ସହଦେବଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଓ ପତ୍ନୀଙ୍କୁ ଚାକିରି


ଭୁବନେଶ୍ବର: ଭୁବନେଶ୍ୱର ସଫେଇ ମଜଦୁର ସଂଘ ସମ୍ପାଦକ ସହଦେବ ନାୟକ ହତ୍ୟାକାଣ୍ଡକୁ ନେଇ ରାଜନୀତି ଜୋର ଧରିଛି । ଏହାରି ଭିତରେ ସହଦେବଙ୍କ ପରିବାର ପାଇଁ ସହାୟତା ଘୋଷଣା କରିଛି ବିଏମସି । ହତ୍ୟାକାଣ୍ଡର ଶିକାର ସହଦେବଙ୍କ ପତ୍ନୀଙ୍କୁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ସହ ସୁପରଭାଇଜର ଚାକିରି ଦିଆଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି । ସହଦେବ ଯେଉଁ ସଫେଇ ଏଜେନ୍ସୀରେ କାର୍ଯ୍ୟ କରୁଥିଲେ ସେହି ଏଜେନ୍ସିରେ ତାଙ୍କ ପତ୍ନୀଙ୍କୁ ନିଯୁକ୍ତି ମିଳିବ ।

ବିଏମସି ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ତଥା ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୁପକାରଙ୍କ ଉପସ୍ଥିତିରେ ଅନୁଷ୍ଠିତ ସ୍ୱତନ୍ତ୍ର ବୈଠକରେ ଆଲୋଚନା ପରେ ସହଦେବଙ୍କ ପରିବାରକୁ ଏହି ଅନୁକମ୍ପାମୂଳକ ସହାୟତା ଦେବାକୁ ନିଷ୍ପତ୍ତି ନିଆଯାଇଛି ।

ସୂଚନାଯୋଗ୍ୟ, ବୁଧବାର ସକାଳେ ସହଦେବଙ୍କୁ ହତ୍ୟା କରାଯିବା ପରେ ସଫେଇ କର୍ମଚାରୀମାନେ ବିଏମସି ଅଫିସ ଘେରାଉ କରିବା ସହ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ । ସହଦେବଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଓ ୪ ଦଫା ଦାବିରେ ଆନ୍ଦୋଳନ କରିଥିଲେ ସଫେଇ କର୍ମଚାରୀ । ଗତକାଲି ମେୟର ଆନ୍ଦୋଳନକାରୀ କର୍ମଚାରୀଙ୍କ ସହ ଆଲୋଚନା କରିବା ପରେ ଦୁଇଦିନ ଧରି ଚାଲିଥିବା ଆନ୍ଦୋଳନ ସମାପ୍ତ ହୋଇଥିଲା । ସଫେଇ କର୍ମଚାରୀମାନେ ଏହି ହତ୍ୟାକାଣ୍ଡ ପଛରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ କଠୋର ଦଣ୍ଡ, ସହଦେବଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର କ୍ଷତିପୂରଣ, ତାଙ୍କ ପତ୍ନୀଙ୍କୁ ଚାକିରି ଦେବାକୁ ଦାବି କରିଥିଲେ । ଅନ୍ୟପକ୍ଷରେ ସରକାରଙ୍କ ବିନା ଅନୁମତିରେ ବିଏମସି ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଦେବାକୁ କିଭଳି ନିଷ୍ପତ୍ତି ନେଲା ତାକୁ ନେଇ ନୂଆ ବିବାଦ ସୃଷ୍ଟି ହେବାର ଆଶଙ୍କା ରହିଛି ।