ ମନ୍ଦିରରୁ ଆଜ୍ଞାମାଳ ଆସି ଶ୍ରୀମନ୍ଦିରରେ ପହଞ୍ଚିଛି। ଆଜ୍ଞାମାଳ ଧରି ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି ସେବାୟତ।

ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ସବୁ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଛି। ଶ୍ରୀମନ୍ଦିର ଭିତରକୁ ଯାଇଛନ୍ତି ୧୫ ଜଣିଆ ଓଡ୍ରାଫ ଟିମ୍‌। ହାଇମାସ୍କ ଲାଇଟ ଧରି ସେମାନେ ଭିତରକୁ ଯାଇଛନ୍ତି। ଶ୍ରୀମନ୍ଦିର ବାହାରେ ସ୍ନେକ ହେଲପ୍ ଲାଇନ ଟିମ୍ ସଦସ୍ୟ ମଧ୍ୟ ଉପସ୍ଥିତ ଅଛନ୍ତି। ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି।

ରତ୍ନଭଣ୍ଡାର ଖୋଲିବା ସଂପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି, ରତ୍ନଭଣ୍ଡାର ଖୋଲିବା ବେଳେ ସାମୟିକ କଟକଣା ରହିବ। ସିଂହଦ୍ୱାରକୁ ଛାଡ଼ି ବାକି ଦ୍ୱାର ବନ୍ଦ ରହିବ। ଯେଉଁମାନେ ସେବା ଓ ପୂଜା ପାଇଁ ଅଧିକୃତ ସେମାନଙ୍କୁ ଛଡ଼ାଯିବ। କମିଟିର ସଦସ୍ୟ ଯିବା ବେଳେ ବି ଯାଞ୍ଚ କରାଯିବ। ବେହରଣ ଦ୍ୱାର ନିକଟରେ ସେମାନଙ୍କୁ ଯାଞ୍ଚ କରାଯିବ।

ରତ୍ନଭଣ୍ଡାର ଗଣତି, ମଣତି ନେଇ ଆରବିଆଇର ସହାୟତା ନିଆଯିବ। ରତ୍ନଭଣ୍ଡାର ନେଇ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଗଣତିରେ ଆରବିଆଇ ସହାୟତା ନିଆଯିବ। ସେମାନଙ୍କ ପ୍ରତିନିଧି ଉପସ୍ଥିତ ରହିବେ। ରିଜର୍ଭ ବ୍ୟାଙ୍କ ପ୍ରତିନିଧି ଆମ ଟିମ୍‌କୁ ସହାୟତା ଦେବେ। ସ୍ଵଚ୍ଛତାର ସହ ପ୍ରକ୍ରିୟ ପରିଚାଳନା କରିବା ମୁଖ୍ୟ ପ୍ରଶାସକଙ୍କ ଦାୟିତ୍ଵ।

ଅଳଙ୍କାରର ସଂଖ୍ୟା, ମାନ ଏବଂ ଓଜନ ନିର୍ଦ୍ଧାରଣ କରାଯିବ। ଅଳଙ୍କାର ଗୁଡ଼ିକର ଡିଜିଟାଲ୍ ଫଟୋଗ୍ରାଫି କରାଯିବ। ଫଟୋଗ୍ରାଫି କରାଯାଇ ଏକ ଡିଜିଟାଲ୍ କାଟାଲଗ୍ ତିଆରି ହେବ। ଆଗାମୀ ଦିନ ପାଇଁ ଏହା ଏକ ରେଫରେନ୍ସ ଡକ୍ୟୁମେଣ୍ଟ ଭାବେ ରହିବ। ଏହା ପୂର୍ବରୁ ଆଜି ରାଜ୍ୟ ସରକାର ଶ୍ରୀମନ୍ଦିର ପ୍ରଶାସନକୁ ଏସଓପି ପ୍ରଦାନ କରିଛନ୍ତି। ଏହି ଏସଓପି ଜଷ୍ଟିସ ବିଶ୍ଵନାଥ ରଥଙ୍କ ନେତୃତ୍ଵାଧୀନ ୧୬ ଜଣିଆ କମିଟି ପ୍ରସ୍ତୁତ କରିଛନ୍ତି।

ଗହଣା ଗଣତି ପାଇଁ ସରକାର ମେଟ୍ରୋଲୋଜିଷ୍ଟ ଗ୍ରୁପ ଓ ବଣିଆ ଗ୍ରୁପଙ୍କୁ ନିଯୁକ୍ତି ଦେବେ। ଏହି ସମୟରେ ଦର୍ଶନରେ ଯେପରି କିଛି ଅସୁବିଧା ହେବ ନାହିଁ, ସେଥିପ୍ରତି ଧ୍ୟାନ ଦିଆଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