Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରିଲା ନବ ଦାସ ହତ୍ୟା ମାମଲାର ସାନି ତଦନ୍ତର ପ୍ରଥମ ପର୍ଯ୍ୟାୟ, ଆଗକୁ କ’ଣ ?

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ପୁନଃ ତଦନ୍ତର ପ୍ରମ ପର୍ଯ୍ୟାୟ ଶେଷ ହୋଇଛି । ୫ ଦିନର ତଦନ୍ତରେ ପ୍ରାୟ ୧୫ ଜଣଙ୍କୁ ପଚରାଉଚରା କରାଯାଇଛି । ଦୀର୍ଘଦିନର ବ୍ୟବଧାନ ପରେ ଗ୍ରାଉଣ୍ଡ ଜିରୋରେ ଘଣ୍ଟା ଚକଟା କରିଛି କ୍ରାଇମବ୍ରାଞ୍ଚ । ଏବେ ଆଗକୁ ଏହି ମାମଲା କେଉଁ ଦିଗରେ ଯିବ ? ଆଉ କାହାର ପାଳି ପଡ଼ିବ ତାକୁ ନେଇ ଚର୍ଚଚ୍ା ଜୋର ଧରିଛି ।

ନବଙ୍କୁ ମୃତ ଘୋଷଣା କରିଥିବା ଘରୋଇ ହସ୍ପିଟାଲକୁ ଯିବ କି କ୍ରାଇମବ୍ରାଞ୍ଚ ଟିମ୍ ? ପ୍ରକୃତରେ କେଉଁଠି ହୋଇଥିଲା ନବ ଦାସଙ୍କ ମୃତ୍ୟୁ ? ଝାରସୁଗୁଡ଼ା ନା ଭୁବନେଶ୍ବରରେ ? ନବଙ୍କ ଛାତିକୁ ଭେଦ କରିଥିବା ଗୁଳି ସଂପର୍କରେ ହେବ କି ଖୋଳତାଡ଼ ? ଝାରସୁଗୁଡ଼ା ଓ ବ୍ରଜରାଜନଗରରେ ୫ ଦିନର ତଦନ୍ତ ସାରି ଫେରିଆସିଛି କ୍ରାଇମବ୍ରାଞ୍ଚ ଟିମ୍ । ମାର୍ଚ୍ଚ ୧୮ ଓ ୧୯ରେ ସରବାହାଲସ୍ଥିତ ଘରକୁ ଯାଇ ନବ ଦାସଙ୍କ ପତ୍ନୀ ମୀନତି, ଝିଅ ଦିପାଳୀ ଓ ପୁଅ ବିଶାଳଙ୍କ ବୟାନ ରେକର୍ଡ କରିଛି କ୍ରାଇମବ୍ରାଞ୍ଚ ଟିମ୍ । ମାର୍ଚ୍ଚ ୧୯ରୁ ୨୧ ତାରିଖ ଯାଏଁ ଝାରସୁଗୁଡ଼ା ସଦର ମହକୁମା ଡାକ୍ତରଖାନାରେ ଚଳାଇଥିଲା ଖୋଳତାଡ଼ ।

କ୍ରାଇମବ୍ରାଞ୍ଚ ଟିମ୍ ତତ୍କାଳୀନ ସିଡିଏମଓ ଡୋଳାମଣି ପଟେଲ, ଡାକ୍ତର ଜିତନ ପଟେଲ, ରଞ୍ଜନ ପଟେଲ୍ ଓ ନର୍ସ ସଞ୍ଜୁରାଣୀ ଦେହୁରୀଙ୍କ ସହ ରେଡିଓଗ୍ରାଫର ସସ୍ମିତା ବାଗଙ୍କୁ ନବଙ୍କ ECGଙ୍କଠାରୁ ଚିକିତ୍ସା ବ୍ୟବସ୍ଥା ଯାଏଁ ତଥ୍ୟ ଆଦାୟ କରିଥିଲା । ୨୧ ତାରିଖରେ ଝାରସୁଗୁଡ଼ା ବିମାନବନ୍ଦରକୁ ଯାଇ ନବଙ୍କୁ ଏୟାରଲିଫ୍ଟ ସଂପର୍କରେ ଖୋଳତାଡ଼ କରିଥିଲା । ୨୨ ତାରିଖରେ ଯୁବ ବିଜେଡି ନେତା ସରୋଜ ସା’ଙ୍କୁ କରିଥିଲା ପଚରାଉଚରା । ସେହିପରି ଗୁଳିକାଣ୍ଡରେ ଅଳ୍ପକେ ବର୍ତ୍ତିଯାଇଥିବା ଜୀବନ ନାୟକଙ୍କ ସହ ପ୍ରାୟ ୧୫ ଜଣଙ୍କ ୧୬୧ ବୟାନ ରେକର୍ଡ କରି ଫେରିଛି କ୍ରାଇମବ୍ରାଞ୍ଚ।

