ବ୍ରହ୍ମପୁର: ନୂପୁର ଅନୁଷ୍ଠାନ ଦ୍ଵାରା ଆୟୋଜିତ ମାସିକ ‘ନୂପୁର ନାଟ୍ୟ ଆସର’ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘର କଳାକାର ମାନଙ୍କୁ ନେଇ ଏକ ପୌରାଣିକ ନାଟକ ‘ମହାଦାନୀ କର୍ଣ୍ଣ’ ଅତ୍ୟନ୍ତ ସଫଳତାର ସହ ପରିବେଷଣ ହୋଇଯାଇଛି । ସୁହାନୀ କ୍ରିଏସନ୍ ପ୍ରଯୋଜିତ ଏହି ନାଟକଟିକୁ ନାଟ୍ୟକାର ଲୋକନାଥ ବେହେରା ରଚନା କରିଥିବା ବେଳେ ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସ୍ୱରବିବୁଧ ରମେଶ ଚନ୍ଦ୍ର ସ୍ୱାଇଁ ଏବମ୍ ମାଷ୍ଟର ସଞ୍ଜୟ କୁମାର ବିଷୋୟୀ । ଯନ୍ତ୍ର ସଙ୍ଗୀତର ମୂର୍ଚ୍ଚନା ତୋଳିଥିଲେ ପି. ଶଙ୍କର ଏଵଂ ସାଥୀ ।
ମଞ୍ଚ ନାଟକ କ୍ଷେତ୍ରରୁ ପୌରାଣିକ ନାଟକର କ୍ରମ ବିଲୁପ୍ତି କାଳରେ ମହାସଂଘ ପକ୍ଷରୁ ପୁନଶ୍ଚ ପୌରାଣିକ ନାଟକ ସମ୍ପାନ କ୍ରମେ ପରିବେଷିତ ନାଟକଟିରେ ମହାଦାନୀ କର୍ଣ୍ଣଙ୍କ ମାନବିକ ମୂଲ୍ୟବୋଧ ସହ ନିଷ୍ଠାପର ତଥା ଅକୁଣ୍ଠ ଦାନର ଗରୀମା ପ୍ରକଟିତ ହୋଇଛି । ଏଥିରେ ସର୍ବଶ୍ରୀ ଡ଼ା. ତିରୁପତି ସାହୁ, ଯୁଦ୍ଧିଷ୍ଠୀର ଭଞ୍ଜ ସାମନ୍ତ, ସୁବାସ ଚନ୍ଦ୍ର ସାହୁ ରୋଶନ୍, ନୀଳକଣ୍ଠ ନାଲ୍ଲା, ପ୍ରଦୀପ କୁମାର ସାହୁ, କୁନୁ ବେହେରା, ଶେଖର ସାହୁ, ଚାନ୍ଦମାମା ବେହେରା, ରଜନୀ ପ୍ରମୁଖ ଅଭିନୟ କରିଥିଲେ । ବରିଷ୍ଠ କଣ୍ଠଶିଳ୍ପୀ ସୁବାସ ମହାରଣା, ନାଟ୍ୟକାର ରମେଶ ମହାରଣା, ନିର୍ଦ୍ଦେଶକ ମଦନ ମିଶ୍ର, ନାଟ୍ୟ ସଂଗଠକ ଅନିଲ କୁମାର ପାତ୍ର ପ୍ରମୁଖ ଅତିଥି ଭାବରେ ଯୋଗଦେଇ ନୂପୁରର ଏ ମାସିକ ନାଟ୍ୟ ଆସର ମଞ୍ଚ ନାଟକର ବିକାଶରେ ବିଶେଷ ସହାୟକ ହେବ ବୋଲି ଆଶା ପୋଷଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ନୂପୁର ଅନୁଷ୍ଠାନ ତରଫରୁ ସତ୍ୟ ମହାରଣା ସହଯୋଗ କରିଥିଲେ ।
ପୌରାଣିକ ନାଟକ ମହାଦାନୀ କର୍ଣ୍ଣ ମଞ୍ଚସ୍ଥ
