ସ୍ତ୍ରୀ ଝଗଡ଼ା କରିବାକୁ ଘର ଉପରେ ବୋମା ଫିଙ୍ଗିଲା ସ୍ବାମୀ


ଦିଗପହଣ୍ଡି: ରାତିରେ ସ୍ତ୍ରୀ କଲା ଝଗଡ଼ା । ସକାଳେ ଘର ଉପରେ ବୋମା ଫିଙ୍ଗିଲା ସ୍ବାମୀ । ଏମିତି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା କୁଶପଡ଼ାରେ । ବୋମା ମାଡ଼ରେ ତିନୋଟି ଘରର ଟିଣ ଛପର ଉଡ଼ିଯାଇଥିବା ବେଳେ କାନ୍ଥ ବି ହେଲା ଧରାଶାୟୀ ।

ଖବର ଅନୁସାରେ, କୁଶପଡା ଗାଁରେ ସୁରେନ୍ଦ୍ର ଦୋରା ଏବଂ ତାଙ୍କ ସ୍ତ୍ରୀ ଭଡା ଘରେ ରହୁଥିଲେ । କୌଣସି କାରଣ ଯୋଗୁଁ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ରାତିରେ ଝଗଡା ହୋଇଥିଲା । ସ୍ତ୍ରୀକୁ ବୋମା ମାଡ଼ କରି ଉଡ଼ାଇ ଦେବାକୁ ଧମକ ଦେଇଥିଲା ସ୍ଵାମୀ । ସ୍ତ୍ରୀ ଶ୍ରମିକ ଭାବେ କାମ କରିବାକୁ ଯାଇଥିବାବେଳେ ସ୍ଵାମୀ ସୁରେନ୍ଦ୍ର ଏପରି କାଣ୍ଡ ଭିଆଇଥିଲା । ବୋମା ପକାଇ ଘରକୁ ଉଡାଇ ଦେବାକୁ ଚେଷ୍ଟା କରିଥିଲା । ବିସ୍ଫୋରଣରେ ବାବୁ ସାହୁ, ଅନୀଲ ସାହୁ ଏବଂ ଓ ଦଣ୍ଡପାଣି ସାହୁଙ୍କ ଘର ଭାଙ୍ଗି ଟିଣ ଛପର ଉଡିଯାଇଛି । ଏନେଇ ଖବର ପାଇବା ପରେ ଦିଗପହଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁରେନ୍ଦ୍ରକୁ ଉଠେଇ ନେଇଛି ।

ତେବେ ସୁରେନ୍ଦ୍ର ବୋମା କେଉଁଠୁ ଆଣିଲା । ଆଉ କେଉଁ କାରଣ ପାଇଁ ସ୍ତ୍ରୀ ସହ ବଚସା କରି ଏପରି କଲା ସେନେଇ ପୋଲିସ ପଚରାଉଚରା କରୁଛି । ଏହାସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।