ଓଡ଼ିଶା ଡଟ୍ ନ୍ୟୁଜ୍: ରାସନ କାର୍ଡକୁ ନେଇ ଦୀର୍ଘଦିନ ହେବ ବନ୍ଦ ହୋଇ ରହିଥିବା ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି ମୋହନ ମାଝୀଙ୍କ ସରକାର । ୫ ଲକ୍ଷ ୯୦ ହଜାର ହିତାଧିକାରୀଙ୍କୁ କାର୍ଡ ଦେବେ ରାଜ୍ୟ ବିଜେପି ସରକାର । ଏପ୍ରିଲ ୨୨ ସୁଦ୍ଧା କାର୍ଡ ପ୍ରିଣ୍ଟ ସହ ବଣ୍ଟନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସାରିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛି ବିଭାଗ । ଏନେଇ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଅବଗତ କରିଛି ଯୋଗାଣ ବିଭାଗ ।
ସମସ୍ତ ବିଡିଓ ଏବଂ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କୁ ଏପ୍ରିଲ ୨୦ ସୁଦ୍ଧା ଚିହ୍ନଟ ହୋଇଥିବା ହିତାଧିକାରୀଙ୍କ ରାସନ କାର୍ଡ ପ୍ରିଣ୍ଟ ଓ ଲାମିନେସନ କରି ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବ୍ଲକ୍ ଓ ଜିଲ୍ଲାସ୍ତରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରି ନିର୍ବାଚିତ ବିଧାୟକ କିମ୍ବା ସାଂସଦଙ୍କ ଜରିଆରେ ଏହି ରାସନ କାର୍ଡ ବଣ୍ଟା ଯିବାକୁ ଚିଠିରେ ଲେଖାଯାଇଛି । ୨୨ ତାରିଖ ସୁଦ୍ଧା ଯେମିତି ସବୁ ପ୍ରସ୍ତୁତି ଶେଷ ହୁଏ ତାହା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯୋଗାଣ ମନ୍ତ୍ରୀ କହିଛନ୍ତି, ଏବେ ବି ଯେଉଁମାନେ ସାମିଲ ହୋଇ ନାହାନ୍ତି ପୋର୍ଟାଲ ଖୋଲା ଥିବାରୁ ସେମାନେ ଆବେଦନ କରିପାରିବେ ।
ପାଖାପାଖି ୯ ଲକ୍ଷ ୯୧ ହଜାର ୯୨୯ ହିତାଧିକାରୀ ଆବେଦନ କରି କାର୍ଡ ଅପେକ୍ଷାରେ ରହିଛନ୍ତି । ନୂଆ ସରକାର ଆସିବା ପରେ ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଥିଲା ରାସନ କାର୍ଡ ଆବେଦନ ଧ ଯାଞ୍ଚ ପ୍ରକ୍ରିୟା । କାହିଁକି ନା ଭୂତ ହିତାଧିକାରୀ ଖୋଜିବାକୁ ଇ-କେୱାଇସି ଯାଞ୍ଚ ଆରମ୍ଭ ହୋଇଥିଲା । ଜାନୁଆରୀ ସୁଦ୍ଧା ଇ-କେୱାଇସି ସାରି ନୂଆ କାର୍ଡ ଦେବାକୁ ସରକାର ଲକ୍ଷ୍ୟ ରଖିଥିଲେ ବି ବିଳମ୍ବ ଯୋଗୁଁ ଏଯାଏଁ ନୂଆକାର୍ଡ ଦେବା ସମ୍ଭବ ପର ହୋଇ ନଥିଲା । ବିଳମ୍ବରେ ହେଲେ ବି ସରକାରଙ୍କ ଏ ଘୋଷଣା ଆଶ୍ବସ୍ତ ହେଇଛି ।
ଏପଟେ ଚିନ୍ତାଜନକ ବିଷୟ ହେଲା ଏବେ ବି ୨୫ ଲକ୍ଷ ହିତାଧିକାରୀ ଇ-କେୱାଇସି କରି ନାହାନ୍ତି । ଯଦିଓ କେୱାଇସିରୁ ଲକ୍ଷେ ୭୭ ହଜାର ୬୮ ମୃତ ହିତାଧିକାରୀଙ୍କୁ ଚିହ୍ନଟ କରି ବାଦ୍ ଦିଆଯାଇଛି । ଏହାସହ ୧୬ ହଜାର ୧୮୪ ରାସନ କାର୍ଡରେ ୬୧ ହଜାର ୮୨୨ ଅଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି ।