ଓଡ଼ିଶା ଡଟ୍ ନ୍ୟୁଜ୍: ସାରା ରାଜ୍ୟରେ ଜାରି ରହିଛି କାଳେବୖଶାଖୀର ତାଣ୍ଡବ । ୨୪ ତାରିଖ ଯାଏଁ ଏମିତି ଲାଗି ରହିବ କାଳବୈଶାଖୀର ପ୍ରଭାବ । ଆହୁରି ୫ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ବି କେତେକ ସ୍ଥାନରେ ବର୍ଷା ହୋଇପାରେ । ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟ ଧରଣର ବର୍ଷା ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ । ରାଜ୍ୟରେ ତାପମାତ୍ରା ଅଧିକ ନହୋଇ, ସ୍ୱାଭାବିକ ଥିବାରୁ ଏହା କାଳବୈଶାଖୀ ଆଣୁଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
ଗତକାଲି ରାଜଧାନୀ ଭୁବନେଶ୍ୱର ସମେତ କଟକ, ବାଲେଶ୍ୱର ଓ ଢେଙ୍କାନାଳରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ହେଇଛି । ମୂଷଳ ବର୍ଷା ସହ ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଥିଲା । ଏପରିକି ରାଜଧାନୀ ଭୁବନେଶ୍ବର ଯେମିତି କିଛି ସମୟ ପାଇଁ ଠପ୍ ହୋଇ ଯାଇଥିଲା । ଘଡ଼ଘଡ଼ି ସାଙ୍ଗକୁ ଆରମ୍ଭ ହୋଇଯାଇଥିଲା ତୁହାକୁ ତୁହା ବର୍ଷା ପବନ । ଦିନରେ ସନ୍ଧ୍ୟାରେ ଭ୍ରମ ସୃଷ୍ଟି ହୋଇଥିଲା । ଯିଏ ଯେଉଁଠି ପାରିଥିଲେ ଆଶ୍ରୟ ନେଇଥିଲେ । ଶୂନଶାନ ହୋଇଯାଇଥିଲା ବ୍ୟସ୍ତ ବହୁଳ ରାଜଧାନୀ ।
ବର୍ଷା ପବନରେ କେଉଁଠି ଗଛ ଉପୁଡି ପଡିଥିବା ତ ଆଉ କେଉଁଠି ବିଦ୍ୟୁତ ତାର ଛିଣ୍ଡି ଯାଇଥିଲା । ତେଣୁ ବିଭିନ୍ନ ସ୍ଥାନରେ ଦୀର୍ଘ ଘଣ୍ଟା ଧରି ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଥିଲା ।