ଭୁବନେଶ୍ବର: ସିପାହୀ ଓ କନଷ୍ଟେବଳ ଆଶାୟୀଙ୍କ ପାଇଁ ଖୁସି ଖବର । ଆଇଆରବି ବାଟାଲିୟନର ସିପାହୀ ଓ କନଷ୍ଟେବଲ୍ ନିଯୁକ୍ତି ପାଇଁ କୋହଳ ହେଲା ବୟସ ସୀମା । ବୟସ ସୀମାକୁ ୩ ବର୍ଷ କୋହଳ କରିଛନ୍ତି ରାଜ୍ୟ ସରକାର । ଏନେଇ ହାଇକୋର୍ଟଙ୍କୁ ଅବଗତ କରିଛନ୍ତି ଆଡଭୋକେଟ ଜେନେରାଲ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି ।
ସରକାରଙ୍କ ଏପରି ନିଷ୍ପତ୍ତିକୁ ନେଇ ମାମଲାର ପ୍ରତିପକ୍ଷ ପ୍ରାର୍ଥୀ ସମ୍ମତି ଜଣାଇଥିଲେ । ଏହାପରେ ସରକାରଙ୍କ ନିଷ୍ପତ୍ତିକୁ ବିଚାରକୁ ନେଇ ହାଇକୋର୍ଟ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ସୀମା ୩ ବର୍ଷ କୋହଳକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଓଭରଏଜ୍ ଆଶାୟୀଙ୍କୁ ଚାକିରିରେ ସୁଯୋଗ ଦେବା ଲାଗି ବୟସ ସୀମା ୬ ବର୍ଷ କୋହଳ କରିବା ପାଇଁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ । ଯାହାକୁ ଡିଭିଜନ ବେଞ୍ଚରେ ଚ୍ୟାଲେଞ୍ଜ କରିଥିଲେ ସରକାର ।
ଗତକାଲି ଡିଭିଜନ ବେଞ୍ଚରେ ମାମଲାର ଶୁଣାଣି କରାଯାଇଥିଲା । ବର୍ତ୍ତମାନ ରାଜ୍ୟ ସରକାର ୩ ବର୍ଷ ବୟସ ସୀମା କୋହଳ କରିବା ପାଇଁ ନିଷ୍ପତ୍ତି ନେବା ପରେ କୋର୍ଟ ଏହି ମାମଲାର ଅନ୍ତ ଘଟାଇଛନ୍ତି ।