ଭଦ୍ରକ: ପାଟୁଆ ଶୋଭାଯାତ୍ରାରେ ଅଘଟଣ । ୧୧ କେଭି ତାର ସଂସ୍ପର୍ଶରେ ଆଓିଲା ଡିଜେ ଗାଡି । ଚାଲିଗଲା ଦୁଇ ଜଣଙ୍କ ଜୀବନ । ୧୦ ଜଣ ଗୁରୁତର ଆହତ । ଆହତମାନଙ୍କୁ ଉଦ୍ଦାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକମାନେ ହେଲେ ତିହିଡ଼ି ଥାନା ଆରସା ଗାଁର ଶରତ ମହାଳିକ ଏବଂ ମାନସ ମଲ୍ଲିକ । ଆହତମାନଙ୍କ ମଧ୍ୟରେ ଜଣେ ମହିଳା, ଜଣେ ଶିଶୁ ଓ ଜଣେ ନାବାଳିକା ଅଛନ୍ତି । ଆହତମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଓ ତିହିଡ଼ି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ସୂଚନାଯୋଗ୍ୟ, ଗତକାଲି ତିହିଡି ବ୍ଲକର ନୂଆନନ୍ଦ ପଞ୍ଚାୟତରେ କଣ୍ଟିମଙ୍ଗଳା ପାଟୁଆ ଶୋଭାଯାତ୍ରା ଚାଲିଥିଲା । ଶୋଭାଯାତ୍ରା ହାଟୁଆରୀରୁ କଣ୍ଟିମଙ୍ଗଳା ପୀଠକୁ ଆସୁଥିବା ବେଳେ ଡିଜେ ଗାଡି ୧୧ କେଭି ବିଦ୍ୟୁତ ତାର ସହସ୍ପର୍ଶରେ ଆସିଯାଇଥିଲା ।
ଜଣେ ନାବାଳିକାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଚିକିତ୍ସାରେ ଅବହେଳା ପାଇଁ ରୋଗୀଙ୍କ ସଂପର୍କୀୟମାନେ କିଛି ସମୟ ଭଦ୍ରକ ମେଡିକାଲ ପରିସରରେ ହୋହାଲ୍ଲା କରିଥିଲେ । ଜିଲ୍ଲାପାଳ ପହଞ୍ଚି ସ୍ଥିତିକୁ ଶାନ୍ତ କରିବା ସହ ଟ୍ରମା କେୟାରରେ ପୋଲିସ ମୁତୟନ କରାଯାଇଥିବା ସୂଚନା ମିଳିଛି । ଘଟଣାକୁ ନେଇ ବିଦ୍ୟୁତ ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ ।
ଅଘଟଣ ଖବର ପାଇ ରାତିରେ ଜିଲ୍ଲାପାଳ, ଏସପି, ଉପଜିଲ୍ଲାପାଳଙ୍କ ସମେତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଭଦ୍ରକ ବିଧାୟକ ସୀତାଂଶୁ ମହାପାତ୍ର, ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ପ୍ରମୁଖ ମେଡିକାଲରେ ପହଞ୍ଚି ଆହତଙ୍କ ଅବସ୍ଥା ଓ ଚିକିତ୍ସା କଥା ବୁଝିଥିଲେ । ଏଥିସହ ଭଦ୍ରକ ତିହିଡ଼ିରେ ପାଟୁଆ ଯାତ୍ରା ବେଳେ କେମିତି ଘଟିଲା ଏତେବଡ଼ ଅଘଟଣ ? ଡିଜେ ଗାଡ଼ିରେ କେଉଁ ପରିସ୍ଥିତିରେ ଲାଗିଗଲା କରେଣ୍ଟ, ତଦନ୍ତ ହେବ ବୋଲି କହିଛନ୍ତି ଭଦ୍ରକ ଜିଲ୍ଲାପାଳ ଓ ଏସପି । ଏତେ ବଡ଼ ଅଘଟଣ ପରେ ଗାଁରେ ଶୋକକୂଳ ପରିବେଶ ସୃଷ୍ଟି ହୋଇଛି ।