ଭୋଜପୁର ଠାରେ ଏକ ଦିବସୀୟ ଗଜସାଥି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…ହାତୀ କ୍ଷୟ ହେଉଛି ବିନାଶର କାରଣ… ବିଡ଼ିଓ ରବୀନ୍ଦ୍ର ସେଠୀ


ଜମନକିରା : ସମ୍ବଲପୁର ଜିଲ୍ଲା ବାମଣ୍ଡା ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ଜମନକିରା ବନ୍ୟପ୍ରାଣୀ ବାନାଞ୍ଚଳ ଭୋଜପୁର କାର୍ଯ୍ୟାଳୟ ଠାରେ ଏକ ଦିବସୀୟ ଗଜସାଥି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ବାମରା ଡିଏଫଓ ସମୀର କୁମାର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅତିଥି ଭାବେ ଜମନକିରା ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ ଯୋଗଦେଇ ହାତୀ ଓ ମଣିଷ ମଧ୍ୟରେ ଥିବା ବିବାଦ ଏବଂ ଏହାର ନିରାକରଣ ଉପରେ ବକ୍ତବ୍ୟ ରଖି କହିଥିଲେ କି ଏବେ ଏଭଳି ସ୍ଥିତି ଉଦବେଗ ଜନକ ହୋଇ ପଡ଼ିଛି। ହାତୀ ଗୋଟିଏ ଜାତୀୟ ଐତିହ୍ୟ ପ୍ରାଣୀ। ହାତୀ କ୍ଷୟ ହେଲେ ଜଙ୍ଗଲ ନଷ୍ଟ ହେବ। ଜଙ୍ଗଲ ନଷ୍ଟ ହେଲେ ପୃଥିବୀ ଧିରେ ଧିରେ ବିନାଶ ଆଡ଼କୁ ଗତି କରିବ। ହାତୀ ମାନେ ଜଙ୍ଗଲରେ ଖାଦ୍ୟ ନପାଇ ଗ୍ରାମଭିମୁଖି ହେଉଛନ୍ତି। ଖାଦ୍ୟ ଅନ୍ୱେଷଣରେ ଆସି ଲୋକଙ୍କ କ୍ଷତି ପହଞ୍ଚାଉଛନ୍ତି। ତେଣୁ ହାତୀଙ୍କ ଖାଇବା ଯୋଗ୍ୟ ବୃକ୍ଷ ରୋପଣ କରାଗଲେ ଏସବୁ ସମସ୍ୟା ରୁ କିଛିଟା ଲାଭ ମିଳିବ ବୋଲି କହିଥିଲେ। ସେହିପରି ଡିଏଫଓ ତାଙ୍କ ବକ୍ତବ୍ୟ ମାଧ୍ୟମରେ ହାତୀ ଓ ମଣିଷର ବିବାଦ କୁ ନେଇ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ସେ ହାତୀ ଗୋଟିଏ ଏଭଳି ଯିବ ଯିଏ କି ଅତି ଚାଲାକ୍, ବିଜ୍ଞ ଓ ଭଦ୍ର ସ୍ୱଭାବର ପ୍ରାଣୀ। ତା ଦ୍ଵାରା ଜଙ୍ଗଲ ବୃଦ୍ଧି ପାଏ। ଜଙ୍ଗଲରେ ଏକ ମାତ୍ର ଜୀବ ରହିଛି ଯିଏ କି ପ୍ରକୃତି କୁ ଭାରସାମ୍ୟ ରଖିଥାଏ। ଆଦିମ କାଳରୁ ହାତୀ ଜଙ୍ଗଲ ବୃଦ୍ଧିରେ ବିରାଟ ଭୂମିକା ଗ୍ରହଣ କରିଥାଏ। ମାତ୍ର ଜନ ସଂଖ୍ୟା ବୃଦ୍ଧି ଏବଂ ଜନ ବସତି ଯୋଗୁଁ ଧିରେ ଧୀରେ ଜଙ୍ଗଲ ନଷ୍ଟ ହେବା ସହ ସ୍ଥାନ ମଧ୍ୟ ମଣିଷ ଅକ୍ତିଆର କରିବାରେ ଲାଗିଛି। ଯଦ୍ୱାରା ହାତୀ ଜନ ବସତି ଆଡ଼କୁ ମୁହାଉଛି। ଏହାକୁ ସମନ୍ୱୟ ରଖି ଆମେ ସମସ୍ତେ ଏହାର ମୁକାବିଲା ଓ ସମାଧାନ କରିବାକୁ ପଡିବ। ଆମର ପ୍ରଗତି ବଢିବା ପାଇଁ ଆମ୍ଭେ ମାନେ ପ୍ରକୃତି କୁ ନଷ୍ଟ କରିବା ଉଚିତ ନୁହେଁ। ହାତୀ ଜଙ୍ଗଲରେ ଭାରସାମ୍ୟ ରକ୍ଷା କରେ। ହାତୀ ରହିଲେ ଜଙ୍ଗଲ ରହିବ। ଜଙ୍ଗଲ ରହିଲେ ଆମ୍ଭେମାନେ ସୁଖରେ ରହିବା ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ। ସମ୍ମାନୀୟ ଅତିଥି ଭାବେ ପ୍ରକୃତି ବନ୍ଧୁ ଡା: ହୃଦାନନ୍ଦ ନାୟକ, ଜମନକିରା ରେଞ୍ଜର ଲକ୍ଷ୍ମୀ ନାରାୟଣ ନାଏକ, କୁଚିଣ୍ଡା ରେଞ୍ଜର ଲେଖାରାଣି ମହାନନ୍ଦ, ବାମରା ରେଞ୍ଜର ଦୀପକ ମହାନନ୍ଦ, ବିଦ୍ୟୁତ ବିଭାଗ ଅଧିକାରୀ ବ୍ରହ୍ମାନନ୍ଦ ସାହୁ, ପ୍ରାଣୀ ଚିକିତ୍ସକ ଭୁବନେଶ୍ୱର ସାହୁ, କୁଚିଣ୍ଡା ଏଏସଆଇ ହାଡ଼ୁ ବେହେରା, ଜମନକିରା ଏଏସଆଇ ନିରଞ୍ଜନ ପ୍ରଧାନ ପ୍ରମୁଖ ଯୋଗଦେଇ ବିଭାଗ ପକ୍ଷରୁ ଯାହା କିଛି ଆବଶ୍ୟକ ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କାର୍ଯ୍ୟକ୍ରମ କୁ ଏସିଏଫ୍ ଆଲୋକ କୁମାର ଷଡଙ୍ଗୀ ପରିଚାଳନା କରିଥିବା ବେଳେ ଲକ୍ଷ୍ମୀଧର ବିନ୍ଧାଣି ସହଯୋଗ କରିଥିଲେ। ଶେଷରେ ଉପସ୍ଥିତ ଗଜସାଥି, ବନ ବିଭାଗ ଫରେଷ୍ଟର, ଫରେଷ୍ଟ ଗାର୍ଡ, ବିଟ ଗାର୍ଡ, ଅଧିକାରୀ, କର୍ମଚାରୀ, ସରପଞ୍ଚ, ବିଭିନ୍ନ ବନ ସୁରକ୍ଷା ସମିତି ରୁ ଆସିଥିବା ସଭ୍ୟ ସଭ୍ୟା, ସଚେତନ ନାଗରିକ ଙ୍କୁ ନେଇ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉତ୍ତର ମାଧ୍ୟମରେ କିଭଳି ସମସ୍ୟାର ସମାଧାନ କରାଯିବ ସେ ନେଇ ବିଭିନ୍ନ ବିଭାଗ ର ଅଧିକାରୀ ବୃନ୍ଦ ଦେଇଥିଲେ। ଶେଷରେ ରେଞ୍ଜର ଶ୍ରୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

ଗଜପତି ଜିଲ୍ଲାରେ ଆନ୍ଧ୍ର ଅଧିକାରୀମାନଙ୍କ ବେଆଇନ ପ୍ରବେଶକୁ ପ୍ରଶୟ ଦିଆଯିବ ନାହିଁ…. ଗଜପତି ଜିଲ୍ଲାପାଳ ପାରଳାଖେମୁଣ୍ଡି,୧୯/୭(ଗରୁଡ ଧ୍ୱଜ ଚୌଧୁରୀ) ଓଡ଼ିଶା ସୀମାରେ ଆନ୍ଧ୍ର ଅଧିକାରୀଙ୍କ ଅନୁପ୍ରବେଶ କରି ଓଡ଼ିଶାର 3 ଗୋଟି ଗାଁକୁ ଆନ୍ଧ୍ରର ବୋଲି ଦାବି କରିବା ବ୍ୟର୍ଥ ଉଦ୍ୟମକୁ କେବେ ବି ସଫଳ କରି ଦିଆଯିବନାହିଁ. ଓଡିଶା ତଥା ଗଜପତି ଜିଲ୍ଲାର ପରିସୀମା ମଧରେ ଆନ୍ଧ୍ର ଅଧିକାରୀଙ୍କ ବେଆଇନ ପ୍ରବେଶ ଓ ବିଭିନ୍ନ ମିଥ୍ୟା ଓ ବିଭ୍ରାନ୍ତିକର ମନ୍ତବ୍ୟକୁ କେବେ ବି ପ୍ରଶୟ ଦିଆ ଯିବନାହିଁ ବୋଲି ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ ଦୃଢତାର ସହ ପ୍ରକାଶ କରିଛନ୍ତି.ଏହି ଘଟଣା ନେଇ ଗଜପତି ଜିଲ୍ଲା ପ୍ରଶାସନ ସମ୍ପୂର୍ଣ ଆକସନ୍ ମୁଡ୍‌ରେ ରହିଥ‌ିବା ଜଣାପଡ଼ିଛି। