ଆଜି ଦୋଳ ପୂର୍ଣ୍ଣିମା


ଭୁବନେଶ୍ୱର: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ହିନ୍ଦୁ ପଞ୍ଚାଙ୍ଗରେ ଏହି ଦିନର ଅନେକ ମହତ୍ୱ ରହିଛି। ଶ୍ରୀମନ୍ଦିରରେ ଦୋଳ ଉତ୍ସବ ପାରମ୍ପରିକ ଭାବରେ ପାଳନ କରାଯାଇଥାଏ । ଏହି ଦିନ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ମଣି ବିମାନରେ ଦୋଳବେଦୀକୁ ବିଜେ କରିବା ସହ ଭକ୍ତଙ୍କ ସହିତ ଫଗୁ ଓ ଅବିର ଖେଳିଥାନ୍ତି।

ଏହି ଦିନ ଖାସ ହୋଇଥିବାରୁ ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଅନୁଷ୍ଠିତ ହେବ ସୁନାବେଶ l ଦୋଳପୂର୍ଣ୍ଣିମା ପାଇଁ ରାତ୍ର ୩ ରୁ ଦ୍ୱାରଫିଟା ନୀତି ଅନୁଷ୍ଠିତ ହୋଇଛି। ସୂଚନା ଅନୁଯାୟୀ, ଫାଲଗୁନ ଶୁକ୍ଳ ଦଶମୀ ତିଥିଠାରୁ ଦୋଳଯାତ୍ରା ସାଧାରଣତଃ ଆରମ୍ଭ ହୋଇଥାଏ । ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ରାଧା ଓ କୃଷ୍ଣଙ୍କ ନିକଟରେ ଏହି ଦିନଠାରୁ ଅବିର ଅର୍ପଣ କରାଯାଇଥାଏ । ଦୋଳିରେ ଝୁଲୁଥିବା ଗୋବିନ୍ଦଙ୍କୁ ଦର୍ଶନ କଲେ ମନୁଷ୍ୟ ମୋକ୍ଷ ପ୍ରାପ୍ତି କରିଥାଏ ବୋଲି ଧାର୍ମିକ ବିଶ୍ୱାସ ରହିଛି।