ଯାଜପୁର: ଅଶାନ୍ତ ଯାଜପୁର । ଗୋଟିଏ ପଟେ ପୁର୍ବତନ ବିଧାୟକ ବବି ଦାସଙ୍କ ସମର୍ଥକ ଧର୍ମଶାଳାର ବିଜେପି ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଉଚ୍ଚେଜନା ଲାଗି ରହିଥିବା ବେଳେ ଏବେ ବିଜରା ହାଟ ପୁନଃ ସ୍ଥାପନକୁ ନେଇ ମୁହାଁମୁହିଁ ହୋଇଛନ୍ତି ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ ହୋଇଛନ୍ତି । ସ୍ଥିତି ଏମିତି ହୋଇଛି ଯେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ହାଟ ଖୋଲିବାକୁ ବିରୋଧ କରି ଗୋଟିଏ ଗୋଷ୍ଠୀ ରାସ୍ତାରୋକ କରିଥିବା ବେଳେ ସ୍ଥିତିକୁ ନିୟନ୍ତ୍ରଣ ପାଇଁ ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଏପରି ସ୍ଥିତିରେ ବିରଜା ହାଟକୁ ସାମୟିକ ଭାବେ ଆଜି ବନ୍ଦ କରିଛି ପ୍ରଶାସନ ।
ବିରଜା ପ୍ରକଳ୍ପ ନିମନ୍ତେ ୨ ଶହ ବର୍ଷର ବିରଜା ହାଟକୁ ଗତ ବର୍ଷ ଜାନୁୟାରୀରେ ସନ୍ଥ ମାଧବ ଅଞ୍ଚଳକୁ ସ୍ଥାନାନ୍ତର କରାଯାଇଥିଲା । ହାଟକୁ ପୂର୍ବ ସ୍ଥାନକୁ ଫେରାଇବାକୁ ଚାଷୀମାନେ ବହୁ ଥର ଦାବି କରିଥିଲେ । ଏନେଇ ସେମାନେ ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ମନ୍ତ୍ରୀଙ୍କ ନିକଟରେ ଗୁହାରୀ କରିଥିଲେ । ମାତ୍ର ବିଜେଡି ସରକାର କିଛି ଶୁଣି ନଥିଲା ।
ବିଜେପି ସରକାର ଆସିବା ପରେ ପୁଣି ଥରେ ଚାଷୀମାନେ ହାଟକୁ ପୁରୁଣା ଜାଗାକୁ ଫେରାଇବାକୁ ଦାବି ଜଣାଇଥିଲେ । ବିଜେପି ସରକାର ଏଥିନିମନ୍ତେ ସମ୍ମତି ଜଣାଇଥିବା ବେଳେ ଆଜି ହାଟ ବିରଜା ମନ୍ଦିର ନିକଟକୁ ଫେରିବ ବୋଲି ସ୍ଥିର ହୋଇଥିଲା ।
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ଆଜି ସକାଳେ କିଛି ବେପାରୀ ଆସି ପୁରୁଣା ସ୍ଥାନରେ ନିଜ ପସରା ମେଲାଇ ଥିଲେ । ମାତ୍ର ହାଟ ବିପକ୍ଷବାଦୀ ଲୋକ ଏହାକୁ ବିରୋଧ କରିବାରୁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ପ୍ରଶାସନର ନିର୍ଦ୍ଦେଶାନାମା ସତ୍ତ୍ୱେ ଏପରି ପରିସ୍ଥିତି ଉପୁଜିବାରୁ ଉତ୍ତ୍ୟକ୍ତ ଚାଷୀମାନେ ସକାଳୁ ରାସ୍ତାରୋକ କରିଛନ୍ତି । ଏଥିଯୋଗୁଁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଗୋଟିଏ ଗୋଷ୍ଠୀ ହାଟ ନୂଆ ସ୍ଥାନକୁ ସ୍ଥାନାନ୍ତର ଦାବିରେ ଅଟଳ ଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀ ପୁରୁଣା ସ୍ଥାନରେ ହାଟ ହେଉ ବୋଲି ଚାହୁଁଛନ୍ତି ।
ଫଳରେ ଉକ୍ତ ସ୍ଥାନରେ ବରିଷ୍ଠ ପୋଲିସ୍ ଓ ପ୍ରଶାସନିକ ଅଧିକାରୀ ପହଞ୍ଚିଥିବା ବେଳେ ଫୋର୍ସ ମୁତୟନ କରାଯାଇଛି । ଏଥିସହ ଉପଜିଲ୍ଲାପାଳ ପହଞ୍ଚି ହାଟକୁ ସାମୟିକ ଭାବେ ସ୍ଥଗିତ କରାଗଲା ବୋଲି କହିଛନ୍ତି । ତେବେ ହାଟ ଖୋଲିବା ନେଇ ଚାଷୀମାନେ ଲିଖିତ ଭାବେ ଦାବି କରିଛନ୍ତି । ଏବେ ପୁରୁଣା ହାଟ ସ୍ଥାନରେ ବ୍ୟାପକ ଫୋର୍ସ ମୁତୟନ ହୋଇଥିବା ବେଳେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ଜଣାଯାଇଛି ।
ତେବେ ଏହି ହାଟ ସପ୍ତାହରେ ଦୁଇ ଥର ଗୁରୁବାର ଓ ରବିବାର ବସିଥାଏ । ଏହି ହାଟ ଉପରେ ଆଖପାଖ ଅଞ୍ଚଳର ଶହ ଶହ ଚାଷୀ ନିର୍ଭର କରୁଥିବା ବେଳେ ସେମାନଙ୍କ ଉତ୍ପାଦିତ ଫସଲ ବିକ୍ରି କରିଥାନ୍ତି । ମାତ୍ର ପୁରୁଣା ସ୍ଥାନରେ ଆଜି ହାଟକୁ ସାମୟିକ ଭାବେ ସ୍ଥଗିତ କରାଯାଇଥିବା ବେଳେ ଆସନ୍ତା ରବିବାର କେଉଁଠି ହାଟ ବସିବ ତାହା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ଉପଜିଲ୍ଲାପାଳ କହିଛନ୍ତି, ସମସ୍ତ ପକ୍ଷଙ୍କୁ ଡାକି ଆଲୋଚନା କରିବୁ । ସହମତିରେ ସମସ୍ୟାର ସମାଧାନ ପାଇଁ ଚେଷ୍ଠା କରିବୁ ।