ତ୍ରୀଶୁଳିଆ ନୁହେଁ, କଟକ ଯାଏଁ ଦୌଡ଼ିବ ମେଟ୍ରୋ


ଭୁବନେଶ୍ବର: ମେଟ୍ରୋ ପ୍ରକଳ୍ପକୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଅନ୍ତ କରିଛନ୍ତି ରାଜ୍ୟ ସରକାର । କହିଛନ୍ତି, ବନ୍ଦ ହେବନି ମେଟ୍ରୋ ପ୍ରକଳ୍ପ । ଡିପିଆର ବଦଳାଯିବ । ଏୟାରପୋର୍ଟରୁ ତ୍ରିଶୁଳିଆ ପରିବର୍ତ୍ତେ କଟକ ଯାଏଁ ଦୌଡ଼ିବ ମେଟ୍ରୋ । ଗତକାଲି ଏହି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସେ କହିଛନ୍ତି, ହାଇଲେବଲ କମିଟି ସମୀକ୍ଷା କରୁଛନ୍ତି । ସେପଟେ କଟକକୁ ମେଟ୍ରୋ ଚାଲିବାକୁ ଯୋଜନା ହେଉଥିବା ଶୁଣି ହଜାରେ ବର୍ଷର ସହରରେ ଖୁସିର ଲହରୀ ଖେଳି ଯାଇଛି ।

କଟକ ମୁଖ୍ୟ ବସଷ୍ଟାଣ୍ଡ, ରେଳ ଷ୍ଟେସନ ଓଏସସିବି ମେଡିକାଲକୁ ଛୁଇଁବ ମେଟ୍ରୋ । ଏମିତି କିଛି ବଡ଼ ସୂଚନା ଦେଇଛନ୍ତି କୃଷ୍ଣ । ମନ୍ତ୍ରୀ ବିସ୍ତୃତ ଭାବେ କହିଛନ୍ତି, ବର୍ତ୍ତମାନ ସମୟରେ ମେଟ୍ରୋ ପ୍ରକଳ୍ପର ଅଧିକ ଆବଶ୍ୟକତା ରହିଛି । ପୂର୍ବ ସରକାର କେବଳ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ପରିକଳ୍ପନା କରିଥିଲେ । ହେଲେ, ଲୋକେ ତ୍ରିଶୁଳିଆ ପର୍ଯ୍ୟନ୍ତ ଯାଇ କ’ଣ କରିବେ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି । ଯେହେତୁ ଯାତ୍ରୀମାନେ ମେଟ୍ରୋରେ କଟକ ଯାଏଁ ଯିବେ, ତେଣୁ ପ୍ରକଳ୍ପର ପରିଧି ବୃଦ୍ଧି ଉପରେ ହାଇଲେବଲ କମିଟି ଅନୁଧ୍ୟାନ କରୁଛି । କମିଟିରେ ଟେକ୍ନିକାଲ ଲୋକଙ୍କୁ ମଧ୍ୟ ରଖାଯାଇଛି । ନନ୍ଦନକାନନ ରୋଡରେ ତିନି ଥାକିଆ ରାସ୍ତା ନିର୍ମାଣ ସହ ସବା ଉପରେ ମେଟ୍ରୋ ଚାଲିବ । ମେଟ୍ରୋ ପ୍ରକଳ୍ପ ବାତିଲ ହୋଇଯିବା ନେଇ ଯେଉଁ ଚର୍ଚ୍ଚା ଚାଲିଛି ତାକୁ ସିଧାସଳଖ ଖଣ୍ଡନ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ।

ଡିପିଆର ବଦଳାଇ ତ୍ରିଶୁଳିଆରୁ କଟକ ଯାଏଁ ମେଟ୍ରୋ ସଂପ୍ରସାରଣ ଯୋଜନା ନେଇ ଖୁସି ପ୍ରକାଶ କରିଛନ୍ତି କଟକ ସହରବାସୀ । କହିଛନ୍ତି ଏହା ହେଲେ ଭୁନେଶ୍ବରରୁ କଟକକୁ ଲୋକମାନଙ୍କ ଯାଆ ଆସ ସୁଗମ ହେବ । ବଡ଼ ମେଡିକାଲ, ହାଇକୋର୍ଟ ଆଦି ପହଞ୍ଚିବାକୁ ସୁବିଧା ହେବ । କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ ମଧ୍ୟ କଟକ ଯାଏଁ ମେଟ୍ରୋ ଚଳାଇବା ଯୋଜନାକୁ ସ୍ବାଗତ କରିଛନ୍ତି । ସେ, କହିଛନ୍ତି ଏହା ଆମର ଦାବି ଥିଲା । ତେବେ ସରକାର ପ୍ରକଳ୍ପକୁ କେବଳ କଥାରେ ସୀମିତ ନରଖି ଶୀଘ୍ର କାମ ଆରମ୍ଭ କରନ୍ତୁ । ବିଜେଡି କହିଛି, ରାଜ୍ୟ ସରକାର ବାରମ୍ବାର ଡିପିଆର ନବଦଳାଇ ଅତିକମରେ ଆଗେ ତ୍ରିଶୁଳିଆ ଯାଏଁ ମେଟ୍ରୋ ଚଳାନ୍ତୁ । ଗତ ବିଜେଡି ସରକାର ଅମଳରେ ମେଟ୍ରୋ ଟ୍ରେନର ପରିକଳ୍ପନା ହୋଇଥିଲା । ଏପରିକି ଡିପିଆର ପ୍ରସ୍ତୁତ କରି ଟେଣ୍ଡର ଡାକି କାମ ବି ଆରମ୍ଭ କରିଥିଲେ । ୨୦୨୭ ସୁଦ୍ଧା ଭୁବନେଶ୍ବରରେ ମେଟ୍ରୋ ରେଳ ଗଡ଼ାଇବାକୁ ଲକ୍ଷ୍ୟ ରହିଥିଲା । ଏଥିପାଇଁ ରାସ୍ତାଘାଟରେ ବିଭିନ୍ନ ସ୍ଥାନ ଖୋଳି ମାଟି ପରୀକ୍ଷା ବି ସରିଛି । କିନ୍ତୁ ଏବେ ବହୁ ଛକରୁ ମେଟ୍ରୋ ପାଇଁ ଲଗାଯାଇଥିବା ସାଜ ସରଞ୍ଜାମ ସବୁକୁ ହଟାଇ ଦିଆଯାଇଛି । ଫଳରେ ବିଜେପି ସରକାର ଏହି ପ୍ରକଳ୍ପ ବାତିଲ କରି ଦେବ ବୋଲି ସାଧାରଣରେ ଆଶଙ୍କା ପ୍ରକାଶ ପାଇଥିଲା ।