Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଓଡ଼ିଶାକୁ ଆଳୁ ଗାଡ଼ି ଛାଡ଼ୁନି ପଶ୍ଚିମବଙ୍ଗ, ଦର ଅଣାୟତ୍ତ

ଭୁବନେଶ୍ୱର: ପନିପରିବା ପରେ ଏବେ କନ୍ଦାଉଛୁ ଆଳୁ ଦର । ଆଳୁ ଦରରେ ଲାଗିଛି ନିଆଁ । ହୁହୁ ହୋଇ ବଢ଼ି ଚାଲିଛି ଦର। ରାଜଧାନୀରେ କିଲୋ ପିଛା ଦାମ ୫୦ ଛୁଇଁଲାଣି। ଏହି ଆଉ କିଛି ଦିନ ରହିବ ବୋଲି କୁହାଯାଉଛି । ଆଳୁର ଏପରି ଦରବୃଦ୍ଧି ଖାଉଟିଙ୍କୁ ପ୍ରବଳ ବାଧୁଛି ।

ସେପଟେ ଓଡ଼ିଶାକୁ ଆଳୁ ଗାଡ଼ି ଛାଡ଼ୁନି ପଶ୍ଚିମବଙ୍ଗ । ତେଣୁ ଦାମ ଆହୁରି ବଢିବାର ସମ୍ଭାବନା ରହିଛି । ଓଡ଼ିଶାକୁ ଆଳୁ ଗାଡ଼ି ପଶ୍ଚିମବଙ୍ଗ ଛାଡୁ ନ ଥିବାରୁ ସୀମାରେ ଅଟକି ରହିଛି ଶହ ଶହ ଗାଡ଼ି। ଏପରି ସ୍ଥିତିର ମୁକାବିଲା କରିବା ନିମନ୍ତେ ଉତ୍ତରପ୍ରଦେଶରୁ ଆଳୁ ମଗାଯିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଗତ ୫ ଦିନ ଧରି କଟକ ଛତ୍ର ବଜାରକୁ ଆଳୁ ଟ୍ରକ୍ ଆସିନି। ପ୍ରତିଦିନ କଟକ ଛତ୍ରବଜାରରୁ ୮ରୁ ୯ ଟ୍ରକ୍ ଆଳୁ ଆସିଥାଏ। ଆଜି ଗୋଟିଏ ଟ୍ରକ୍ ଆସିଛି। ଫଳରେ ଆଳୁ ନେବାକୁ ଛତ୍ରବଜାରରେ ବ୍ୟବସାୟୀଙ୍କ ମଧ୍ୟରେ ପ୍ରବଳ ଭିଡ଼ ସାଙ୍ଗକୁ ଛକାପଞ୍ଝା ଦେଖିବାକୁ ମିଳିଥିଲା।କିଛି ଦିନ ପୂର୍ବେ ଆଳୁ କିଲୋ ପିଛା ୩୫ ଟଙ୍କାରେ ମିଳୁଥିବା ବେଳେ ଏବେ ତାହା ୫୦ ଟଙ୍କାରେ ପହଞ୍ଚିଛି। ଛତ୍ରବଜାରରେ ଆଳୁ କିଲୋ ପିଛା ୫୦ ଟଙ୍କା ଥିବା ବେଳେ ଖୁଚୁରା ମାର୍କେଟରେ ତାହା ୬୦ ଟଙ୍କାରେ ବିକ୍ରି ହେଉଥିବା କହିଛନ୍ତି ବ୍ୟବସାୟୀ।

ଆଳୁର ଏ ଅହେତୁକ ଦର ବୃଦ୍ଧି ପରେ ଆଜି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଭୁବନେଶ୍ୱର ଆଇଗିଣିଆ ଆଳୁ ଗୋଦାମକୁ ଯାଇ ସ୍ଥିତି ଯାଞ୍ଚ୍ କରିଛନ୍ତି। ମନ୍ତ୍ରୀ କହିଛନ୍ତି, ଏବେ ଯେତିକି ଆଳୁ ମହଜୁଦ ଅଛି, ତାହା ସାତ ଦିନ ଯାଏଁ ରାଜ୍ୟରେ ଆଳୁ ଚାହିଦାକୁ ପୂରଣ କରିପାରିବ। ଆବଶ୍ୟକ ପଡ଼ିଲେ ଉତ୍ତରପ୍ରଦେଶରୁ ଆମଦାନୀ କରାଯିବ ।ପୂର୍ବ ସରକାରଙ୍କ ଯୋଗୁଁ ମଧ୍ୟ ରାଜ୍ୟରେ ଦର ବୃଦ୍ଧି ହେଉଛି। ଆଳୁ, ପିଆଜ ଉତ୍ପାଦନ ସହ ଶୀତଳ ଭଣ୍ଡାର ହୋଇନଥିବାରୁ ଏପରି ସ୍ଥିତି ଉପୁଜିଥିବା କହି ସେ ବିଜେଡି ସରକାର ଉପରେ ବର୍ଷିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଆଳୁର ଏପରି ଦରବୃଦ୍ଧି ଖାଉଟିଙ୍କୁ ପ୍ରବଳ ବାଧୁଥିବା ବେଳେ କଳାବଜାରୀ କଲେ ବ୍ୟବସାୟୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ମନ୍ତ୍ରୀ ପାତ୍ର। ସ୍ଥିତିର ସମୀକ୍ଷା ନିମନ୍ତେ ଆଜି ଅପରାହ୍ନ ୩ଟା ବେଳେ ଜରୁରୀ ବୈଠକ ବସିବା ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ।