ଇଟାରେ ଛେଚି ସ୍ତ୍ରୀକୁ ହତ୍ୟା, ସ୍ବାମୀ କୋର୍ଟ ଚାଲାଣ
 
        ଜମନକିରା : ଜମନକିରା ଥାନା ବଡ଼ମାଳ ପଞ୍ଚାୟତ ନୂଆଁଡିହି ଗ୍ରାମରେ ଘଟିଛି ଏକ ଅମାନବନୀୟ ଘଟଣା। ଜଣେ ସ୍ଵାମୀ ନିଜ ସ୍ତ୍ରୀର ମୁଣ୍ଡକୁ ଇଟାରେ ଛେଚି ହତ୍ୟା କରିଛି। ହିନ୍ଦୁ ଧର୍ମରେ ସାତ ଜନମ ପାଇଁ ଉଭୟ ସ୍ବାମୀ ସ୍ତ୍ରୀ ବିବାହ ବେଳେ ସଂକଳ୍ପ କରୁଥିବା ବେଳେ ଏଠି ଘଟିଛି ଏଭଳି ଅଘଟଣ। ଏହି ଘଟଣାରେ ଜମନକିରା ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ କୋର୍ଟ ହାଜତକୁ ପଠାଇ ଥିବା ପୋଲିସ କହିଛି।
ପୋଲିସର ସୂଚନା ଅନୁଯାୟୀ, ନୂଆଁଡ଼ିହି ଗ୍ରାମରେ ଅଭିଯୁକ୍ତ ସନାତନ ଧୁରୁଆ (୪୦) ସ୍ତ୍ରୀ ଓ ପୁଅ ଝିଅ ସହିତ ରହି ଆସୁଥିଲା। ଝିଅ କୁ ୧୮ ବର୍ଷ ହେଉଥିବା ବେଳେ ସେ କୁଚିଣ୍ଡା ରେ ଅନ୍ୟ ଘରେ କାମ କରି ସେଠାରେ ରହୁଥିଲା। ପୁଅ ଗତକାଲି ଗାଁର ଅନ୍ୟ ଘରକୁ ଶୋଇବା ପାଇଁ ଚାଲିଯାଇଥିଲା। ଘଟଣା ରାତିରେ ଉଭୟ ସ୍ବାମୀ ସନାତନ ଓ ସ୍ତ୍ରୀ ପୁଷ୍ପା ଧୂରୁଆ (୩୫) ଖାଇପିଇ ଶୋଇବା ବେଳେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସ୍ବାମୀ ସନାତନ ଇଟାରେ ସ୍ତ୍ରୀର ମୁଣ୍ଡରେ ବାରମ୍ବାର ଛେଚି ଦେଇଥିଲା। ଫଳରେ ଘଟଣା ସ୍ଥଳରେ ସ୍ତ୍ରୀର ଜୀବନ ଚାଲିଯାଇଥିଲା। ସକାଳେ ପୁଅ ଘରକୁ ଫେରି ଦେଖିବା ବେଳେ ମା”ର ମୃତ ଶରୀର ଘରେ ପଡ଼ିଥିବା ଦେଖି ଗାଁ ଲୋକଙ୍କ ସହାୟତାରେ ପୋଲିସ କି ଖବର ଦେଇଥିଲେ। ଏଥିସହ ଭଉଣୀକୁ ମଧ୍ୟ ସୂଚନା ଦେଇଥିଲା। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ ଉଦ୍ଧାର କରିବା ସହ କୁଚିଣ୍ଡା ଡ଼ାକ୍ତରଖାନା କୁ ବ୍ୟବଚ୍ଛେଦ ପାଇଁ ପଠେଇ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ଜମନକିରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

 
                        
 
                                 
                                 
                                 
                                 
                                