ହର୍ ଘର୍ ତ୍ରିରଙ୍ଗା ପରିପ୍ରେକ୍ଷୀରେ ମାରାଥନ ଦୌଡ଼
 
        ଜମନକିରା : ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ହର୍ ଘର୍ ତ୍ରିରଙ୍ଗା ଅଭିଯାନ କୁ ସଫଳ କରିବା ପାଇଁ ଆଜି ଜମନକିରା ବ୍ଲକ ପକ୍ଷରୁ ଏକ ମାରାଥନ ଦୌଡ଼ ଅନୁଷ୍ଠିତ ହୋଇ ଯାଇଛି। ଜମନକିରା ବିଡ଼ିଓ ସୁଶ୍ରୀ ରୀନା ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଆଶ୍ରିତା ଭୋଇ ଯୋଗ ଦେଇ ସବୁଜ ପତାକା ଦେଖାଇ ମାରାଥନ ଦୌଡ଼ ପ୍ରତିଯୋଗିତା କୁ ଉଦଘାଟନ କରିଥିଲେ। ହର୍ ଘର୍ ତ୍ରିରଙ୍ଗା ମାରାଥନ ଅଭିଯାନ କାର୍ଯ୍ୟକ୍ରମ ସ୍ଥାନୀୟ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରୁ ଆରମ୍ଭ ହୋଇ ଡାକ୍ତରଖାନା ପଡ଼ିଆରେ ଶେଷ କରାଯାଇଥିଲା। ଏହି କ୍ରମରେ ଆଜି ୧୪ତାରିଖ ପୂର୍ବାହ୍ନ ସାଢେ଼ ୮ଘଟିକା ସମୟରେ ମାରାଥନ ଦୌଡ଼ ଆରମ୍ଭ ହୋଇଥିଲା। ଡାକ୍ତରଖାନା ପଡ଼ିଆରେ ସମସ୍ତେ ପହଞ୍ଚିଲା ପରେ କାନଭାସ ଏବଂ ତ୍ରିରଙ୍ଗା ସେଲ୍ଫି କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ କରାଯାଇଥିଲା। କାନଭାସ୍ ରେ ଅତିଥି ଏବଂ ଜନସାଧାରଣ ସ୍ଵାଧୀନତା ଦିବସ, ମାତୃଭୂମି, ସହୀଦ, ସ୍ଵାଧୀନତା ସଂଗ୍ରାମ ଉପରେ ଲେଖିଥିଲେ। ପରେ ତ୍ରିରଙ୍ଗା ସେଲ୍ଡି ପଏଣ୍ଟ ରେ ସମସ୍ତେ ଶେଲ୍ଫି ଫଟୋ ଉଠେଇଥିଲେ। ମୁଖ୍ୟଅତିଥି ଶ୍ରୀମତୀ ଭୋଇ ଅଭିଭାଷଣ ମାଧ୍ୟମରେ ସ୍ଵାଧୀନତା ସଂଗ୍ରାମୀଙ୍କ ବଳିଦାନ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ ବିଡ଼ିଓ ସୁଶ୍ରୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବହୁ ବର୍ଗରୁ ଜନସାଧାରଣ, କଲେଜ, ଉଚ୍ଚ ବିଦ୍ୟାଳୟ, ମହିଳା, ବ୍ଲକ, ପଞ୍ଚାୟତ ଅଧିକାରୀ ଓ କର୍ମଚାରୀ ମାନେ ଭାଗ ନେଇଥିଲେ।

 
                        
 
                                 
                                 
                                 
                                 
                                