Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଯୋଗାଣ ମନ୍ତ୍ରୀ ଦେଲେ ଆଶ୍ୱସ୍ତି, ଦୁଇ ଦିନ ଭିତରେ ଆଳୁ ସମସ୍ୟାର ସମାଧାନ ହେବ

ଭୁବନେଶ୍ୱର: ବଜାରରେ ଆଳୁ ସଙ୍କଟ । ହୁହୁ ହୋଇ ବଢି ଚାଲିଛି ଦର । ୫୦ ଡେଇଁ ରାଜଧାନୀରେ କେଜି ଆଳୁ ଦାମ ୭୦ ଛୁଇଁଲାଣି । ସ୍ଥିତି ସଙ୍ଗୀନ । ଯେଉଁଠି ମିଳୁଛି ଚଢ଼ା ଦରରେ ବିକୁଛନ୍ତି ଦୋକାନୀ। ଏହି ସମୟରେ ଆଶ୍ୱସ୍ତିକର ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି, ଆସନ୍ତା ଦିନେ ଦୁଇ ଦିନ ଭିତରେ ଆଳୁକୁ ନେଇ ଉପୁଜିଥିବା ସମସ୍ୟାର ସମାଧାନ ହୋଇଯିବ।

ସେ କହିଛନ୍ତି, ପଶ୍ଚିମବଙ୍ଗ ଅଧିକାରୀଙ୍କ ସହ ଆମେ ଆଲୋଚନା କରିଛୁ। ୨୧ରୁ ୨୪ ତାରିଖ ଯାଏଁ ସେଠାରେ ଆନ୍ଦୋଳନ ଚାଲି ଥିଲା। ଏବେ ପ୍ରତିବାଦ ବନ୍ଦ ହୋଇଛି। ଆସନ୍ତା ଦିନେଦୁଇଦିନ ଭିତରେ ଆଳୁ ଗାଡ଼ି ଓଡ଼ିଶା ଆସିବ। ଓଡ଼ିଶାରେ ୭ ଦିନ ପାଇଁ ଆଳୁ ମହଜୁଦ ଅଛି। ବ୍ୟବସାୟୀମାନେ ଯଦି କେଜି ପିଛା ଆଳୁ ୩୨ ଟଙ୍କାରୁ ଅଧିକ ଦରରେ ବିକିବେ ତାହା ହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ତାଗିଦ କରିଛନ୍ତି ମନ୍ତ୍ରୀ।

ସୂଚନାଯୋଗ୍ୟ, ପଶ୍ଚିମଙ୍ଗରେ ଏଥର ଆଳୁ ଉତ୍ପାଦନ ଆବଶ୍ୟକ ମୁତାବକ ହୋଇ ନ ଥିବା ବେଳେ ନିଜ ଆବଶ୍ୟକତା ମେଣ୍ଟାଇବାକୁ ଆଳୁ ବାହାରକୁ ଛାଡ଼ୁ ନାହାନ୍ତି ସେଠାକାର ସରକାର। ଓଡ଼ିଶାକୁ ଆଳୁ ଦେବାକୁ ବାରଣ କରାଯାଇଛି। ଆଳୁ ଟ୍ରକକୁ ସୀମା ପାର କରାଇ ଦେଉନି ପଶ୍ଚିମବଙ୍ଗ ପୁଲିସ। ଫଳରେ ଶତାଧିକ ଟ୍ରକ ଏବେ ଓଡ଼ିଶା ପଶ୍ଚିମବଙ୍ଗ ସୀମା ବାଲେଶ୍ୱର ଜିଲ୍ଲା ଲକ୍ଷ୍ମଣନାଥ ଟୋଲ୍ ଗେଟ୍‌ରେ ଅଟକି ରହିଛି। ଫଳରେ ଓଡ଼ିଶାରେ ଉପର ମୁହାଁ ହୋଇଛି ଆଳୁଦର। ଯେଉଁ ଆଳୁ ୨୦ରୁ ୨୫ ଟଙ୍କାରେ ବିକ୍ରି ହେଉଥିଲା, ତାହା ୫୦ ଡେଇଁ ସାରିଲାଣି। ଏହାକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।