ଚଳନ୍ତା ଟ୍ରକର ଇଂଜିନରେ ହଠାତ ନିଆଁ ଲାଗି ଜଳିଗଲା, ଅଳ୍ପକେ ବର୍ତିଲେ ଖଲାସୀ ଓ ଚାଳକ


ଜମନକିରା: ଜମନକିରା ଥାନା ଜାତୀୟ ରାଜପଥ ୫୩ ପିଠାମାରେନ ପୋଲ ନିକଟରେ ଆଜି ଏକ ପିଆଜ ବୋଝେଇ ଟ୍ରକର ଇଞ୍ଜିନରେ ନିଆଁ ଲାଗି ଟ୍ରକ ଟି ସମ୍ପୂର୍ଣ ଜଳିଯାଇଛି। ତେବେ ଉପସ୍ଥିତି ବୁଦ୍ଧିମତା ଯୋଗୁଁ ଖଲାସୀ ଓ ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏନେଇ ଜମନକିରା ଥାନାରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।
ସୂଚନା ଅନୁସାରେ, ଆଜି ଗୁରୁବାର ପୂର୍ବାହ୍ନ ସାଢ଼େ ୫ ଟା ସମୟରେ ନାସିକ ରୁ ପିଆଜ ନେଇ ଏକ ଟ୍ରକ (ପିବି ୬୫ ବିବି ୭୨୬୫) କଲିକତା ଅଭିମୁଖେ ଯାଉଥିବା ବେଳେ ଜାତୀୟ ରାଜପଥ ୫୩ ପିଠାମାରେନ ପୋଲ ନିକଟରେ କୌଣସି କାରଣ ବଶତଃ ଇଂଜିନରେ ନିଆଁ ଲାଗିଯାଇଥିଲା। ଚାଳକ ଓ ଖଲାସୀ ଏହା ଜାଣି ଗାଡିରୁ ଓହ୍ଲେଇ ପଡ଼ି ଅଗ୍ନିଶ୍ରମ ବିଭାଗ ଓ ପୋଲିସକୁ ଖବର ଦେଇଥିଲେ। ଅଗ୍ନିଶ୍ରମ ଅଧିକାରୀ ମାନେ ପହଞ୍ଚି ନିଆଁ କୁ ଆୟତ କରିଥିଲେ। ତେବେ ଟ୍ରକ ଟି ସମ୍ପୂର୍ଣ ପୋଡିଯାଇଥିବା ଜଣାଯାଇଛି। ଥାନାରେ ଏନେଇ ଏକ ମାମଲା ରୁଜୁ କରାଯାଇଛି।