ଭୁବନେଶ୍ବର: ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ଏଭରଗ୍ରୀନ୍ ଯୋଡି ଉତ୍ତମ ଏବଂ ଅପରାଜିତା । ରିଲ୍ ଦୁନିଆରେ ଏହି ଯୋଡି ଯେତିକି ହିଟ୍, ରିଅଲ୍ ଦୁନିଆରେ ମଧ୍ୟ ସେତିକି । ଫିଲ୍ମ କ୍ୟାରିୟରର ସବୁଠାରୁ ଉଚ୍ଚ ସ୍ତରରେ ଯେତେବେଳେ ଉଭୟ ଥିଲେ ସେତେବେଳେ ଅପରାଜିତାଙ୍କ ପ୍ରେମରେ ପଡ଼ିଥିଲେ ଉତ୍ତମ ମହାନ୍ତି । ଶୁଣିବାକୁ ମିଳେ, ଅପରାଜିତାଙ୍କୁ ରାଜି କରିବାକୁ ସେତେବେଳର ଓଲିଉଡ୍ ଷ୍ଟାର ଉତ୍ତମ ମହାନ୍ତିଙ୍କୁ ଲାଗି ଯାଇଥିଲା ୫ ବର୍ଷ ।
ଉତ୍ତମ-ଅପରାଜିତାଙ୍କ ଏହି ଯୋଡି ଓଡିଆ ସିନେ ଜଗତର ଅନ୍ୟତମ ଲୋକପ୍ରିୟ ଯୋଡି ଭାବେ ବେଶ ଜଣାଶୁଣା । କୁହାଯାଏ, ଅଶାନ୍ତ ଗ୍ରହ ଫିଲ୍ମର ଯେତେବେଳେ ସୁଟିଂ ଚାଲିଥିଲା, ସେତେବେଳେ ଉତ୍ତମଙ୍କ ସହ ଅପରାଜିତାଙ୍କ ପ୍ରଥମ ଦେଖା ହୁଏ । ଆଉ ତା’ପରେ ପରେ କିଛି ଫିଲ୍ମରେ ଏକାଠି ଅଭିନୟ କରିବା ପରେ, ସେତେବେଳେ ଅପରାଜିତାଙ୍କ ପ୍ରେମରେ ପଡିଯାଆନ୍ତି ଉତ୍ତମ ମହାନ୍ତି । ତେବେ ଅପରାଜିତାଙ୍କୁ ବିବାହ ପାଇଁ ରାଜି କରିବାକୁ ଉତ୍ତମଙ୍କୁ ପ୍ରାୟ ୫ ବର୍ଷ ଲାଗିଯାଇଥିଲା । ତେବେ ଉତ୍ତମ କେବେ ବି ଅପରାଜିତାଙ୍କୁ ପ୍ରେମ ନିବେଦନ କରି ନଥିଲେ, ବରଂ ସିଧାସଳଖ ବିବାହ ପ୍ରସ୍ତାବ ଦେଇଥିଲେ ।
ଉତ୍ତମଙ୍କ ଏହି ପ୍ରେମ ନିବେଦନ ପରେ, ଶେଷରେ ରାଜି ହେଇଥିଲେ ଅପରାଜିତା । ଆଉ ୧୯୮୭ ମସିହା ମେ ମାସ ୧୭ ତାରିଖରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେଇଥିଲେ । ଭୁବନେଶ୍ୱରର ମ୍ୟୁନିସିପାଲଟି ଅତିଥି ଭବନରେ ଏହି ବିବାହ ହେଇଥିଲା । ଆଉ ବିବାହର ୨ ବର୍ଷ ପରେ, ଅର୍ଥାତ ୧୯୮୯ ମସିହାରେ ଉତ୍ତମ ଆଉ ଅପରାଜିତାଙ୍କ କୋଳକୁ ଆସିଥିଲେ, ବର୍ତ୍ତମାନର ଓଲିଉଡ୍ ସୁପରଷ୍ଟାର ବାବୁସାନ୍ ମହାନ୍ତି ।
ତେବେ ଏକଦା ଫିଲ୍ମ ଅଭିନେତା ହେବା ପାଇଁ କୌଣସି ବି ଯୋଜନା କରି ନଥିବା ଉତ୍ତମ, ସମୟର ଚକ୍ରରେ ବନିଯାଇଥିଲେ ଓଲିଉଡ଼ର ସୁପରଷ୍ଟାର । ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ତାଙ୍କୁ ଯେତିକି ଲୋକପ୍ରିୟ କରିଥିଲା, ସେତିକି ଘରେ ଘରେ ମଧ୍ୟ ପରିଚିତ କରିଥିଲା । ଆଜି ତାଙ୍କ ଅବର୍ତ୍ତମାନରେ ସାରା ଓଡ଼ିଶା ଆଖିରୁ ଲୁହ ଝରୁଛି ।