ଭୁବନେଶ୍ବର: ରାକ୍ଷୀ ପୂର୍ଣ୍ଣିମା ଅବସରରେ ଆଜି ଆକାଶରେ ଦୃଶ୍ୟମାନ ହେବ ସୁପର ବ୍ଲୁ ମୁନ୍ । ୨୦୨୪ ମସିହାର ପ୍ରଥମ ସୁପର ମୁନ୍ ଭାବେ ଦେଖାଯିବ । ଏହି ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟକୁ ଲୋକେ ଖାଲି ଆଖିରେ ଦେଖିପାରିବେ । ଆକାଶ ମେଘମୁକ୍ତ ଥିଲେ ଓଡ଼ିଶା ତଥା ଭାରତର ସବୁ ଅଞ୍ଚଳରେ ଏହାକୁ ଖାଲି ଆଖିରେ ରାତି ସାରା ଦେଖି ହେବ । ରାତି ୧୧ଟା ୫୬ରୁ କାଲି ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଏହା ଦେଖିବାକୁ ମିଳିବ । ଏକ ଇଂରାଜୀ କ୍ୟାଲେଣ୍ଡର ମାସରେ ଦୁଇଟି ପୂର୍ଣ୍ଣିମା ପଡ଼ିଲେ ଦ୍ବିତୀୟ ପୂର୍ଣ୍ଣିମାକୁ ନୀଳ ଜହ୍ନ ବା ନୀଳ-ସୁପର ମୁନ୍ ଭାବେ ନାମିତ କରାଯାଏ ।
ସୁପର ମୁନ୍ ଶବ୍ଦଟି ପ୍ରଥମେ ଆମେରିକାର ଜ୍ୟୋତିଷ ରିଚାର୍ଡ ନଲ ୧୯୭୯ ମସିହାରେ ପ୍ରଚଳନ କରିଥିଲେ । ଧୀରେ ଧୀରେ ଏହି ଶବ୍ଦଟି ଲୋକପ୍ରିୟ ହୋଇ ବହୁଳ ବ୍ୟବହାର ହୋଇଆସୁଛି । ବୈଜ୍ଞାନିକଙ୍କ ମତ ଅନୁଯାୟୀ, ଯଦି ଚନ୍ଦ୍ର ଆମଠାରୁ ୩.୬୦ ଲକ୍ଷ କିମି ବା ତା’ଠାରୁ ନିକଟରେ ଥିବା ସେ ସମୟରେ ଏକ ପୂର୍ଣ୍ଣିମା ପଡ଼େ, ତା’ହେଲେ ସେହି ଚନ୍ଦ୍ରକୁ ସୁପର ମୁନ୍ କୁହାଯାଏ । ସେ ସମୟରେ ଆମକୁ ଚନ୍ଦ୍ର ବଡ଼ ଓ ଉଜ୍ଜ୍ବଳ ଦେଖାଯାଏ । ପ୍ରତିବର୍ଷ ଏଭଳି ଘଟଣା ଘଟିଥାଏ । ଆଜି ଚନ୍ଦ୍ର ଆମକୁ ସାଧାରଣ ଦିନର ପୂର୍ଣ୍ଣ ଚନ୍ଦ୍ରଠାରୁ ପ୍ରାୟ ୯ ପ୍ରତିଶତ ବଡ଼ ଓ ୨୦ ପ୍ରତିଶତ ଅଧିକ ଉଜ୍ଜ୍ବଳ ଦେଖାଯିବ । ଏହି ବିରଳ ସୁପର ବ୍ଲୁ ମୁନ୍ ବିଶ୍ୱବ୍ୟାପୀ ଅଗଷ୍ଟ ୧୮ରୁ ୨୦ ମଧ୍ୟରେ ଅଲଗା ଅଲଗା ସମୟରେ ଦେଖାଯାଉଛି ।