ଅଚେତ ହେଲେ ହବିଷ୍ୟାଳି, କାଲିଠୁ ବସିଥିଲେ ଧାରଣାରେ


ପୁରୀ: ପୁରୀ ବୃନ୍ଦାବତୀ ନିବାସ ଆଗରେ ଅଚେତ ହୋଇ ପଡ଼ିଛନ୍ତି ଜଣେ ଅଣପଞ୍ଜୀକୃତ ହବିଷ୍ୟାଳି । ମୁଣ୍ଡ ଗୁଞ୍ଜିବାକୁ ଜାଗା ମିଳୁ ନଥିବାରୁ କାଲିଠୁ ଶୀତ କାକରରେ ବାହାରେ ବସି ରହିଥିଲେ । ଅଚେତ ହୋଇ ପଡ଼ିଥିବା ହବିଷ୍ୟାଳିଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ହବିଷ୍ୟାଳିଙ୍କ ଘର ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ବୋଲି ଯାଇଛି ।

କାର୍ତ୍ତିକ ମାସରେ ହବିଷ୍ୟାଳିମାନଙ୍କ ରହଣି ସମେତ ସମସ୍ତ ପ୍ରକାର ସୁବିଧା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ଘୋଷଣା ହୋଇଥିଲା । ଏଥି ନିମନ୍ତେ ନିଜ ନାମ ଅନଲାଇନରେ ପଞ୍ଜୀକରଣ କରିବାକୁ ଗତ ୬ ତାରିଖରେ କୁହାଯାଇଥିଲା । ଏହି ପ୍ରକ୍ରିୟା ୫ ଦିନ ପର୍ଯ୍ୟନ୍ତ ଅର୍ଥାତ ଗତ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଥିଲା । ମାତ୍ର କେବଳ ଗୋଟିଏ ଦିନ ପରେ ଅର୍ଥାତ ୭ ତାରିଖରେ ପୋର୍ଟାଲକୁ ବନ୍ଦ କରି ଦିଆଗଲା । ଫଳରେ ବହୁ ହବିଷ୍ୟାଳି ପଞ୍ଜିକରଣ କରିବାରୁ ବଞ୍ଚିତ ହୋଇଥିଲେ । ଏପରି ସ୍ଥିତିରେ ହବିଷ୍ୟାଳିମାନେ ଗତକାଲିଠୁ ପୁରୀରେ ଆସି ପହଞ୍ଚିଥିବା ବେଳେ ସେମାନଙ୍କୁ ରହିବାକୁ ଜାଗା ଖଣ୍ଡେ ମିଳୁନି । ଫଳରେ ସେମାନେ ଗତକାଲିଠୁ ସେମିତି ଖରା ତରାରେ ବୃନ୍ଦବତୀ ନିବାସର ବାହାରେ ବସି ରହିଛନ୍ତି । ଏଥିରୁ ଜଣେ ହବିଷ୍ୟାଳି ଅଚେତ ହୋଇପଡ଼ିଛନ୍ତି ।

ଅନ୍ୟପକ୍ଷରେ ଧାରଣା ସ୍ଥଳରେ ପହଞ୍ଚି ଅଣପଞ୍ଜୀକୃତ ହବିଷ୍ୟାଳିଙ୍କ ସମସ୍ୟାର ସମାଧାନ ତୁରନ୍ତ ହେବ ବୋଲି କହିଛନ୍ତି ପୂର୍ବତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ । ସେ କହିଛନ୍ତି, ଯେଉଁ ମାଆମାନେ ଆସିଛନ୍ତି ସମସ୍ତଙ୍କ ପାଇଁ ରହିବା ବ୍ୟବସ୍ଥା କରାଯିବ । ଘଣ୍ଟାଏ ଭିତରେ ସମାଧାନ ହେବ । ପଞ୍ଜୀକୃତ କରି ଆସି ନଥିବା ହବିଷ୍ୟାଳିମାନେ ରହିବେ । ସ୍ଥାନାଭାବ ହେଲେ ଅନ୍ୟମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଏନେଇ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରାଯାଇଛି।

ସେହିପରି ପୁରୀ ଜିଲ୍ଲାପାଳ କହିଛନ୍ତି, ପୁରୀ ଆସିଥିବା ସମସ୍ତ ହବିଷ୍ୟାଳିଙ୍କ ରହିବା ପାଇଁ ବ୍ୟବସ୍ଥା କରାଯିବ । ସେମାନେ ରହିବା ପାଇଁ  ବେସମେଣ୍ଟରେ ବ୍ୟବସ୍ଥା କରାଯିବ । ସ୍ଥାନା ଭାବ ହେଲେ ଅନ୍ୟ ଧର୍ମଶାଳାରେ ରହିବେ ହବିଷ୍ୟାଳି ।