ଆଇଆଇଏମରେ ୫ ଦିନିଆ ଆବାସିକ କ୍ଷମତା ବୃଦ୍ଧି କାର୍ଯ୍ୟକ୍ରମ


ସମ୍ବଲପୁର, (ରାଜାରାମ ଷଡ଼ଙ୍ଗୀ): ଅନ୍ୟତମ ପ୍ରମୁଖ ମ୍ୟାନେଜମେଂଟ୍ ଅନୁଷ୍ଠାନ ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଏହାର କ୍ୟାମ୍ପସରେ ମାଲବ୍ୟ ମିଶନ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ (ଏମଏମଟିଟିପି) ତତ୍ୱାବଧାନରେ ନର୍ଚରିଂ ଫ୍ୟୁଚର୍ ଲିଡର୍‌ସିପ୍‌ର ଦ୍ୱିତୀୟ ବ୍ୟାଚ୍ ପାଇଁ ୫ ଦିନିଆ ଆବାସିକ କ୍ଷମତା ବୃଦ୍ଧି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଦେଶର ୧୬ଟି ବିଭିନ୍ନ ଉଚ୍ଚଶିକ୍ଷା ଅନୁଷ୍ଠାନର ୨୮ ଜଣ ଅଧ୍ୟାପକ ଅଂଶଗ୍ରହଣ କରିଥିଲେ। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଏବଂ ଏନଇପି ୨୦୨୦ର ଦୃଷ୍ଟିକୋଣ ସହିତ ସମନ୍ୱିତ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଉଚ୍ଚଶିକ୍ଷା ଅନୁଷ୍ଠାନ (ଏଚଇଆଇ)ର ଅଧ୍ୟାପକମାନଙ୍କୁ ଏକ ପରିବର୍ତନଶୀଳ ଶିକ୍ଷଣ ଅନୁଭୂତି ପ୍ରଦାନ କରି ଜ୍ଞାନ, ଦକ୍ଷତା ଏବଂ ଗୁଣଗୁଡ଼ିକର ଗଭୀର ବୁଝାମଣା ସୃଷ୍ଟି କରି ପରିଚାଳନା ଏବଂ ନେତୃତ୍ୱ ନେବାରେ ଆହ୍ୱାନ ଚିହ୍ନଟ କରି ଅତ୍ୟାବଶ୍ୟକ ନେତୃତ୍ୱ ଦକ୍ଷତା ବିକାଶ କରିବା ପାଇଁ ସଶକ୍ତ କରିବା।
ସ୍ୱାଗତ ଭାଷଣରେ ଆଇଆଇଏମ୍ ସମ୍ବଲପୁରର ନିର୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ କହିଛନ୍ତି ଯେ, “ମାନ୍ୟତା ଓ ର‌୍ୟାଙ୍କିଙ୍ଗ ମାଧ୍ୟମରେ ଜାତୀୟ ସମୃଦ୍ଧି ଓ ଅନ୍ତର୍ଜାତୀୟ ମାନ୍ୟତା ସୁଦୃଢ଼ ତୃଣମୂଳ ସ୍ତରର ଶିକ୍ଷାରୁ ଆରମ୍ଭ ହୋଇଥାଏ। ଆଇଆଇଏମ୍ ସମ୍ବଲପୁରରେ ଆମେ ବିଶ୍ୱାସ କରୁ ଯେ ଶିକ୍ଷାରେ ନେତୃତ୍ୱ ହେଉଛି ଅଭିନବତା, ଅଖଣ୍ଡତା ଏବଂ ସାମଗ୍ରିକତାକୁ ପ୍ରୋତ୍ସାହିତ କରିବା ଏବଂ ଶାସନକୁ ବଢ଼ାଇବା । ଆମର ଏମଏମଟିଟିପି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଶିକ୍ଷାନୁଷ୍ଠାନଗୁଡ଼ିକୁ ସୁଦୃଢ଼ କରିବା, ମାନବୃଦ୍ଧି କରିବା, ପ୍ରଯୁକ୍ତିବିଦ୍ୟାକୁ ଗ୍ରହଣ କରିବା ଏବଂ ବ୍ୟବସ୍ଥାଗତ ପରିବର୍ତନକୁ ପ୍ରୋତ୍ସାହିତ କରିବା ତଥା ଉଭୟ ଜାତୀୟ ଅଭିବୃଦ୍ଧି ଏବଂ ବିଶ୍ୱସ୍ତରୀୟ ଉତ୍କର୍ଷତାରେ ଯୋଗଦାନ କରିବା ପାଇଁ ଶିକ୍ଷାନେତାମାନଙ୍କୁ ସଶକ୍ତ କରିବା। ଏକ ରାଷ୍ଟ୍ରର ସମୃଦ୍ଧି କେବଳ ତାହାର ପ୍ରତିଭା ଓ ସମ୍ବଳ ଉପରେ ନିର୍ଭର କରେ ନାହିଁ ବରଂ ତା’ର ଶିକ୍ଷାଗତ ଢାଂଚାରେ ବିକଶିତ ନୈତିକ ଓ ସ୍ୱଚ୍ଛ ଶାସନ ନୀତି ଉପରେ ନିର୍ଭର କରେ।’’
ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଏହି ଏମଏମଟିଟିପି ପ୍ରୋଗ୍ରାମ ଏକ ଇଂଟରଆକ୍ଟିଭ୍ ଶିକ୍ଷାଦାନକୁ ନିୟୋଜିତ କରେ ଯେଉଁଥିରେ କେସ୍ ଷ୍ଟଡି ଶିକ୍ଷାଦାନ ପଦ୍ଧତି ଅନ୍ତର୍ଭୁକ୍ତ, ପଠନ, ବକ୍ତୃତା ଏବଂ ସିମୁଲେସନ୍ ସହିତ ଅନ୍ୟାନ୍ୟ ଭାବ ବିନିମୟ ଅଭ୍ୟାସ ସାମିଲ ରହିଛି ଯାହା ଉଭୟ ପାଶ୍ୱର୍୍‌-କାର୍ଯ୍ୟକାରୀ ସମନ୍ୱୟ, ସଂଘର୍ଷ ସମାଧାନ ଏବଂ ସହମତି ସୃଷ୍ଟି କୌଶଳକୁ ବୃଦ୍ଧି କରିବାରେ ସାହାଯ୍ୟ କରିବ। ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଶିକ୍ଷକ ଏବଂ ପ୍ରଶାସକମାନଙ୍କୁ ସେମାନଙ୍କ ଅନୁଷ୍ଠାନ ଏବଂ ସମୁଦାୟ ମଧ୍ୟରେ ପ୍ରଭାବଶାଳୀ ନେତା ହେବାକୁ ସଶକ୍ତ କରିବା ।
ଆଇଆଇଏମ୍ ସମ୍ବଲପୁର ଅଧ୍ୟାପକଙ୍କ ପକ୍ଷରୁ ୫ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ଏକାଧିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଓୟୁଏଟି ବିଶ୍ୱବିଦ୍ୟାଳୟର ପ୍ରଫେସର ଶ୍ୟାମ ସୁନ୍ଦର ପଟ୍ଟନାୟକ ପରିସ୍ଥିତିଗତ ନେତୃତ୍ୱ ଉପରେ ଗୋଟିଏ ଅଧିବେଶନ ନେଇଥିଲେ। କାର୍ଯ୍ୟକ୍ରମକୁ ଏମଏମଟିଟିପିର କାର୍ଯ୍ୟକ୍ରମ ନିର୍ଦ୍ଦେଶକ ପ୍ରଫେସର ରାମକୃଷ୍ଣ ପାଢ଼ୀ ପରିଚୟ ପ୍ରଦାନ କରିଥିବା ବେଳେ ଏମଏମଟିଟିପିର କାର୍ଯ୍ୟକ୍ରମ ନିର୍ଦ୍ଦେଶକ ପ୍ରଫେସର ପୁନମ କୁମାର ଧନ୍ୟବାଦ ଅର୍ପଣ କରିଥିଲେ।