ଓଡ଼ିଶା ଡଟ୍ ନ୍ୟୁଜ୍: ଶୀଘ୍ର ମହାରାଷ୍ଟ୍ର ରାଜନୀତିରେ ନୂଆ ସମୀକରଣ ଦେଖିବାକୁ ମିଳିପାରେ । ଏକାଠି ହୋଇପାରନ୍ତି ଶିବସେନା (ୟୁବିଟି) ଓ ନବନିର୍ମାଣ ସେନା । ୨୦୦୫ରେ ଉଦ୍ଧବ ଠାକରେଙ୍କ ପୁତୁରା ରାଜ ଠାକରେ ଗଠନ କରିଥିଲେ ନବ ନିର୍ମାଣ ସେନା । ରାଜନୈତିକ ବିଫଳତା ପରେ ଖୁବ୍ ଶୀଘ୍ର ରାଜ ଠାକରେ ନୂଆ ନିଷ୍ପତ୍ତି ନେଇ ପାରନ୍ତି । ଏନେ ସେ ସଙ୍କେତ ମଧ୍ୟ ଦେଇଛନ୍ତି ।
ମହାରାଷ୍ଟ୍ରର ଭାଷାଗତ ଓ ସାଂସ୍କୃତିକ ସ୍ବାର୍ଥକୁ ଅଗ୍ରାଧିକାର ଦେବା ଲକ୍ଷ୍ୟରେ ଦୁଇ ନେତା ଏକାଠି ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି । ରାଜନୈତିକ ସ୍ବାର୍ଥ ଅପେକ୍ଷା ମହାରାଷ୍ଟ୍ରର ସ୍ବାର୍ଥକୁ ଦୁଇ ନେତା ଅଗ୍ରାଧିକାର ଦେବା ଦେଖାଯାଇଛି । ଏକ ସାକ୍ଷାତକାରରେ ରାଜ ଠାକରେ କହିଛନ୍ତି, ଉଦ୍ଧବଙ୍କ ସହ ତାଙ୍କର ମାମୁଲି ମତପାର୍ଥକ୍ୟ ରହିଛି । ମାତ୍ର ମହାରାଷ୍ଟ୍ରର ସ୍ବାର୍ଥ ସର୍ବାଗ୍ରେ ରହିଛି । ମହାଠାମାନଙ୍କ ବୃହତ ସ୍ବାର୍ଥ ଦୃଷ୍ଟିରୁ ସେ ବିକଳ୍ପ ପଦକ୍ଷେପ ନେବାର ସମ୍ଭାବନା ରହିଛି ।
୨୦୨୨ରେ ମୂଳ ଶିବସେନାରୁ ଏକନାଥ ସିନ୍ଦେ ଅଲଗା ହୋଇ ଯିବା ପରେ ଶିବସେନା ଦୁର୍ବଳ ହୋଇପଡିଥିଲା । ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ଦଳ ଆଶାନୁରୂପ ପ୍ରଦର୍ଶନ କରିପାରି ନଥିଲା । ରାଜ ଠାକରେ କହିଛନ୍ତି, ତାଙ୍କ ସହ ଶିବସେନା ବିଧାୟକ ଓ ସାଂସଦମାନେ ଥିବାବେଳେ ସେ ଶିବସେନା ପରିତ୍ୟାଗ କରିଥିଲେ । ସେ ବାଲ ଠାକରେଙ୍କ ବ୍ୟତୀତ ଅନ୍ୟ କାହା ନିକଟରେ କାମ କରିବାକୁ ଚାହିଁ ନଥିଲେ । ଏବେ ଉଦ୍ଧବଙ୍କ ସହ କାମ କରିବାରେ ତାଙ୍କର କିଛି ଆପତ୍ତି ନାହିଁ । ସେପଟେ ଉଦ୍ଧବ କହିଛନ୍ତି, ମହାରାଷ୍ଟ୍ରର ସ୍ବାର୍ଥ ଲାଗି ସମସ୍ତ ମହାରାଷ୍ଟ୍ରବାସୀ ଏକ ହୁଅନ୍ତୁ । ବର୍ତ୍ତମାନ ଗୁଜରାଟକୁ ବୃହତ ଶିଳ୍ପଗୁଡିକୁ ନିଆଯାଉଛି । ଯଦି ମହାରାଷ୍ଟ୍ରବାସୀ ଏକାଠି ହେବେ ତେବେ ଏହା ଘଟିବ ନାହିଁ । ମହାରାଷ୍ଟ୍ରର ସ୍ବାର୍ଥ ଲାଗି ଯିଏ ଆସିବେ ତାଙ୍କୁ ସେ ଗ୍ରହଣ କରିବେ । ମହାରାଷ୍ଟ୍ରରେ ସମସ୍ତ ମରାଠୀ ଓ ଇଂରାଜୀ ମିଡିୟମ ସ୍କୁଲରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ଯାଏ ହିନ୍ଦିକୁ ବାଧ୍ୟତାମୂଳକ ବିଷୟ କରାଯାଇଛି । ଏହାକୁ ନେଇ ରାଜନୀତି ଜୋର ଧରିଛି । ଏହାକୁ ଉଭୟ ରାଜ ଠାକରେ ଓ ଉଦ୍ଧବ ଠାକରେ ବିରୋଧ କରୁଛନ୍ତି ।
ଏକାଠି ହୋଇପାରନ୍ତି ଶିବସେନା ୟୁବିଟି ଓ ନବନିର୍ମାଣ ସେନା
