ଶ୍ରୀମନ୍ଦିର କର୍ମଚାରୀ ସମ୍ପତ୍ତି ତାଲିକା ନଦେଲେ ପ୍ରମୋସନ ବନ୍ଦ


ପୁରୀ: ଶ୍ରୀମନ୍ଦିର ପ୍ରଶାସନ ହେଲା କଠୋର । ଶ୍ରୀମନ୍ଦିରରେ କାମ କରୁଥିବା ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କ ପାଇଁ ୫ ସୂତ୍ରୀ କାର୍ଯ୍ୟାବଳି ଘୋଷଣା କରିଛନ୍ତି ମୁଖ୍ୟ ପ୍ରଶାସକ । ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟ ସମୀକ୍ଷା ପରେ ଏହି ଘୋଷଣା କରିଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।

ସେ କହିଛନ୍ତି, ଡ୍ୟୁଟି ସମୟରେ ଶ୍ରୀମନ୍ଦିର ପ୍ରଶାସନରେ କୌଣସି ଅଧିକାରୀ ତଥା କର୍ମଚାରୀ ପାନ, ଗୁଟଖା କିମ୍ବା କୌଣସି ମାଦକ ଦ୍ରବ୍ୟ ସେବନ କରିବେ ନାହିଁ । ପ୍ରତ୍ୟେକ ମାସ ତୃତୀୟ ଶୁକ୍ରବାରରେ ବରିଷ୍ଠ ଅଧିକାରୀଙ୍କ ସ୍ତରରେ କାର୍ୟ୍ୟ ସମୀକ୍ଷା କରାଯିବ । ସମସ୍ତ ଅଧିକାରୀ ତଥା କର୍ମଚାରୀମାନେ ଜାନୁଆରୀ ୩୧ ତାରିଖ ସୁଦ୍ଧା ୨୦୨୪ ବର୍ଷ ପାଇଁ ବାଧ୍ୟତାମୂଳକ ଭାବେ ନିଜ ସମ୍ପତ୍ତି ତାଲିକା ଦାଖଲ କରିବେ । ଏହା ଦାଖଲ ନକଲେ କୌଣସି ଇନକ୍ରିମେଣ୍ଟ, ପଦୋନ୍ନତି, ପୁରସ୍କାର କିମ୍ବା କୌଣସି ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ନାହିଁ ।

ପ୍ରତ୍ୟେକ ଶୁକ୍ରବାର ସମସ୍ତ ଅଧିକାରୀ ତଥା କର୍ମଚାରୀ ହସ୍ତତନ୍ତ ଲୁଗା ପିନ୍ଧି କାର୍ଯ୍ୟାଳୟକୁ ଆସିବେ । ୟୁନିଫର୍ମ ପୋଷାକଧାରୀଙ୍କ ସକାଶେ ଏହା ଲାଗୁ ହେବ ନାହିଁ । ଶ୍ରୀମନ୍ଦିର ମଧ୍ୟରେ ଅଧିକାରୀ ତଥା କର୍ମଚାରୀଙ୍କ ମୋବାଇଲ୍ ବ୍ୟବହାର ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ମନ୍ଦିର ପ୍ରଶାସନକୁ ଅଧିକ କ୍ରିୟାଶୀଳ କରିବାକୁ ପରାମର୍ଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।