କଟକ: ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା ଖାତାଦେଖା । ୧୧ ହଜାରରୁ ଅଧିକ ହାଇସ୍କୁଲ ଶିକ୍ଷକ, ଶିକ୍ଷୟିତ୍ରୀ ହୋଇଛନ୍ତି ନିୟୋଜିତ । ରାଜ୍ୟର ୫୧ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ହେଉଛି । ୧୨ ଦିନ ଧରି ଚାଲିବ ଖାତାଦେଖା । ମାଟ୍ରିକ ପରୀକ୍ଷା ବ୍ୟତୀତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଖାତା ମଧ୍ୟ ଏଠାରେ ଦେଖାଯିବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।
ଛାତ୍ରଛାତ୍ରୀଙ୍କ ୫୦ ନମ୍ବର ବିଶିଷ୍ଟ ଲିଖିତ ପରୀକ୍ଷା ଉତ୍ତର ଖାତାର ମୂଲ୍ୟାୟନ ପାଇଁ ବ୍ୟବସ୍ଥା ରହିଛି । ସକାଳ ୯ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଖାତାଦେଖା ପାଇଁ ସମୟ ଧାର୍ଯ୍ୟ ହୋଇଛି ।
ଖାତା ମୂଲ୍ୟାୟନକୁ ତ୍ରୁଟିଶୂନ୍ୟ କରିବା ଲାଗି ବୋର୍ଡ କର୍ତ୍ତୃପକ୍ଷ ସୋମବାର ସମସ୍ତ ୩୦ଟି ଜିଲ୍ଲା ଶିକ୍ଷାଧିକାରୀମାନଙ୍କ ସହ ସମୀକ୍ଷା ବୈଠକ କରିଥିଲେ । ଖାତା ଦେଖାରେ ନିୟୋଜିତ ଶିକ୍ଷକ ଓ ଅନ୍ୟ କର୍ମଚାରୀମାନଙ୍କୁ ମଙ୍ଗଳବାର ମୂଲ୍ୟାୟନ କେନ୍ଦ୍ରରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫେବ୍ରୁଆରୀ ୨୧ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୬ ତାରିଖ ଯାଏଁ ଚାଲିଥିଲା । ମୋଟ ୫ ଲକ୍ଷ ୨୨ ହଜାର ୩୩୬ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ ।