ଭୁବନେଶ୍ବର: ବିଧାନସଭା ଭିଜୁଆଲ ଦେଖା ନଯିବା, ବିରୋଧୀଙ୍କ ପ୍ରତିବାଦ ଭିଡିଓ ସାମ୍ବାଦିକଙ୍କୁ ଦିଆ ନଯିବାକୁ ନେଇ ଶାସକ ଦଳକୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ଯାହାକୁ ପଲଟା କାଉଣ୍ଟର କରି ଅରୁଣଙ୍କୁ ଆଇନା ଦେଖାଇଛନ୍ତି ବିଜେପି ବିଧାୟକ ସରୋଜ ପାଢ଼ୀ ।
ଅରୁଣ କହିଛନ୍ତି କି, କିଛି ଦିନ ହେବ ଦେଖୁଛୁ ବିଧାନସଭାରେ ବିରୋଧୀଙ୍କ ଭିଜୁଆଲ ଦେଖାଯାଉନାହିଁ । କିଛି ଦିନ ତଳେ ଗଣମାଧ୍ୟମକୁ ବିଧାନସଭାକୁ ମୋବାଇଲ ବାରଣ କରାଯାଇଥିଲା । କ’ଣ ଏମିତି ଗୁପ୍ତ କାମ ଚାଲିଛି ଯେ ଭିଡିଓ ସିଧାପ୍ରସାରଣ ହେଉନି । ଆମ ଅଞ୍ଚଳ ଲୋକ ଜାଣିପାରୁ ନାହାନ୍ତି ଆମ କାର୍ଯ୍ୟକ୍ରମ । କେବଳ ସରକାରୀ ଦଳ ବିଧାୟକ ଓ ମନ୍ତ୍ରୀଙ୍କ ଭିଜୁଆଲ ଦେଖାଯାଉଛି । ଏ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହା ଅଗଣତାନ୍ତ୍ରିକ ଓ ଏକଛତ୍ରବାଦ । ଯାହା ଗଣତନ୍ତ୍ରକୁ ହତ୍ୟା କରିବ । ମିଡ଼ିଆର କଣ୍ଠରୋଧ ହେଲେ ଏମିତି ହିଁ ପ୍ରତିବାଦ କରିବୁ । ଆନ୍ଦୋଳନ ଭିଜୁଆଲ ବି ନଡରିକି ଦେଖାଇବାକୁ ଅନୁମତି ଦିଅ । ବିରୋଧୀ କି ସରକାରୀ ଦଳ ଠିକ ଭାବେ ଦାୟିତ୍ୱ ନିର୍ବାହ କରୁଛି ନା ନାହିଁ, ତାକୁ ୨୪ ଘଣ୍ଟା ଦେଖାଯାଉ ବୋଲି ଅରୁଣ ସାହୁ ପ୍ରତିକ୍ରିୟା ରଖିଛନ୍ତି ।
ସେପଟେ ଅରୁଣଙ୍କୁ ପାଲଟା ଜବାବ ଦେଇଛନ୍ତି ବିଜେପି ବିଧାୟକ ସରୋଜ ପାଢ଼ୀ । ସରୋଜ କହିଛନ୍ତି, ଲୋକ ଏମାନଙ୍କୁ କ’ଣ ପାଇଁ ନିର୍ବାଚିତ କରିଛନ୍ତି ? ମନ୍ତ୍ରୀଙ୍କ ଉତ୍ତର କରାଇ ଦେଲେନି । କଳା ଡ୍ରେସରେ କିଛି ଅସୁବିଧା ନାହିଁ, କିନ୍ତୁ ଢୋଲ ବଜାଇବା ଠିକ ନୁହେଁ । ମିଡ଼ିଆ ସ୍ୱାଧୀନତା କଥାକୁ କେହି ମନା କରୁ ନାହାନ୍ତି । ହେଲେ ବିଜେଡି ଶାସନ ସମୟରେ ଅରୁଣ ସାହୁ କୁଆଡେ ଥିଲେ ? ମିଡ଼ିଆକୁ କିଏ ଉତ୍ତର ଦେଉଥିଲା ? ସରକାର ଜାଣିଛନ୍ତି ମିଡିଆ ସହ କ’ଣ କରିବେ ।
ଆଗକୁ ସେ କହିଛନ୍ତି, ମିଡିଆ ଆମ ବନ୍ଧୁ, ନବୀନ ପଟ୍ଟନାୟକ ମିଡିଆର ବନ୍ଧୁ ନଥିଲେ । ନବୀନ କେବେ ମିଡିଆକୁ ସାମ୍ନା କରି ନାହାନ୍ତି । ଆମ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଣମାଧ୍ୟମକୁ ସବୁ ଉତ୍ତର ଦେଉଛନ୍ତି । ଏମାନଙ୍କ ଅଧିକାର ନାହିଁ ମିଡିଆ କଥା କହିବାକୁ । ଆଜି ଯାହା ହେଲା ଏଥିପାଇଁ ସମସ୍ତେ ମର୍ମାହତ । ବିଧାନସଭାର ଗାରିମା ନଷ୍ଟ ହେଉଛି, ଆଲୋଚନା ପାଇଁ ସରକାର ପ୍ରସ୍ତୁତ ବୋଲି କହିଛନ୍ତି ଆସ୍କା ବିଧାୟକ ସରୋଜ ।