ସରୋଜ ସା ଗୁଳିକାଣ୍ଡସ୍ଥଳରୁ କିଛି ଦୂରରେ ତତ୍କାଳୀନ ବ୍ରଜରାଜନଗର ଆଇଆଇସି ପ୍ରଦ୍ୟୁମ୍ନ କୁମାର ସ୍ୱାଇଁଙ୍କ ହୋଲ୍ଡଷ୍ଟରରୁ ସର୍ଭିସ ରିଭଲଭର ଛଡ଼ାଇ ନେଇଥିଲେ । ସେ ସେତେବେଳେ ବ୍ରଜରାଜନଗରର ବିଜୁ ଛାତ୍ର ଜନତା ଦଳର ଟାଉନ ସଭାପତି ଥିଲେ । ଯାହାଙ୍କୁ ଗତକାଲି ପ୍ରାୟ ୩ ଘଣ୍ଟା ଧରି କ୍ରାଇମବ୍ରାଞ୍ଚ ଟିମ୍ ଘଣ୍ଟାଚକଟା କରିଛି ।

କାହିଁକି ଓ କେଉଁ ପରିସ୍ଥିତିରେ ଆଇଆଇସିଙ୍କ ପାଖରୁ ସର୍ଭିସ ରିଭଲଭର୍ ଛଡ଼ାଇ ନେଇଥିଲେ ସରୋଜ ? ସରୋଜଙ୍କୁ ପୂର୍ବରୁ କ୍ରାଇମବ୍ରାଞ୍ଚ ତଦନ୍ତ ପରିସରଭୁକ୍ତ କରି ନଥିଲା କି ? ଯଦି ତଦନ୍ତ ପରିସରଭୁକ୍ତ କରି ନଥିଲା ତେବେ କାହିଁକି ? ଏବେ ଏଭଳି ନାନା ପ୍ରଶ୍ନ ଉଠୁଥିବାବେଳେ ସରୋଜ କହିଛନ୍ତି, ନବ ଦାସଙ୍କୁ ଗୋପାଳ ଗୁଳି କରିବା ପରେ ଉପରକୁ ବ୍ଲାଙ୍କ ଫାଏରିଂ କରିଥିଲା । ତେଣୁ ଭୟଭୀତ ହୋଇ କାଳେ ପୋଲିସ ଅଧିକାରୀ ଫାଇରିଂ କରି ଦେବେ ଭାବି ଥାନା ଅଧିକାରୀଙ୍କ ଖୋଲାଥିବା ହୋଲ୍ଡଷ୍ଟରରୁ ରିଭଲଭର୍ ଛଡ଼ାଇ ନେଇଥିଲି । କିନ୍ତୁ,କାହାକୁ ଗୁଳି କରିବା ଉଦ୍ଦେଶ୍ୟ ନ ଥିଲା । ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ୨ ବର୍ଷ ବିତିଲାଣି । ଏହି ମାମଲାରେ କେବଳ ଗୋପାଳ ଦାସ ହିଁ ଜଣେ ଅଭିଯୁକ୍ତ ଦର୍ଶାଇଛି କ୍ରାଇମବ୍ରାଞ୍ଚ । କିନ୍ତୁ କାହିଁକି ହତ୍ୟା କଲା ଗୋପାଳ ଦାସ? ନବ ଦାସଙ୍କ ଦେହରେ ବାଜିଥିବା ଗୁଳି ଗୋପାଳ ଚଳାଇଥିଲା ନା ଆଉ କିଏ ? ହତ୍ୟାକାଣ୍ଡ ପଛରେ ବ୍ୟବସାୟିକ, ରାଜନୈତିକ ନା ଅନ୍ୟ କ’ଣ ଷଡ଼ଯନ୍ତ୍ର ଥିଲା ? ତଦନ୍ତ ଜାରି ରଖିଥିବା କ୍ରାଇମବ୍ରାଞ୍ଚ ଆଗକୁ ଏହାର ଖୁଲାସା କରିବ କି ବୋଲି ମଧ୍ୟ ପ୍ରଶ୍ନ ଉଠୁଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