ଭୁବନେଶ୍ବର: ରାସନ କାର୍ଡ କଟିଯିବା ନେଇ ଲାଗି ରହିଥିବା ଦ୍ବନ୍ଦ୍ବ ଭିତରେ ଯୋଗାଣ ମନ୍ତ୍ରୀ ବିଧାନସଭାରେ ଦେଇଛନ୍ତି ବଡ଼ ଖବର । କାହାରିଙ୍କର ରାସନ କାର୍ଡ କଟିବନି ବୋଲି ମନ୍ତ୍ରୀ କହିଛନ୍ତି । ଗାଁ ମାନଙ୍କରେ ମାସକୁ ୧୦ ହଜାର ଆଉ ସହରରେ ମାସକୁ ୧୫ ହଜାର ଟଙ୍କା ଆୟ କରୁଥିଲେ ରାସନ୍ କାର୍ଡ କଟିଯିବ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ମନ୍ତ୍ରୀ ।
ଗୁରୁବାର ବିଧାନସଭାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଖର୍ଚ୍ଚ ଦାବି ନେଇ ଆଲୋଚନା ହୋଇଥିଲା । ଏହି ସମୟରେ ବିଜେଡି ବିଧାୟକମାନେ କହିଥିଲେ, ରାଜ୍ୟରେ ଜଣେ ଶ୍ରମିକ ଦିନକୁ ୫୦୦ ଟଙ୍କାରୁ ଅଧିକ ରୋଜଗାର କରୁଛି । ଜଣେ ଶ୍ରମିକର ମାସିକ ମଜୁରୀ ହିସାବ କଲେ, ସବୁ ରାସନ୍ କାର୍ଡ କଟିଯିବ । ଯାହାର ଉତ୍ତର ଦେଇଥିଲେ ମନ୍ତ୍ରୀ । ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ, ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି, ଆମେ କାହାର ରାସନ୍ କାର୍ଡ କାଟିବୁନି । ୧୦ ହଜାର ଓ ୧୫ ହଜାର ମାସିକ ଆୟ କଥା କେନ୍ଦ୍ର ଗାଇଡ୍ ଲାଇନରେ ଅଛି । ହେଲେ କାହାର ବି ରାସନ୍ କାର୍ଡ କଟିବନି ବୋଲି ମନ୍ତ୍ରୀ କହିଥିଲେ ।
ଯୋଗାଣ ମନ୍ତ୍ରୀ କୃଷ୍ଣପାତ୍ର ଆହୁରି ବି କହିଛନ୍ତି, ବହୁତ ଇଞ୍ଜିନିୟର, ଡାକ୍ତର, ଭଲ ଚାକିରି କରିଥିବା ଲୋକ ବିଜେଡି ସରକାର ଅମଳରେ ରାସନ୍ କାର୍ଡ ହାତେଇ ନେଇଥିଲେ । ତେଣୁ ଅଯୋଗ୍ୟ ଯେପରି କାର୍ଡ ଫେରାଇବେ ସେଥିପାଇଁ ଆମେ ଏମିତି କହିଥିଲୁ । ଏମିତି କହିବା ଦ୍ୱାରା ଅଯୋଗ୍ୟଙ୍କ ମନରେ ଭୟ ସୃଷ୍ଟି ହେଇଥିଲା । ଯାହାଦ୍ୱାରା ଅନେକ ଲୋକ କାର୍ଡ ଫେରାଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି ଯିଏ ଭଲ ରୋଜଗାର କରୁଥିବେ, କୋଠାବାଡ଼ି, କାର୍ ଥିବ ସେମାନେ ମଧ୍ୟ ରାସନ୍ କାର୍ଡ ଫେରାଇବେ ବୋଲି ମନ୍ତ୍ରୀ କହିଛନ୍ତି ।
ଅନ୍ୟପଟେ ଖରାକୁ ନଜରରେ ରଖି, ଏଣିକି ସକାଳ ୭ଟାରୁ ୧୦ ଆଉ ସନ୍ଧ୍ୟା ୫ଟାରୁ ୮ଟା ଭିତରେ ଦିଆଯିବ ରାସନ୍ ଚାଉଳ । ଏନେଇ ଜିଲ୍ଲାପାଳମାନଙ୍କୁ ଜଣାଇ ଦିଆଯାଇଛି । ଏହାସହ ରାସନ୍ କାର୍ଡ ମିଳୁଥିବା ଜାଗାରେ, ଅସ୍ଥାୟୀ ଆଶ୍ରୟସ୍ଥଳୀ, ପିଇବା ପାଣି, ଓଆରଏସ୍ ମହଜୁଦ୍ ରଖିବାକୁ ପରାମର୍ଶ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି ।