ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ । ଆଜି ଦିଲ୍ଲୀରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତା ହେଉଛନ୍ତି ଦେବେନ୍ଦ୍ର ପ୍ରଧାନ । ସେ ଦୀର୍ଘ ଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ । ଅସୁସ୍ଥତା କାରଣରୁ ୬ ଦିନ ପୂର୍ବରୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ । ଆଜି ଦିନ ପ୍ରାୟ ସାଢେ ୧୦ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୩ ଥର ବିଜେପି ରାଜ୍ୟ ସଭାପତି ରହିଥିଲେ ଦେବେନ୍ଦ୍ର ପ୍ରଧାନ ।
କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ କେନ୍ଦ୍ର ଭୂପୃଷ୍ଠ ପରିବହନ ଓ କୃଷି ମନ୍ତ୍ରୀ ଥିଲେ ଦେବେନ୍ଦ୍ର ପ୍ରଧାନ । ୧୯୯୮ରୁ ୨୦୦୪ ଯାଏଁ କେନ୍ଦ୍ରରେ ମନ୍ତ୍ରୀ ରହିଥିଲେ । ବିଜେପିରୁ ୨ ଥର ସଂସଦକୁ ନିର୍ବାଚିତ ହୋଇଥିଲେ । ବିଜେପିର ରାଷ୍ଟ୍ରୀୟ ଉପସଭାପତି ଓ ବିଜେପିର ରାଜ୍ୟ ସଭାପତି ଦାୟିତ୍ୱ ମଧ୍ୟ ତୁଲାଇଥିଲେ । ସେ ୨୦୦୧ରୁ ୨୦୦୨ ବିଜେପିର ରାଷ୍ଟ୍ରୀୟ ଉପସଭାପତି ରହିଥିଲେ ।
ଦେବେନ୍ଦ୍ର ପ୍ରଧାନ ୩ ଥର ବିଜେପି ରାଜ୍ୟ ସଭାପତି ରହିଥିଲେ । ୧୯୮୮-୯୦ ଓ ୧୯୯୦ରୁ ୧୯୯୩ ରାଜ୍ୟ ବିଜେପି ସଭାପତି ଭାବେ କାର୍ଯ୍ୟ କରିଥିଲେ । ୧୯୯୩ରୁ ୧୯୯୫ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଥିଲେ । ପୁନର୍ବାର ୧୯୯୫ରୁ ୧୯୯୭ ଯାଏଁ ରାଜ୍ୟ ବିଜେପି ସଭାପତି ରହିଥିଲେ ।
୧୯୯୮ରେ ସେ ଦେବଗଡ଼ ଆସନରୁ ବିଜେପି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୧୯୯୯ରେ ମଧ୍ୟ ପୁନର୍ବାର ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଦେବେନ୍ଦ୍ର ପ୍ରଧାନ ବୃତ୍ତିରେ ଜଣେ ଡାକ୍ତର ଥିଲେ । ୧୯୬୬ ମସିହାରେ କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରୁ ଏମବିବିଏସ୍ ପାସ୍ କରିଥିଲେ । ତାଙ୍କ ଘର ଅନୁଗୋଳ ଜିଲ୍ଲାର ତାଳଚେରରେ । ୧୯୭୩ରେ ସେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗ ସାରା ରାଜ୍ୟରେ ଶୋକର ଛାୟା ଖେଳାଇ ଦେଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଶୋକ ପ୍ରକାଶ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଫୋନ କରି ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ
