ଝିଅ ଘର ନିକଟରେ ଚାଲିଗଲା ମାଆ, ବାପା ଓ ପୁଅର ଜୀବନ


କେନ୍ଦୁଝର: ଭଉଣୀ ସହ ରଙ୍ଗ ଖେଳିବାକୁ ମାଆ, ବାପାଙ୍କ ସହ ତାଙ୍କ ଘରକୁ ଯାଉଥିଲା ଭାଇ । ହେଲେ ଦଇବ ଜୀବନ ରେଖାରେ ଟାଣି ସାରିଥିଲା ନାଲି ଗାର । ରଙ୍ଗର ପର୍ବ ହୋଲିରେ ସକାଳୁ ସକାଳୁ ଟ୍ରକ ଧକ୍କାରେ ଚାଲିଗଲା ତିନି ଜଣଙ୍କ ଜୀବନ । ଏମିତି ଦୁଃଖଦ ଘଟଣା ଘଟିଛି, କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ଏନଏଚ୍ ୨୦ ଦୋଳିତା ଛକ ନିକଟରେ । ମୃତକ ହେଲେ ସାନନଈ ଗାଁର ବାପା ଐବନ ପ୍ରଧାନ, ମାଆ ମଥାମଣି ପ୍ରଧାନ ଓ ପୁଅ ମଙ୍ଗଲ ପ୍ରଧାନ ।

ଆଜି ସକାଳେ ବାପାମାଆ ଓ ପୁଅ ଏକ ବାଇକରେ ଝିଅ ଘରକୁ ବାହାରି ଥିଲେ । ଝିଅ ଘରେ ପହଞ୍ଚିଲେ ସମସ୍ତେ ହୋଲି ଖେଳିବେ । ଏଥିପାଇଁ ସମସ୍ତେ ମନରେ ଥିଲା ଖୁସି । ହେଲେ ସେମାନଙ୍କ ଖୁସି ବେଶୀ ସମୟ ରହି ନଥିଲା । ଯେପରି ସେହି ଖୁସିରେ କାହାର ନଜର ଲାଗି ଯାଇଥିଲା ।

ଭଉଣୀ ଘର ନିକଟରେ ପହଞ୍ଚି ସାରିଥିବା ବେଳେ ଏକ ଟ୍ରକ୍ ସେମାନଙ୍କ ବାଇକକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଐବନଙ୍କ ମୃତ୍ୟୁ ଘଟିଥିବା ବେଳେ ମେଡିକାଲରେ ମଥାମଣି ଏବଂ ତାଙ୍କ ପୁଅଙ୍କ ମୃତ୍ୟୁ ଘଟିଥିଲା ।

ଦୁର୍ଘଟଣାପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଦୋଳିତା ଛକରେ ଟାୟାର ଜାଳି ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି । ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଛି । ୩ ଜଣଙ୍କ ମୃତ୍ୟୁଙ୍କ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

ଗଜପତି ଜିଲ୍ଲାରେ କଂଗ୍ରେସର ବନ୍ଦ ପାଳନ ସଫଳ ହୋଇଛି ପାରଳାଖେମୁଣ୍ଡି:୧୭/୭(ଗରୁଡ ଧ୍ଵଜ ଚୌଧୁରୀ): ସମଗ୍ର ଗଜପତି ଜିଲ୍ଲାରେ କଂଗ୍ରେସର ବନ୍ଦ ପାଳନ ଡାକରାକୁ ମିଳିଛି ଜନସମର୍ଥନ. ଗଜପତି ଜିଲ୍ଲାର ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲ୍ଲା ର ମୋଟ 7 ଗୋଟି ବ୍ଲକ ଯଥା ମୋହନା, ଆର. ଉଦୟଗିରି, ନୂଆଗଡ, ରାୟଗଡ, ଗୋଷଣୀ ଓ କାଶୀନଗର ଏନଏସି ଓ ବ୍ଲକ ଅଞ୍ଚଳରେ ସଫଳ ହୋଇଛି ବନ୍ଦ ପାଳନା। ସାରା ଜିଲ୍ଲାରେ ବନ୍ଦ ପାଳନ ଯୋଗୁଁ ଜୀବନ ଯାତ୍ରା ସମ୍ପୂର୍ଣ ବ୍ୟାହତ ହୋଇଛି। ଚକ ଅଖ ବନ୍ଦ ଥିବା ବେଳେ ସମସ୍ତ ସ୍କୁଲ କଲେଜ ସରକାରୀ ବେସରକାରୀ ଅନୁଷ୍ଠାନ ଦୋକାନ ବଜାର, ସରକାରୀ ଅଫିସ ଓ ବ୍ୟାଙ୍କ ଆଦି ସବୁ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପାଉଥିବା ବେଳେ ନାରୀକୁ ସୁରକ୍ଷା ଦେବାରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଗଜପତି ଜିଲ୍ଲା କଂଗ୍ରେସ କମିଟିର ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗ ପ୍ରକାଶ କରି କହିଛନ୍ତିଯେ, ବାଲେଶ୍ବର ଫକୀରମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ସୁରକ୍ଷା ଦେଇ ପାରି ନାହାଁନ୍ତି ସରକାର। ତାଙ୍କ ଅସ୍ଵାଭାବିକ ମୃତ୍ୟୁ ପଛରେ ଥିବା ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା ସହ ପିଡିତାଙ୍କ ପରିବାରକୁ ୫ କୋଟି ସହାୟତା ପ୍ରଦାନ ଦାବି କରିଛନ୍ତି. ଏହି ବନ୍ଦ ପାଳନରେ ଗଜପତି ଜିଲ୍ଲା ସିପିଏମ ଦଳର ଦଣ୍ଡ ପାଣି ରଇତ, ସିପିଆଇର ଶ୍ରୀନିବାସ ବେହେରାଙ୍କ ସମେତ ବହୁ ବାମପନ୍ଥି ସଦସ୍ୟ ଯୋଗ ଦେଇ ବନ୍ଦ ପାଳନକୁ ସମ୍ପୂର୍ଣ ସଫଳ କରିଥିଲେ. କଂଗ୍ରେସ ନେତ୍ରୀ ଜସ୍ମିନ ଶେଖଙ୍କ ସମେତ ବହୁ ନେତା କର୍ମୀ ପାରଳାଖେମୁଣ୍ଡି ଠାରେ ବନ୍ଦ ପାଳନରେ ସାମିଲ ହୋଇଥିଲେ. ବିଜେପି ସରକାରଙ୍କ ବିଫଳତାକୁ ନେଇ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଫଟୋଚିତ୍ରକୁ ଦାହ କରିବା ସହ ସେମାନଙ୍କ ଇସ୍ତଫା ଦାବି କରାଯାଇଥିଲା.