ଲାଞ୍ଚ ନେବା ବେଳେ ସିବିଆଇ ହାତରେ ଧରାପଡ଼ିଲେ ପୋଷ୍ଟାଲ ଇନ୍ସପେକ୍ଟର


ବାରିପଦା: ସାର୍ଟିଫିକେଟ କରାଇ ଦେବାକୁ ୨୦ ହଜାର ଟଙ୍କା ଲାଞ୍ଚ ମାଗି ସିବିଆଇ ହାତରେ ଧରାପଡ଼ିଲେ ପୋଷ୍ଟାଲ ଇନ୍ସପେକ୍ଟର । ଲାଞ୍ଚ ଟଙ୍କା ନେବା ବେଳେ ମାଡ଼ି ବସିଲେ ସିବିଆଇ ଟିମ୍ । ସିବିଆଇ ଜାଲରେ ଧରା ପଡ଼ିଥିବା ପୋଷ୍ଟାଲ ଇନ୍ସପେକ୍ଟର ଜଣକ ହେଲେ ଉଦଳାର ପୋଷ୍ଟାଲ ଇନ୍ସପେକ୍ଟର ରାଜେନ୍ଦ୍ର ପୃଷ୍ଟି ।

ଉଦଳା ପୋଷ୍ଟାଲ ସର୍କଲ ଅଧୀନ କୁଶଳଦା ପଥୁରୀକଟା ପୋଷ୍ଟ ଅଫିସର ଜିଡ଼ିଏସ ବିପିଏମ ମଳୟ କୁମାର ବେହେରା ଏବେ ଶିକ୍ଷକ ଚାକିରି ପାଇଛନ୍ତି । ଉକ୍ତ ଚାକିରି କରିବା ନିମନ୍ତେ ପୋଷ୍ଟାଲ ବିଭାଗ ପକ୍ଷରୁ ରେଜିଷ୍ଟ୍ରେଶନ ସହିତ ପୋଷ୍ଟ ୱାର୍କ ଭେରିଫିକେସନ ସାର୍ଟିଫିକେଟର ଆବଶ୍ୟକତା ରହିଥିଲା । ପୋଷ୍ଟ ୱାର୍କ ଭେରିଫିକେସନ ସାର୍ଟିଫିକେଟ ପାଇବା ପାଇଁ ବିପିଏମ ମଳୟ କୁମାର ବେହେରା ଉଦଳା ପୋଷ୍ଟାଲ ଇନ୍ସପେକ୍ଟରଙ୍କ ନିକଟରେ ପହଞ୍ଚିଥିଲେ । ହେଲେ ସାର୍ଟିଫିକେଟ ଦେବା ନିମନ୍ତେ ପୋଷ୍ଟାଲ ଇନ୍ସପେକ୍ଟର ରାଜେନ୍ଦ୍ର ତାଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।

ଗତକାଲି ସନ୍ଧ୍ୟାରେ ନିଜ ଭଡା ବାସଭବନ ନିକଟରେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରାଜେନ୍ଦ୍ରଙ୍କୁ ମାଡି ବସିଥିଲା ସିବିଆଇ ଆଣ୍ଟି କରପସନ ଟିମ୍ । ଧରାପଡିବା ପରେ ପୋଷ୍ଟାଲ ଇନ୍ସପେକ୍ଟର ଘଟଣାସ୍ଥଳରେ ଟଙ୍କା ଫୋପାଡ଼ି ଦେଇ ଖସି ଯିବାକୁ ଉଦ୍ୟମ କରିଥିଲେ, ହେଲେ ସିବିଆଇ ଟିମ୍ ତାଙ୍କୁ କାବୁ କରି ନେଇଥିଲା ।