Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଳମ୍ବରେ ଫ୍ଲାଟ୍ ଦେବା ପଡିଲା ମହଙ୍ଗା, ସୁପ୍ରିମକୋର୍ଟଙ୍କ ଛାଟ ପରେ, ୩୯ ଲକ୍ଷ ଟଙ୍କା ଗଣିଲା କମ୍ପାନୀ

କଟକ: ଧାର୍ଯ୍ୟ ସମୟ ମଧ୍ୟରେ ଆବେଦନକାରୀଙ୍କୁ ଫ୍ଲାଟ୍ ନଦେବା ବିପୁଲ୍ ଲିମିଟେଡ୍ ସଂସ୍ଥାକୁ ମହଙ୍ଗା ପଡ଼ିଛି । ସଂସ୍ଥାର ମନମାନି ଉପରେ ସୁପ୍ରିମକୋର୍ଟଙ୍କ ପ୍ରହାର ପଡିଛି । ଏହି ସଂସ୍ଥାର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ସୁପ୍ରିମକୋର୍ଟ ଆଦେଶ ଦେବା ପରେ ଆଜି କମ୍ପାନୀ କର୍ତ୍ତୃପକ୍ଷ ଆବେଦନକାରୀଙ୍କୁ ୩୮ଲକ୍ଷ ୫୬ ହଜାର ୫୭୨ ଟଙ୍କା ଚେକ୍ ଆକାରରେ ପ୍ରଦାନ କରିଛନ୍ତି । ଏନେଇ କମ୍ପାନୀ କର୍ତ୍ତୃପକ୍ଷ ସର୍ବୋଚ୍ଚ ଅଦାଲତଙ୍କୁ ଅବଗତ କରିଛନ୍ତି ।

ଅପରପକ୍ଷରେ ଓରେରା (ଓଡ଼ିଶା ରିଅଲ୍ ଇଷ୍ଟେଟ୍ ରେଗୁଲେଟୋରି ଅଥରିଟି) ଯେଉଁ ଆଦେଶ ଦେଉଛି ତାହାକୁ ନିଜେ କାର୍ଯ୍ୟକାରୀ ନକରି ସିଭିଲ୍ କୋର୍ଟକୁ ପଠାଇ ଦେବା ଘଟଣାରେ ଉଭୟ ରାଜ୍ୟ ସରକାର ଏବଂ ଓରେରା ଜବାବ ଦାଖଲ କରିବାକୁ ସୁପ୍ରିମ୍‌କୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି । ବିମଳେନ୍ଦୁ ପ୍ରଧାନଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ସୁପ୍ରିମ୍‌କୋର୍ଟର ବିଚାରପତି ଜଷ୍ଟିସ୍ ସୂର‌୍ୟ୍ୟକାନ୍ତ ଏବଂ ଉଜ୍ଜ୍ୱଳ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଆସନ୍ତା ସେପ୍ଟେମ୍ବର ୨୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଆବେଦନକାରୀ ଶ୍ରୀ ପ୍ରଧାନ ବିପୁଲ୍ ଲିମିଟେଡ୍ କନ୍‌ଷ୍ଟ୍ରକସନ୍ ସଂସ୍ଥାରୁ ୨୦୧୧ ମସିହାରେ ଏକ ଫ୍ଲାଟ୍ ବୁକିଂ କରିଥିଲେ । କିନ୍ତୁ ଉକ୍ତ ସଂସ୍ଥା ଫ୍ଲାଟ୍ ନଦେବାରୁ ଆବେଦନକାରୀ ଓରେରାର ଦ୍ୱାରସ୍ଥ ହୋଇଥିଲେ । ଓରେରା ଏହି କନ୍‌ଷ୍ଟ୍ରକସନ୍ ସଂସ୍ଥାକୁ ନୋଟିସ୍ କରିଥିଲେ ମଧ୍ୟ ଉକ୍ତ ସଂସ୍ଥା ଓରେରାର ଆଦେଶକୁ ମାନିନଥିଲା । ପରେ ଓରେରା ଏହି ମାମଲାକୁ ସିଭିଲ୍ କୋର୍ଟକୁ ପଠାଇ ଦେଇଥିଲା ।

ଏନେଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଓରେରାର କିପରି ଭିତ୍ତଭୂମି ବୃଦ୍ଧି ପାଇବ ଏବଂ ଏହିଭଳି ଠକ ସଂସ୍ଥାଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ସେଥିପାଇଁ ମାମଲା ରୁଜୁ କରିଥିଲେ । ହାଇକୋର୍ଟ ଗତ ଏପ୍ରିଲ ୩ ତାରିଖରେ ଏହି ମାମଲାରେ ରାୟ ପ୍ରକାଶ କରି ଆବେଦନକାରୀଙ୍କ ଉପରେ ୨ ହଜାର ଟଙ୍କାର ଜରିମାନା କରିବା ସହ ମାମଲାର ଅନ୍ତ ଘଟାଇଥିଲେ । ଏହି ଆଦେଶ ବିରୋଧରେ ଆବେଦନକାରୀ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ସୁପ୍ରିମ୍‌କୋର୍ଟ ଏହି ମାମଲାର ଶୁଣାଣି କରି ବିପୁଲ୍ କନ୍‌ଷ୍ଟ୍ରକସନ୍ କମ୍ପାନୀର ସମସ୍ତ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି ଲାଗି ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଫଳରେ ଏହି କମ୍ପାନୀ ଆବେଦନକାରୀଙ୍କୁ ୩୮ଲକ୍ଷ ଟଙ୍କା ପ୍ରଦାନ କରିବା ସଂପର୍କରେ ସୁପ୍ରିମ୍‌କୋର୍ଟଙ୍କୁ ଜଣାଇଛି । କିନ୍ତୁ ଏହି ଟଙ୍କାକୁ ନେବେ କି’ ନାହିଁ ଆବେଦନକାରୀ ପରବର୍ତ୍ତୀ ଶୁଣାଣିରେ ସୁପ୍ରିମ୍‌କୋର୍ଟଙ୍କୁ ଅବଗତ କରିବେ । ରେରା ପକ୍ଷରୁ ଆଇନଜୀବୀ ବିଭୁ ପ୍ରସାଦ ତ୍ରିପାଠୀ ଏବଂ ଆବେଦନକାରୀଙ୍କ ପକ୍ଷରୁ ଏହି ମାମଲାକୁ ଆଇନଜୀବୀ ମୋହିତ୍ ଅଗ୍ରୱାଲ ପରିଚାଳନା କରୁଛନ୍ତି ।