Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୮ରେ ପୁଣି ଖୋଲିବ ରତ୍ନଭଣ୍ଡାର

ପୁରୀ: ଆସନ୍ତା ୧୮ ତାରିଖ ଅର୍ଥାତ ଗୁରୁବାର ପୁଣି ଖୋଲାଯିବ ରତ୍ନଭଣ୍ଡାର। ରତ୍ନଭଣ୍ଡାର ସଂପର୍କିତ ଜରୁରୀ ବୈଠକ ପରେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଏହି ସୂଚନା ଦେଇଛନ୍ତି। ଶୁଭ ସମୟ ସକାଳ ୯ଟା ୫୧ ମିନିଟରୁ ୧୨ଟା ୧୫ ମଧ୍ୟରେ ଖୋଲାଯିବ ।ସେ କହିଛନ୍ତି, ଭିତର ଭଣ୍ଡାରର ତାଲା ଖୋଲା ଯାଇ ଅଳଙ୍କାର ସ୍ଥାନାନ୍ତରଣ ହେବ । ସିନ୍ଦୁକ ଏବଂ ଆଲମାରୀରେ ଥିବା ଅଳଙ୍କାର ସବୁ ଅସ୍ଥାୟୀ ରତ୍ନଭଣ୍ଡାରର ଖଟଶେଜ ଘରକୁ ସ୍ଥାନାନ୍ତର କରାଯିବ । ସମସ୍ତ ସ୍ଥାନାନ୍ତରଣ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ । ସ୍ଥାନାନ୍ତରଣ ସରିଲେ ରତ୍ନଭଣ୍ଡାରର ତାଲା ସିଲ୍ କରାଯିବ । ତାଲାକୁ ଜଉମୁଦ ସିଲ୍ କରାଯାଇ ଚାବି ଟ୍ରେଜେରୀରେ ରଖାଯିବ ।

ରତ୍ନଭଣ୍ଡାର ଖୋଲା ଯାଉଥିବାରୁ ଗୁରୁବାର ଦିନ ଭକ୍ତମାନଙ୍କ ପାଇଁ ମନ୍ଦିରର ପ୍ରବେଶ କଟକଣା ରହିବ । ଏହାର ସୂଚନା ଦେଇଛନ୍ତି ଜଷ୍ଟିସ ରଥ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ସକାଳ ୯ଟା ପରେ କମିଟିର ସଦସ୍ୟ ଶ୍ରୀମନ୍ଦିରକୁ ପ୍ରବେଶ କରିବେ । ପ୍ରାୟ ସକାଳ ୮ଟାରୁ ସାଧାରଣ ଭକ୍ତଙ୍କ ପାଇଁ ମନ୍ଦିରରେ ପ୍ରବେଶ କଟକଣା କରାଯିବ ।

ତାଲା, ଚାବି ସଂପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି, ବାହାର ରତ୍ନଭଣ୍ଡାରର ୩ଟି ତାଲା ସେଦିନ ନିର୍ଦ୍ଧାରିତ ଚାବିରେ ଖୋଲିଥିଲା । ବାହାର ରତ୍ନଭଣ୍ଡାରର ତାଲା ଫିଟିବା ପରେ ଭିତର ରତ୍ନଭଣ୍ଡାର ଦେଖିଥିଲୁ । ସେଥିରେ ୩ଟି ତାଲା ପଡିଥିଲା । କିନ୍ତୁ ଟ୍ରେଜେରିରୁ ଆସିଥିବା ଚାବିରେ ତାହା ଖୋଲି ନ ଥିଲା । ଏହା ପରେ ଏସଓପି ଅନୁଯାୟୀ, ୩ଟି ତାଲା ଭଙ୍ଗା ଯାଇ କମିଟିର ସଦସ୍ୟ ଭିତରକୁ ପ୍ରବେଶ କରିଥିଲେ । ଭିତର ରତ୍ନଭଣ୍ଡାର କାନ୍ଥକୁ ଲାଗି ସିନ୍ଦୁକ, ଆଲମାରୀ ରହିଥିଲା । ସମୟ ଅଭାବରୁ ସେଦିନ ଆମେ ସିନ୍ଦୂକ, ଆଲମାରୀ ଖୋଲି ନ ଥିଲୁ ।

ଅରବିନ୍ଦ ପାଢୀ କହିଛନ୍ତି ଆଉ ଦିନେ ଖୋଲିବାକୁ ନିଷ୍ପତ୍ତି ନେଇ ସେ ଦିନ ନୂଆ ତାଲା ପକାଇ ସିଲ୍ କରିଥିଲୁ । ୩ଟି ତାଲା ଭଙ୍ଗା ଯାଇଥିଲେ ହେଁ, ୨ଟି ନୂଆ ତାଲା ପକାଇବା ସମ୍ଭବ ହେଲା । ୨ଟି ନୂଆ ତାଲାର ଚାବି ଓ ଭଙ୍ଗା ଯାଇଥିବା ତାଲା ଟ୍ରେଜେରୀ ଜିମା ଦିଆଯାଇଛି । ଗୁରୁବାର ଦିନ ଟ୍ରେଜେରୀରୁ ନୂଆ ତାଲାର ଚାବି ଆଣି ଖୋଲାଯିବ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