ବିଧାନସଭାରେ ନବୀନଙ୍କୁ ଅପମାନ !


ଭୁବନେଶ୍ବର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନରେ ସର୍ବାଧିକ ସମୟ ବସିବାର ରେକର୍ଡ କରିଥିବା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସେହି ବିଧାନସଭାରେ ଅପମାନ । ସରକାର ତାଙ୍କୁ ଗୃହରେ ଅପମାନିତ କରିଥିବା ଅଭିଯୋଗ । ଗୃହରେ ନବୀନ କହୁଥିବା ବେଳେ ମାଇକ ଓ କ୍ୟାମେରା ବନ୍ଧ କରିଦିଆଯାଇଥିଲା । ଯାହା ତାଙ୍କ ପ୍ରତି ଅପମାନ ବୋଲି କହି ବିଜେଡି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିବା ବେଳେ କଂଗ୍ରେସ ମଧ୍ୟ ଟାର୍ଗେଟ କରିଛି ।
ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ନବୀନ କହିବା ବେଳେ ମାଇକ ବନ୍ଦ କରିଦିଆଗଲା । ଏପରିକି କ୍ଯାମେରା ବି ବନ୍ଦ କରିଦିଆଗଲା । କାହିଁକି ମାଇକ ଓ କ୍ଯାମେରା ବନ୍ଦ କରାଗଲା ବୋଲି ପ୍ରମିଳା ପ୍ରଶ୍ନ କରିଛନ୍ତି ।
ସେହିପରି ଏହି ଘଟଣାକୁ ନେଇ କଂଗ୍ରେସ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି । ଦଳ ପକ୍ଷରୁ କୁହାଯାଇଛି, ଗୃହରେ ସମସ୍ତଙ୍କୁ କହିବାର ଅଧିକାର ଅଛି । ମାଇକ୍ ବନ୍ଦ କରି ଦେବା ଉଚିତ ହୋଇନାହିଁ । ବିରୋଧୀ ଦଳର ସଦସ୍ୟମାନେ ସେମାନଙ୍କ କର୍ତ୍ତବ୍ୟ କରୁଛନ୍ତି, ଓଡ଼ିଶାବାସୀଙ୍କ ପାଇଁ ଲଢୁଛନ୍ତି । ବିଧାନସଭା ଆରମ୍ଭରୁ ରାଜ୍ୟ ସରକାରଙ୍କର ଏଭଳି ଆଭିମୁଖ୍ୟ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ କହିଛନ୍ତି ।