ଆଜି ଅଧରପଣା ନୀତି, କାଲି ନୀଳାଦ୍ରି ବିଜେ


ପୁରୀ: ଗତକାଲି ସରିଲା ରଥାରୂଢ଼ ଶ୍ରୀଜିଉଙ୍କ ସୁନାବେଶ । ଲକ୍ଷ ଲକ୍ଷ ଭକ୍ତ ତିନି ଠାକୁରଙ୍କ ଦୁର୍ଲଭ ସୁନାବେଶ ଦେଖି ତୃପ୍ତ ହେଲେ । ଜୀବ ସମାଜକୁ ସୁନାବେଶରେ ଦର୍ଶନ ଦେଇ ମହାପ୍ରଭୁ ପାପକ୍ଷୟ କରିଥିବା ବେଳେ ଆଜି ଭୂତପ୍ରେତ, ଅଶାରିରୀଙ୍କୁ ମୋକ୍ଷ ପ୍ରଦାନ କରିବେ । ଏଥିପାଇଁ ଆଜି ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି ସମ୍ପର୍ଣ୍ଣ ହେବ । ଆଉ ଏହି ପଣାକୁ ସେବନ କରି ଅଶରିରୀମାନେ ମୋକ୍ଷ ପ୍ରାପ୍ତି କରିବେ ।

ସୂଚନା ଅନୁସାରେ, ସନ୍ଧ୍ୟା ବେଳେ ରଥାରୁଢ଼ ଠାକୁରଙ୍କ ପାଖରେ ଲାଗି ହେବ ଅଧରପଣା । ଏଥିପାଇଁ ପ୍ରତି ରଥରେ ଶ୍ରୀଜିଉମାନଙ୍କ ଅଧର ଉଚ୍ଚର ହାଣ୍ଡିରେ ପଣା ପ୍ରସ୍ତୁତ କରାଯାଇଥାଏ । ସର, କଦଳୀ, ଛେନା, ଗୋଲମରିଚ, ଗୁଣ୍ଡ କର୍ପୁର, ଜାଇଫଳ ଆଦି ସାମଗ୍ରୀରେ ପ୍ରସ୍ତୁତ ୯ଟି ଅଧର ହାଣ୍ଡିକୁ ରଥରେ ଥିବା ପାର୍ଶ୍ୱ ଦେବଦେବୀ ଓ ଚଣ୍ଡି ଚାମଣ୍ଡାଙ୍କ ତୃପ୍ତି ଉଦ୍ଦେଶ୍ୟରେ ଭଙ୍ଗାଯାଇଥାଏ ।

ଆଜି ରାତି ୮ଟାରେ ଅଧରପଣା ନୀତି ଶେଷ ହେବ । ଏହାପରେ ରାତି ୯ଟାରେ ମହାସ୍ନାନ ଓ ପରେ ରାତି ୧୦ଟାରେ ମଇଲମ ଓ ବେଶ ହେବ । ରାତି ସାଢ଼େ ୧୦ଟାରେ ସଂଧ୍ୟା ଆଳତି ହୋଇ ଅନ୍ୟାନ୍ୟ ନୀତିକାନ୍ତି କରାଯିବ । ଅଧରପଣା ନୀତିକାନ୍ତି ଠିକ୍ ଭାବେ ତୁଲାଇବାକୁ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି ।

ଶ୍ରୀଜିଉଙ୍କ ଅଧରପଣା ନୀତି ଦେଖିବାକୁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବା ସମ୍ଭାବନା ରହିଛି । ଆସନ୍ତାକାଲି ହେବ ଶ୍ରୀଜିଉଙ୍କ ନୀଳାଦ୍ରି ବିଜେ ।