ମଝି ସମୁଦ୍ରରେ ଅଚଳ ହେଲା ଦୁଇ ବୋଟ, ଫସିଛନ୍ତି ୧୪ ମତ୍ସ୍ୟଜୀବୀ


ପାରାଦୀପ: ଲଗାଣ ବର୍ଷା ସହ ଅଶାନ୍ତ ରହିଛି ସମୁଦ୍ର । ସମୁଦ୍ରରେ ଉଠୁଛି ଉଚ୍ଚା ଉଚ୍ଚା ଢେଉ । ଏମିତି ସମୟରେ ପାରାଦୀପ ମହାନଦୀ ମୁହାଣରେ ଫସିଛନ୍ତି ୧୪ ମତ୍ସ୍ୟଜୀବୀ । ଦୁଇଟି ମାଛଧରା ବୋଟ ଅଚଳ ହୋଇଯିବାରୁ ଏମାନେ ମଝି ସମୁଦ୍ରରେ ଭାସୁଛନ୍ତି । ଆଜି ସକାଳୁ ଏପରି ସ୍ଥିତି ଉପୁଜିଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ପାରି ନଥିବା ଜଣାଯାଇଛି ।

ଆଜି ସକାଳେ ପ୍ରଥମେ ଏକ ମାଛ ଧରା ବୋଟ ସମୁଦ୍ର ମଝିରେ ଅଚଳ ହୋଇ ଯାଇଥିଲା । ସୂଚନା ପାଇ ତୁରନ୍ତ ତାହାକୁ ଉଦ୍ଧାର କରିବାକୁ ଅନ୍ୟ ଏକ ବୋଟ ସମୁଦ୍ର ମଝିକୁ ଯାଇଥିଲା । ମାତ୍ର ସମୁଦ୍ର ଅଶାନ୍ତ ଥିବାରୁ ବଡ଼ ବଡ଼ ଲହଡି ମାଡ଼ ହୋଇ ତାହାର ବି ଇଞ୍ଜିନି ଖରାପ ହୋଇ ଯାଇଛି । ଫଳରେ ବୋଟ ଦୁଇଟି ମଝି ସମୁଦ୍ରରେ ଭାସୁଥିବା ବେଳେ ସେଥିରେ ୧୪ ମତ୍ସ୍ୟଜୀବୀ ଅଛନ୍ତି ।

ଖବର ପାଇ ତୁରନ୍ତ ସେମାନଙ୍କୁ ଉଦ୍ଧାର ପାଇଁ ପାରାଦୀପ ପୋର୍ଟ, ମେରାଇନ ପୋଲିସ୍‌ ଓ କୋଷ୍ଟଗାର୍ଡ ପକ୍ଷରୁ ମିଳିତ ଅପରେସନ ଆରମ୍ଭ ହୋଇଛି । ମତ୍ସଜୀବୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ତୁରନ୍ତ ଦୁଇଟି ବୋଟ ସମୁଦ୍ର ମଧ୍ୟକୁ ପଠାଯାଇଛି । ସମସ୍ତ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ପ୍ରୟାସ ଚାଲିଥିବା ବେଳେ ରିପୋର୍ଟ ଲେଖା ହେବା ବେଳକୁ ଉଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରି ନଥିବା ଜଣାଯାଇଛି ।