କୋଇଲା ଲୁଟ ଘଟଣା, ଗ୍ରାଉଣ୍ଡକୁ ଯିବେ ମନ୍ତ୍ରୀ


ଓଡ଼ିଶା ଡଟ୍ ନ୍ୟୁଜ୍: ସୁନ୍ଦରଗଡ଼ ଜିଲ୍ଲାରେ କୋଇଲା ଖଣି ମହାଲୁଟ ଘଟଣାର ସରଜମିନ ଯାଞ୍ଚ କରିବେ ମନ୍ତ୍ରୀ ଓ ସଚିବ । ଏଥିପାଇଁ ଆଜି ଲୁଟ ଅଞ୍ଚଳ ପରିଦର୍ଶନରେ ଯିବେ ଖଣିମନ୍ତ୍ରୀ ବିଭୂତିଭୂଷଣ ଜେନା ଏବଂ ବିଭାଗୀୟ ସଚିବ ।

ଏହି ମହା ଲୁଟ ପଛରେ କହାର ହାତ ରହିଛି ? କେତେ କୋଇଲା ଲୁଟ ହେଲାଣି ? ତାକୁ ନେଇ ସାରା ରାଜ୍ୟରେ ରାଜନୀତି ଉଷ୍ଣ ଥିବା ବେଳେ ମନ୍ତ୍ରୀଙ୍କ ଗସ୍ତ ବହୁତ ଗୁରୁତ୍ବ ରଖୁଛି । ମନ୍ତ୍ରୀ ଏବଂ ସଚିବ ଚୋରା କୋଇଲା ଖଣି ଅଞ୍ଚଳ ବୁଲି ଦେଖିବା ସହ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିବେ । ସୁନ୍ଦରଗଡରେ କୋଇଲା ଚୋରିର ତଦନ୍ତ କରି ସତ ସାମ୍ନାକୁ ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଉପବାଚସ୍ପତି ତଥା ତଳସରା ବିଧାୟକ ଭବାନୀ ଭୋଇ । 

ସୁନ୍ଦରଗଡ଼ ଗୋପାଳପୁର ଫରେଷ୍ଟ ରେଞ୍ଜର ତେଲେନଡିହି, ରତନସରା, ଜାମକାନି, ଭୋଗ୍ରାକଛାର ଜଙ୍ଗଲରେ ବର୍ଷ ବର୍ଷ ଧରି ଚାଲିଥିଲା କୋଇଲା ଖଣି ଖନନ ଓ ପରିବହନ । ଗଣମାଧ୍ୟମରେ ଏ ସମ୍ପର୍କିତ ଖବର ପ୍ରସାରଣ ପରେ ଆରମ୍ଭ ହୋଇଛି ତନାଘନା । ନିକଟବର୍ତ୍ତୀ ଅଞ୍ଚଳରେ ଥିବା ସ୍ପଞ୍ଜ କାରଖାନା ସମେତ କୋଲ ୱାସେରୀରେ ଚଢ଼ାଉ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।  ଏଥିସହ ରାଜ୍ୟ ଖଣି ବିଭାଗର ଏକ ୯ ଜଣିଆ ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ ବି ଗ୍ରାଉଣ୍ଡରେ ସରଜମିନ୍ ତଦନ୍ତ କରିଛି । ଏପର୍ଯ୍ୟନ୍ତ ବେଆଇନ୍ ଭାବେ ଗଚ୍ଛିତ ଥିବା ୧୦ ହଜାର ଟନ କୋଇଲା ଜବତ ହୋଇଛି ।