ଭୁବନେଶ୍ବର: ପୁଣି ଖୋଲିବାକୁ ଯାଉଛି ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା । ଆଜି କ୍ରାଇମବ୍ରାଞ୍ଚ ନିକଟରେ ହାଜର ହୋଇପାରନ୍ତି ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ ଏବଂ ପୁଅ ବିଶାଳ ଦାସ । ଏଥିପାଇଁ ଉଭୟଙ୍କୁ କ୍ରାଇମବ୍ରାଞ୍ଚ ପୂର୍ବରୁ ନୋଟିସ୍ କରିଥିଲା । ଏହି ଅବସରରେ ମାମଲାକୁ ନେଇ କିଛି ଆପତ୍ତି ଅଭିଯୋଗ ଥିଲେ ଭାଇ, ଭଉଣୀ ଜଣାଇ ପାରିବେ ।
ଆଶା କରାଯାଉଛି ଉଭୟଙ୍କ ବୟାନ ମାମଲାକୁ ନୂଆ ମୋଡ଼ ଦେଇପାରେ । ଏବେ ବି ନବ ଦାସ ହତ୍ୟା ମାମଲାର ତଦନ୍ତ ଖୋଲା ରହିଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର । ପୂର୍ବରୁ ସିବିଆଇ ତଦନ୍ତ ଦାବି ଉଠାଇଥିଲେ ଦୀପାଳି । ଏଥିପାଇଁ ଲିଖିତ ଭାବେ ଜଣାଇବାକୁ ରାଜ୍ୟ ସରକାରଙ୍କ ତରଫରୁ କୁହାଯିବା ପରେ ପରିବାର ସହ ଆଲୋଚନା କରି ଲିଖିତ ଅଭିଯୋଗ ନେଇ ନିଷ୍ପତ୍ତି ନେବୁ ବୋଲି ଦୀପାଳି କହିଥିଲେ ।
ସୂଚନାଯୋଗ୍ୟ, ୨୦୨୩ ଜାନୁଆରୀ ୨୯ ତାରିଖରେ ଝାରସୁଗୁଡ଼ଶ ଜିଲ୍ଲା ବ୍ରଜରାଜନଗର ଗାନ୍ଧିଛକରେ ନବ ଦାସଙ୍କୁ ଗୁଳି ମାଡ ହୋଇଥିଲା । ପ୍ରଥମେ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଏୟାର ଲିଫ୍ଟ କରି ଭୁବନେଶ୍ୱର ଆଣି ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଝାରସୁଗୁଡାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ବିଜେପି ନେତା ଜୟନାରାୟଣ ମିଶ୍ର ଅଭିଯୋଗ କରିଥିଲେ ।
ନବ ଦାସ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବ୍ରଜରାଜନଗର ଯାଇଥିଲେ । କାର୍ଯ୍ୟକ୍ରମ ସ୍ଥଳ ନିକଟରେ ସେ ଗାଡ଼ିରୁ ଓହ୍ଲାଇବା ମାତ୍ରେ ତାଙ୍କ ଉପରକୁ ଗୁଳି ମାଡ଼ ହୋଇଥିଲା । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । ବ୍ରଜରାଜନଗରର ଗାନ୍ଧି ଛକ ପୋଲିସ ଆଉଟପୋଷ୍ଟରେ ଏଏସ୍ଆଇ ଗୋପାଳ ଦାସ ତାଙ୍କ ଉପରକୁ ଗୁଳି କରିଥିଲା । ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡର ଏକମାତ୍ର ଅଭିଯୁକ୍ତ ଗୋପାଳ ଏବେ ଜେଲରେ ଅଛି ଓ ମାମଲା ନ୍ୟାୟାଳୟରେ ବିଚାର ଚାଲିଛି ।