ପାହାଡ଼ ଉପରୁ ମିଳିଲା ପୁଅର ମୃତଦେହ, ବାପା ଆଣିଲେ ବଳି ଅଭିଯୋଗ


ବଲାଙ୍ଗୀର: ପାହାଡ଼ ଉପରୁ ମିଳିଲା ନିଖୋଜ ନାବାଳକଙ୍କ ମୃତଦେହ । ଗତକାଲି ସନ୍ଧ୍ୟାରୁ ଥିଲେ ନିଖୋଜ । ପିଲାଟିକୁ ବଳି ଦିଆଯାଇ ପାହାଡ଼ ଉପରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।

ଏପରି ଏକ ଘଟଣା ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଝଲିଆଲିଟି ଗାଁ ପାଖରେ ଘଟିଛି । ମୃତ ନାବାଳକ ଜଣକ ଜଳପାଙ୍କେଲ ଗାଁର ସୋମନାଥ ବେମାଲ । ତାଙ୍କ ବୟସ ୧୧ ବର୍ଷ ।

ଗତକାଲି ସନ୍ଧ୍ୟା ସମୟରେ ସୋମନାଥ ଖେଳିବାକୁ ଘରୁ ବାହାରି ଥିବା ବେଳେ ଆଉ ଘରକୁ ଫେରି ନଥିଲେ । ବହୁ ଖୋଜାଖୋଜି ପରେ ବି ପୁଅର ସନ୍ଧାନ ପାଇ ପାରି ନଥିଲେ ପରିବାର ଲୋକେ । ସବୁଆଡୁ ନିରାଶ ହେବା ପରେ ସେମାନେ ଥାନାରେ ଏତଲା ଦେଇଥିଲେ । ଗତ ରାତି ସାରା ଗାଁ ଲୋକଙ୍କ ସମେତ ପୋଲିସ୍‌ କର୍ମଚାରୀ ବି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ମାତ୍ର ପିଲାଟିର କୌଣସି ସନ୍ଧାନ ମିଳି ନଥିଲା ।

ଆଜି ସକାଳ ସମୟରେ ପାହାଡ଼ ଉପରେ ପିଲାଟିର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ । ପିଲାଟିର କେମିତି ମୃତ୍ୟୁ ହେଲା ତାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ପରିବାର ଲୋକେ ।

ପିଲାଟିର ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି । ଏହାବାଦ ଗତକାଲି ସଂକ୍ରାନ୍ତି ଥିବାରୁ ପୁଅକୁ ବଳି ଦେଇଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି । ମୋର କାହା ସହ ଶତ୍ରୁତା ନ ଥିଲା । ତେଣୁ ମୋ ପୁଅକୁ କେହି ବଳି ଦେଇ ପାହାଡ଼ ଉପରେ ଫୋପାଡ଼ି ଦେଇଥିବା ସେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ଲାଠୋର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଧିକ ତଦନ୍ତ ପାଇଁ ସାଇଣ୍ଟିକଫିକ ଟିମକୁ ଡାକିଛି । ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।