ଭୁବନେଶ୍ବର: ନିର୍ବାଚନ ସମୟରେ ବିଜେପି ୩ ଶହ ୟୁନିଟ ମାଗଣା ବିଦ୍ୟୁତ୍ ପ୍ରତିଶ୍ରୁତି ଦେଇ ଭୋଟ ହାତେଇ ଓଡ଼ିଶାରେ ସରକାର ଗଢ଼ିଛି । ମାଗଣା କଥା ଛାଡ଼ନ୍ତୁ, ଆଉ ଏବେ ସରକାର କମ୍ପାନୀଙ୍କ ଚାପରେ ବିଦ୍ୟୁତ୍ ଦର ବଢ଼ାଇବାକୁ ଯାଉଛନ୍ତି । ଏହାସହ ସ୍ମାର୍ଟ ମିଟର ଲଗାଇବାକୁ ନେଇ ବି ସରକାର ହରଡ଼ଘଣାରେ ପଡ଼ିଛନ୍ତି । କାରଣ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ସ୍ମାର୍ଟ ମିଟରକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି । କଥା ସେତିକିରେ ସରିନି ବିଦ୍ୟୁତ ଦଳ ବୃଦ୍ଧି, ସ୍ମାର୍ଟ ମିଟର ଓ ମାଗଣା ୩ ଶହ ୟୁନିଟ ବିଦ୍ୟୁତକୁ ନେଇ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ମହାସଙ୍ଘ ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହେଲାଣି । ଯାହା ରାଜ୍ୟ ବିଜେପି ସରକାରଙ୍କ ଅକଲ ଗୁଡମ୍ କରିଦେଇଛି ।
ମିଳିଥିବା ସୂଚନା ଅନୁସାରେ, ବିଦ୍ୟୁତ ଶୁଳ୍କ ବୃଦ୍ଧି ସହ ଅନ୍ୟ ସମସ୍ୟାକୁ ନେଇ ଆନ୍ଦୋଳନକୁ ଓହ୍ଲାଇବାକୁ ଓଡିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ ଚେତାବନୀ ଦେଇଛି l ଓଡିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘର ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ଯଦି ସରକାର ଦାବି ପୂରଣ ନକରନ୍ତି ତେବେ ଓଡିଶାର ସମସ୍ତ ବିଦ୍ୟୁତ ଉପଭୋକ୍ତା ଆସନ୍ତା ୨୧ ତାରିଖ ଦିନ ବିଧାନସଭା ସମ୍ମୁଖରେ ପ୍ରତିବାଦ କରିବା ସହ ଗଣଧାରଣା ଦେବ ବୋଲି ସଙ୍ଘ ଚେତାବନୀ ଦେଇଛି । ମହାସଂଘର ଅଧ୍ୟକ୍ଷ ପଞ୍ଚାନନ କାନୁନଗୋଙ୍କ ଅଧକ୍ଷତାରେ ଆୟୋଜିତ ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମଧ୍ୟ ସାମିଲ ହୋଇଥିଲେ ।