Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଟ୍ରାଇଡେଣ୍ଟ ପ୍ରପର୍ଟିଜ ପ୍ରାଇଭେଟକୁ ସାଢେ ୩ କୋଟି ଫାଇନ, ସିଲ ହେବ ବୋରୱେଲ, କେମିତି ଚଳିବେ ୪ ହଜାର ଲୋକ

ଭୁୁବନେଶ୍ୱର: କର୍ତ୍ତୃପକ୍ଷଙ୍କଠୁ ଅନୁମତି ନ ନେଇ ବେଆଇନ ଭାବେ ଭୂତଳ ଜଳ ବ୍ୟବହାର କରୁଛନ୍ତି ବିଲଡର । ରାଜଧାନୀରେ ଅନେକ ଆପାର୍ଟମେଣ୍ଟରେ ଏଭଳି ବେଆଇନ ପାଣି ଯୋଗାଣ ହେଉଛି । ଏଭଳି ଏକ ମାମଲାରେ ଟ୍ରାଇଡେଣ୍ଟ ପ୍ରପର୍ଟିଜ ପ୍ରାଇଭେଟ ଲିମିଟେଡକୁ ଝଟକା ଲାଗିଛି । ବେଆଇନ ଭାବେ ଭୂତଳ ଜଳ ବ୍ୟବହାର ଅଭିଯୋଗରେ ଟ୍ରାଇଡେଣ୍ଟକୁ କ୍ଷତିପୂରଣ ବାବଦରେ ୩ କୋଟି ୫୬ ଲକ୍ଷ ୬୭ ହଜାର ଟଙ୍କା ଦାଖଲ କରିବାକୁ କେନ୍ଦ୍ରୀୟ ଭୂତଳ ଜଳ କର୍ତ୍ତୃପକ୍ଷ(ସିଜିଡବ୍ଲ୍ୟୁ) ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଧାର୍ଯ୍ୟ ସମୟରେ ଜରିମାନା ଦାଖଲ ନ ହେବାରୁ ବେଆଇନ ବୋରୱେଲକୁ ସିଲ୍ କରିବାକୁ ନିଷ୍ପତ୍ତି ନେଇଛି ସିଜିଡବ୍ଲ୍ୟୁ । ଫଳରେ ସେଠାରେ ବାସ କରୁଥିବା ପ୍ରାୟ ୪ ହଜାର ବାସିନ୍ଦା ଚିନ୍ତାରେ ପଡିଛନ୍ତି । ଏତେ ମୋଟା ଅଙ୍କର ଜରିମାନା ହୋଇଥିବାରୁ ଅନ୍ୟ ବିଲ୍ଡରମାନେ ମଧ୍ୟ ହରଡଘଣାରେ ପଡିଛନ୍ତି ।

ଟ୍ରାଇଡେଣ୍ଟ ପ୍ରପର୍ଟିଜ ପ୍ରାଇଭେଟ୍ ଲିମିଟେଡର ଟ୍ରାଇଡେଣ୍ଡ ଗ୍ୟାଲାକ୍ସି ନାମକ ଏକ ପ୍ରକଳ୍ପ ପାଇକରାପୁର ଫେଜ-୧ରେ ରହିଛି । ଏହି ପ୍ରକଳ୍ପ ପାଇଁ ଆବଶ୍ୟକ ହେଉଥିବା ପାଣି ବୋରୱେଲ ଖୋଲି ସଂପୃକ୍ତ ବିଲଡର ଯୋଗାଉଛି । ଭୂତଳ ଜଳ ଏଭଳି ବ୍ୟବହାର ନେଇ କଟକଣା ରହିଛି । ଏଥିପାଇଁ ସିଜିଡବ୍ଲ୍ୟୁ ଠାରୁ ଏନଓସି ଆଣିବାକୁ ହୁଏ । କିନ୍ତୁ ୨୦୨୦ ମସିହାରୁ ଏହି ବିଲଡର ଏନଓସି ନ ନେଇ ଭୂତଳ ଜଳ ଶୋଷି ଚାଲିଥିଲା । ଅଭିଯୋଗ ହେବା ପରେ କର୍ତ୍ତୃପକ୍ଷ ଚଢଉ କରିଛି । ଚଢଉ ବେଳେ ଏହି ବେଆଇନ କାରବାର ବିଷୟରେ ଜଣା ପଡିଥିଲା । ଏଣୁ କର୍ତ୍ତୃପକ୍ଷ ୨୦୨୦ ମସିହାରୁ ୨୦୨୪ ମେ ମାସ ପର୍ଯ୍ୟନ୍ତ ଭୂତଳ ଜଳ କେତେ ଚୋରି ହୋଇଛି ତାର ହିସାବ କରିଥିଲେ । ଦୈନିକ ଏକ କିଲୋଲିଟର ପିଛା ୪୫ ଟଙ୍କା ହିସାବରେ ୩ କୋଟି ୫୬ ଲକ୍ଷ ୬୭ ହଜାର ଟଙ୍କା ଧାର୍ଯ୍ୟ ହୋଇଥିଲା ।

