ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ଆଇନଶୃଙ୍ଖଳା । ମୋଟ୍ ଆପରାଧିକ ମାମଲା ୨ ଲକ୍ଷ ଟପିଛି । ଚିନ୍ତାର ବିଷୟ ହେଲା ରାଜ୍ୟରେ ଦିନକୁ ୮ରୁ ଅଧିକ ଦୁଷ୍କର୍ମ, ୩ ହତ୍ୟାକାଣ୍ଡ ଘଟୁଛି । ପୋଲିସ ଚାର୍ଜସିଟ୍ ଦେବାରେ ପଛୁଆ ଦେଉଛି । ସାମାଜିକ ଗଣମାଧ୍ୟମରେ ଶିଶୁଙ୍କ ଅଶ୍ଳୀଳ ଭିଡ଼ିଓ ବଢ଼ୁଛି । ୨୦୨୪ରେ ରାଜ୍ୟରେ ଆପରାଧିକ ମାମଲା ସଂଖ୍ୟା ୨ ଲକ୍ଷ ଟପିଯାଇଛି । ୨୦୨୩ରେ ଏହି ସଂଖ୍ୟା ୧ ଲକ୍ଷ ୯୯ ହଜାର ଥିଲାବେଳେ ୨୦୨୪ରେ ରୁଜୁ ହୋଇଥିବା ଗୁରୁତର ଅପରାଧ ମାମଲା ସଂଖ୍ୟା ୨ ଲକ୍ଷ ୧୪ ହଜାର ୧୧୩ ହୋଇଛି । ଏହା ମଧ୍ୟରୁ ୧,୩୯,୦୦୧ ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇଛି । ଗତକାଲି ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ଶ୍ବେତପତ୍ରରେ ଏହି ତଥ୍ୟ ଦିଆଯାଇଛି ।
ତେବେ ସାଇବର୍ ଅପରାଧ ସଂଖ୍ୟା ପ୍ରତିବର୍ଷ ବଢ଼ୁଥିବାର ତଥ୍ୟ ଚିନ୍ତା ବଢ଼ାଇ ଦେଇଛି । ୨୦୨୩ରେ ସାଇବର୍ ଅପରାଧ ଭିତ୍ତିକ ମାମଲା ୨୩୪୮ ଥିଲା ବେଳେ ୨୦୨୪ରେ ତାହା ୨୫୦୧ରେ ପହଞ୍ଚିଛି । ସେଥିରୁ ମାତ୍ର ୨୭୨ଟି ଅର୍ଥାତ ୧୧ ପ୍ରତିଶତ ମାମଲାରେ ଚାର୍ଜସିଟ୍ ହୋଇଛି । ୭୫୦ ଜଣ ଅଭିଯୁକ୍ତ ଏହି ଅପରାଧରେ ସଂପୃକ୍ତ ଥିଲା ବେଳେ ୫୮୧ ଜଣ ଅପରାଧୀଙ୍କୁ ରାଜ୍ୟ ଭିତରୁ ଓ ବାହାରୁ ଗିରଫ କରାଯାଇଛି ।
ଦୁଷ୍କର୍ମ ଓ ହତ୍ୟାକାଣ୍ଡ ଘଟଣା ଅତ୍ୟନ୍ତ ଉଦବେଗର ବିଷୟ ହୋଇଛି । ୨୦୨୪ରେ ମୋଟ୍ ୩୦୫୪ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ଏହା ମଧ୍ୟରୁ ୨୯୮୬ ମାମଲା ସତ୍ୟ ବୋଲି ସରକାର ସ୍ବୀକାର କରିଛନ୍ତି । ତେବେ ଚାର୍ଜସିଟ୍ ହାର ୬୪ ପ୍ରତିଶତ ରହିଛି ଅର୍ଥାତ ୧୯୪୮ଟି ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି । ମୋଟ୍ ମାମଲାକୁ ହିସାବକୁ ନେଲେ ରାଜ୍ୟରେ ପ୍ରତିଦିନ ୮ରୁ ଅଧିକ ଦୁଷ୍କର୍ମ ମାମଲା ହେଉଛି ବୋଲି ଧରିବାକୁ ପଡ଼ିବ । ସେମିତି ହତ୍ୟାକାଣ୍ଡ ମାମଲାରେ ଚାର୍ଜସିଟ୍ ହାର ଆହୁରି ଦୁର୍ବଳ । ୨୦୨୪ରେ ୧୨୮୫ଟି ହତ୍ୟାକାଣ୍ଡ ମାମଲା ରୁଜୁ ହୋଇଥିଲା ବେଳେ ସେଥିରୁ ୧୨୧୫ଟି ସତ ବୋଲି ସ୍ବୀକାର କରାଯାଇଛି । ଏହା ମଧ୍ୟରୁ ୫୪୨ଟି ଅର୍ଥାତ ୪୫ ପ୍ରତିଶତ ମାମଲାରେ ଚାର୍ଜସିଟ୍ ହୋଇଛି । ଦଙ୍ଗା ଘଟଣାରେ ମଧ୍ୟ ୪୩ ପ୍ରତିଶତ ମାମଲାରେ ଚାର୍ଜସିଟ୍ ହୋଇଛି ।
ତଥ୍ୟ କହୁଛି, ୨୩୩ କୋଟି ୯୮ ଲକ୍ଷ ଟଙ୍କା ଚୋର ନେଇଯାଇଛନ୍ତି । କିନ୍ତୁ ଉଦ୍ଧାର ପରିମାଣ ମାତ୍ର ୫୧ କୋଟି ୧୮ ଲକ୍ଷ ଟଙ୍କା । ସେହିଭଳି ରାଜ୍ୟରେ ୧୨ ହଜାର ୩୭୫ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୫୦ ପ୍ରତିଶତ ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇଛି ।
ରାଜ୍ୟରେ ମାଓବାଦୀଙ୍କ କାର୍ଯ୍ୟକଳାପ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି ବୋଲି ଶ୍ବେତପତ୍ରରେ ଦର୍ଶାଯାଇଛି । ସାମାଜିକ ଗଣମାଧ୍ୟମରେ ଶିଶୁଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ୍ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହି ଭାଇରାଲ୍ ଭିଡିଓ ପାଇଁ ଅଧିକାଂଶ ସମୟରେ ପୀଡ଼ିତା ଆତ୍ମହତ୍ୟା କରୁଥିବା ଭଳି ଅଭିଯୋଗ ହେଉଥିଲେ ହେଁ ଏହା ଉପରେ ରୋକ୍ ଲଗାଯାଇପାରୁନି । ୨୦୨୩ ତୁଳନାରେ ୨୦୨୪ରେ ପ୍ରାୟ ଦୁଇ ଗୁଣା ଭିଡିଓ ଭାଇରାଲ୍ ହୋଇଥିବା ନେଇ ମାମଲା ଆସିଛି । କିନ୍ତୁ ସମସ୍ତଙ୍କୁ ଏପର୍ଯ୍ୟନ୍ତ ନ୍ୟାୟ ମିଳିପାରିନି ।