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଧୀନ ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା, ଆମରିଙ୍ଗି ଓ ବୁରୁସିଂ ଆଦି 3 ଗୋଟି ଗ୍ରାମକୁ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ ଓ ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର ପଣ୍ଡା ପହଞ୍ଚି ଲୋକଙ୍କ ସହ ସାକ୍ଷାତ କରି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଆନ୍ଧ୍ରର କୌଣସି ଅଧିକାରୀ ଆସିଲେ ଡରିବାର ନାହିଁ. ତୁରନ୍ତ ପ୍ରଶାସନକୁ ଜଣାଇବାକୁ ଜିଲ୍ଲାପାଳ ଗ୍ରାମବାସୀଙ୍କୁ କହିଛନ୍ତି. ଓଡ଼ିଶା ଜାଗା ଛାଡିବୁନି କି ଆନ୍ଧ୍ର ଜାଗା ମାଡ଼ିବୁ ନାହିଁ ବୋଲି ଜିଲ୍ଲାପାଳ ବିଜୟ କୁମାର ଦାସ ଗ୍ରାମବାସୀମାନଙ୍କୁ ଦୃଢତାର ସହ ପ୍ରକାଶ କରିଛନ୍ତି। ଏଥିସହ ମାଣିକପାଟଣାରେ ତିଆରି ହୋଇଥିବା ଆନ୍ଧ୍ରର ଅଙ୍ଗନବାଡ଼ି କେନ୍ଦ୍ରକୁ ବୁଲି ଦେଖୁବା ସହ ଉକ୍ତ କେନ୍ଦ୍ରର ସୀମା ଚିହ୍ନଟ ପାଇଁ ରାୟଗଡ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୀମାକୁ ନେଇ କୌଣସି ବିବାଦ ନାହିଁ ଉନ୍ନୟନ କାର୍ଯ୍ୟ ହୋଇଥିବା ଅଞ୍ଚଳ ଓଡ଼ିଶାର, ଓଡ଼ିଶା ସୀମା ଭିତରେ ହିଁ ରହିଛି. ଗତ କିଛି ଦିନ ତଳେ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଏହି ଅଞ୍ଚଳ ଗସ୍ତ କରି ସମସ୍ତ ଅନୁଧ୍ୟାନ କରିବା ପରେ ଯେଉଁ ରିପୋର୍ଟ ପ୍ରଦାନ କରିଛନ୍ତି ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାପାଳଙ୍କୁ ଚିଠି ଲେଖୁ ଜଣାଇ ଦିଆଯାଇଛି। ଏହି ଗସ୍ତ ସମୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ, ସିଡିପିଓ ବି. କାମଳାଙ୍ଗୀ, ଏସ୍‌ ଡିପିଓ ମାଧବାନନ୍ଦ ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ମାୟାଧର ସାହୁ, ଗାରାବନ୍ଧ ଥାନା ଅଧିକାରୀ ପ୍ରଶାନ୍ତ ନିଶିକା ପ୍ରମୁଖଙ୍କ ସହ କେତେଜଣ ପ୍ରଶାସନିକ ଅଧିକାରୀ ଏହି 3 ଗୋଟି ଗ୍ରାମକୁ ଉପଜିଲ୍ଲାପାଳଙ୍କ ସହ ଗସ୍ତ କରି ସମସ୍ତ ଅନୁଧ୍ୟାନ କରିଥିଲେ। ମୋଟାମୋଟି ଭାବେ ଏହି ସମସ୍ତ ଅଞ୍ଚଳ କେବଳ ଓଡିଶାର ଏବଂ ଗଜପତି ଜିଲ୍ଲା ଅଧୀନରେ ରହିଥିବା ସ୍ପଷ୍ଟ ହୋଇଯାଇଛି. ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ଆହୁରି ଅନେକ ବିକାଶମୂଳକ ଜନ ହିତକର କାର୍ଯ୍ୟ କରାଯିବ. ତେଣୁ ଅଞ୍ଚଳବାସୀ ଆନ୍ଧ୍ରର କେତେକ ଅଧିକାରୀଙ୍କ ବିଭ୍ରାନ୍ତିମୂଳକ ଓ ଭୁଲ ତଥ୍ୟକୁ କୌଣସି ଭାବେ ଗୁରୁତ୍ୱ ନ ଦେଇ ଓଡିଶା ପ୍ରଶାସନର ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ନିଜ ନିଜକୁ ସାମିଲ କରି ଏହି ଅଞ୍ଚଳର ଉନ୍ନତି ଓ ବିକାଶ ପାଇଁ ସହଯୋଗ କରନ୍ତୁ ବୋଲି ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ ସମ୍ପୃକ୍ତ ଅଞ୍ଚଳବାସୀଙ୍କୁ ନିବେଦନ କରିଛନ୍ତି.