ଗତ ଏପ୍ରିଲ ୨ ତାରିଖରେ ସିଜିଡବ୍ଲ୍ୟୁ ଟ୍ରାଇଡେଣ୍ଟ ପ୍ରପର୍ଜିକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ । ବେଆଇନ ବୋରୱେଲ ଖୋଳି ଭୂତଳ ଜଳ ବ୍ୟବହାର କରୁଥିବାରୁ କାହିଁକି ସେ ବୋରୱେଲ ସିଲ୍ କରାନ ଯିବ ଓ ସଂସ୍ଥା ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯିବ ସେ ନେଇ ୧୫ ଦିନ ଭିତରେ ଉତ୍ତର ଦେବାକୁ କହିଥିଲେ । କିନ୍ତୁ ଏ ନେଇ କୌଣସି ସନ୍ତୋଷଜନକ ନ ମିଳିବାରୁ ସିଜିଡବ୍ଲ୍ୟୁ ସଂପୃକ୍ତ ଆପାର୍ଟମେଣ୍ଟରେ ଚଢଉ କରିଥିଲେ । ଜରିମାନା ଅର୍ଥ ଜମା କରିବା ପାଇଁ ମେ ୭ ତାରିଖରେ କର୍ତ୍ତୃପକ୍ଷ ନୋଟିସ୍ କରିଥିଲେ । ନୋଟିସର ୩୦ ଦିନ ଭିତରେ ବା ଜୁନ ୭ ତାରିଖ ସୁଦ୍ଧା ଏହି ଅର୍ଥ ଜମା କରିବାକୁ କୁହାଯାଇଥିଲା । କିନ୍ତୁ ସଂସ୍ଥା ଏ ନେଇ କୌଣସି ଯୋଗାଯୋଗ କରି ନ ଥିଲା ।

ତେଣୁ ଆଇନ ଅନୁଯାୟୀ ସଂପୃକ୍ତ ସଂସ୍ଥାଠାରୁ ବେଆଇନ ବୋରୱେଲ ସିଲ୍ କରିବାକୁ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି । ତା ସହିତ କଟକ ଜିଲ୍ଲାପାଳଙ୍କୁ ବୋରୱେଲ ସିଲ୍ କରିବା ଓ ସଂପୃକ୍ତ ବୋରୱେଲକୁ ଦିଆଯାଇଥିବା ବିଦ୍ୟୁତ ସଂଯୋଗ କାଟିବାକୁ ଚିଠି ଲେଖିଛନ୍ତି । ଟ୍ରାଇଡେଣ୍ଟ ଗ୍ୟାଲାକ୍ସି ୱେଲଫେୟାର ଆସୋସିଏସନ ପକ୍ଷରୁ କୁହାଯାଇଛି ଯେ, ବିଲଡର ଏଭଳି ବେଆଇନ ଭାବରେ ସଂଯୋଗ ନେବା ଉଚିତ୍ ନ ଥିଲା । ଏବେ ପାଣି ସଂଯୋଗ ବିଚ୍ଛିନ୍ନ ହେଲେ ସେଠାରେ ରହୁଥିବା ୪ ହଜାର ଲୋକ କଣ କରିବେ ? ପାଣି ସଂଯୋଗ ରହିଲେ କି କଟିଲେ ବିଲଡରର କିଛି ଯାଏ ଆସେ ନାହିଁ । କେବଳ ରହୁଥିବା ଲୋକ ହିଁ ଫସିବେ ।