Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଜଳଲାଗି ପୂର୍ବରୁ କାଉଡିଆଙ୍କ ଉପରେ ଚଢିଗଲା କାର, ମହିଳା ମୃତ, ୨ ଗୁରୁତର

କଟକ: ଶ୍ରାବଣ ମାସ ଦ୍ୱିତୀୟ ସୋମବାରରେ ମହାଦେବଙ୍କୁ ଜଳଲାଗି କରିବା ଯାଇ ଆଉ ଘରକୁ ଫେରିଲେନି କାଉଡିଆ । ଜଳ ଧରି ଯାଉଥିବା ବେଳେ ମହାଦେବଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ଘଟିଗଲା ଅଘଟଣ । ମଝି ରାସ୍ତାରେ ହିଁ ଦୁର୍ଘଟଣରେ ଚାଲିଗଲା ଜଣେ ମହିଳା କାଉଡ଼ିଆଙ୍କ ଜୀବନ । ଏଥିରେ ଆଉ ୨ କାଉଡ଼ିଆ ଗୁରୁତର ହୋଇଛନ୍ତି। ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ତହସିଲ ଛକ ନିକଟରେ ଗତକାଲି ଘଟିଛି।

ମୃତ ମହିଳା କାଉଡିଆଜଣଙ୍କ ହେଲେ ବସପଦା ଜିହ୍ନିପୁରର ଚିନ୍ମୟୀ ବେହେରା । ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ହୋଇଥିବା ଦୁଇ କାଉଡ଼ିଆ ହେଲେ ଦୀପ୍ତିରଞ୍ଜନ ରାଉତ ଓ ପୂର୍ଣ ଚନ୍ଦ୍ର ବେହେରା।

ଗତକାଲି ୩୭ଜଣ କାଉଡ଼ିଆ ଭକ୍ତ ନିଶ୍ଚିନ୍ତକୋଇଲି ତହସିଲ ଛକ ନିକଟ ବାବୁଜଙ୍ଗରୁ ପାଣି ଉଠାଇଥିଲେ। ସେଠାରୁ ସେମାନେ ପାଇକରାପୁର ସିଦ୍ଧେଶ୍ୱର ମହାଦେବଙ୍କ ପାଖକୁ ଯାଉଥିଲେ। ମାତ୍ର କାଉଡ଼ିଆମାନେ ନିଶ୍ଚିନ୍ତକୋଇଲି ତହସିଲ ଛକ ନିକଟରେ ହୋଇଥିବା ବେଳେ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ କାର୍ ସେମାନଙ୍କ ଉପରେ ଚଢ଼ି ଯାଇଥିଲା।

ଖବର ପାଇ ତୁରନ୍ତ ସ୍ଥାନୀୟ ଲୋକେ ୩ ଜଣଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିଲେ। ଏଥିସହ ଗୁରୁତର ୨ ଜଣଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି । କାର୍ ଡ୍ରାଇଭରକୁ ଅଟକ ରଖି ନିଶ୍ଚିନ୍ତକୋଇଲି ପୁଲିସ ଅଧିକ ତଦନ୍ତ କରୁଛି।