Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅକ୍ଷୟ ତୃତୀୟା

ମେ ୧ ତାରିଖକୁ ପ୍ରତି ବର୍ଷ ଶ୍ରମିକ ଦିବସ ଭାବେ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ଏହାର ପୂର୍ବ ଦିନ ଅର୍ଥାତ ଏପ୍ରିଲ ୩୦ ତାରିଖ ପଡୁଛି କୃଷକ ଦିବସ। ଏହି ଦିବସ କୃଷି ପ୍ରଧାନ ରାଜ୍ୟ ଓ କୃଷକ ମାନଙ୍କ ପାଇଁ ବିଶେଷ ଗୁରୁତ୍ୱ ବହନ କରିଥାଏ।
ବୈଶାଖ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ । ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ମଧ୍ୟ୍ୟ ପାଳନ କରାଯାଇଥାଏ । ରାଜ୍ୟ ସରକାର ମଧ୍ୟ୍ୟ ଏହି ଦିବସର ତତ୍ପର୍ଯ୍ୟକୁ ପ୍ରଚାର ଓ ପ୍ରସାର ପାଇଁ ସଯତ୍ନ ଭୂମିକା ନିର୍ବାହ କରିଥାନ୍ତି।କୃଷକମାନେ ଅକ୍ଷୟ ତୃତୀୟା କୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି ।କୃଷକ ମନରେ ଖୁବ ଖିସି ଆନନ୍ଦ ଥାଏ।କୃଷକ ମାନେ ଏହିଦିନ ଅମୃତ ବେଳା ଦେଖି ଅକ୍ଷିମୁଠି (ଅକ୍ଷୟମୁଠି) ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାନ୍ତି । ଏହା ଓଡ଼ିଶାର ପ୍ରତି ପ୍ରାନ୍ତରେ ଦେଖିବାକୁ ମିଳିଥାଏ।ଶୁଭଦିନ ଭାବେ ମନେକରି ଏହିଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ମଧ୍ୟ ଅନୁଷ୍ଠିତ ହୋଇଥାଏ ।
ଅକ୍ଷୟ ତୃତୀୟା ଦିନ ଚାଷୀ ପରିବାରରେ ଭରି ରହିଥାଏ ଖୁସିର ମାହୋଲ। ଚାଷୀ ପରିବାର ର ପ୍ରତିଟି ସଦସ୍ୟଙ୍କ ଭିତରେ ରହିଥାଏ ଉତ୍ସାହ ଓ ଆନନ୍ଦ। ଘରର ମୁଖ୍ୟ ଚାଷୀ ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣି(ଭୁଗୁଲି )କୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ଘର ତିଆରି ପିଠା ପଣା, ଫୁଲ, ଫଳ ଧରି ହଳଲଙ୍ଗଳ ସହ ନିଜ କ୍ଷେତ (ଚାଷ ଜମି)କୁ ଯାଇଥାନ୍ତି । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ପୂଜାର୍ଚନା ଓ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରୀର ଈଶାଣ କୋଣରେ ପୋତି ହଳ ବୁଲାଇଥାନ୍ତି। ଏହାପରେ ମୁଠା ମୁଠା ଧାନ ବିହନ(ଅକ୍ଷି ମୁଠି)ଚାଷ ଜମିରେ ବୁଣି ମା ଲକ୍ଷ୍ମୀ ଦେବୀଙ୍କୁ ସ୍ମରଣ କରି ଜମିରେ ମୁଣ୍ଡିଆ ମାରିଥାନ୍ତି । କେହି କେହି ସାଷ୍ଟାଙ୍ଗ ପ୍ରଣାମ କରି ଜମିରେ ମାଟି ମୁଣ୍ଡରେ ବୋଲି ଚାଷର ସଫଳତା କାମନା କରିଥାନ୍ତି।ସଧବା ସ୍ତ୍ରୀମାନେ ଏ ଦିନ ‘ଷଠିଦେବୀ’ଙ୍କ ପୂଜା କରି ମା ମାଟିରୁ ନିଜର ଜୀବନ ଧାରଣର ଅବଶିଷ୍ଟ ଆୟୁଷ ର ପ୍ରାର୍ଥନା କରିଥାନ୍ତି।
ଅନ୍ୟ ପକ୍ଷରେ ଏହି ଦିନକୁ ନେଇ ଏକ ସୁନ୍ଦର ପୌରାଣିକ କିମ୍ବଦନ୍ତୀ ରହିଛି।ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ସହିତ କୃତ୍ତିକା ବା ରୋହିଣୀ ନକ୍ଷତ୍ର ଯୁକ୍ତ ହେଲେ ମହାଫଳ ପ୍ରାପ୍ତିହୁଏ ବୋଲି ଲୋକ ବିଶ୍ୱାସ ରହିଛି । ଫଳରେ ଏହାକୁ ବର୍ଷ ବର୍ଷ ଧରି ବ୍ରତ ରୂପେ ପାଳନ କରାଯାଇ ଆସୁଛି । ବ୍ରତୀମାନେ ଶୁଦ୍ଧକାଳରେ ଏହି ବ୍ରତକୁ ଆରମ୍ଭକରି ଆଠବର୍ଷରେ ଉଦ୍‌ଯାପନ କରିଥାନ୍ତି ।
ଏପରିକି ଏହିଦିନ ଜଳଦାନ କଲେ ପୁଣ୍ୟଫଳ ମିଳିଥାଏ।ଏହାକୁ ନେଇ ଏକ ଉପାଖ୍ୟାନ ରହିଛି।ପୂର୍ବକାଳରେ ଜଣେ ପାପୀ ବ୍ରାହ୍ମଣ ଥିଲେ । ସେ ତା’ ଜୀବନରେ କିଛି ଦାନ ଧର୍ମ କାର୍ଯ୍ୟ କରି ନଥିଲେ । ଥରେ ତା’ଙ୍କ ଗୃହକୁ ଅନ୍ୟ ଜଣେ ତୃଷାର୍ତ୍ତ ବ୍ରାହ୍ମଣ ଆସି ଜଳଭିକ୍ଷା କଲେ । ପାପୀ ବ୍ରାହ୍ମଣ ତାକୁ ଜଳ ନଦେଇ ନିଷ୍ଠୁର ଭାବେ ଗୃହରୁ ବିତାଡିତ କରିଦେଲେ। ଏହି ସମୟରେ ସୁଶିଳା ନାମ୍ନୀ ତା’ଙ୍କ ସ୍ତ୍ରୀ ଆସି ସ୍ୱାମୀକୁ ସେ କାର୍ଯ୍ୟରୁ ନିବୃତ୍ତ କଲେ ଓ ତୃଷାର୍ତ୍ତକୁ ଜଳଦାନ କଲେ । କିଛି ବର୍ଷ ପରେ ପାପୀ ବ୍ରାହ୍ମଣଙ୍କ ମୃତ୍ୟୁ ହେଲା । ଯମଦୂତମାନେ ଆସି ତାକୁ ବାନ୍ଧି ନେଇଗଲେ । ଯମପୁରୀରେ ଥାଇ ଥରେ ସେ ତୃଷାର୍ତ୍ତ ହୋଇ ଯମଦୂତଙ୍କୁ ଜଳଭିକ୍ଷା କଲେ । ଯମଦୂତମାନେ ତାହାକୁ ତିରଷ୍କାର କରି କହିଲେ- ନିଜ ଜୀବନରେ କେବେ ଜଳଦାନ ନକରି ଜଳଭିକ୍ଷା ମାଗୁଛୁ କିପରି, ପାପୀ ? ଏହି ସମୟରେ ସ୍ୱୟଂ ଯମରାଜ ସେଠାରେ ପହଞ୍ଚି ସ୍ୱହସ୍ତରେ ସେ ବ୍ରାହ୍ମଣକୁ ଜଳଦାନ କଲେ । ଦୂତମାନେ ଆଶ୍ଚର୍ଯ୍ୟ ହୋଇ ଏହାର କାରଣ ପଚାରିବାରୁ ଯମରାଜ କହିଲେ – ଏହି ବ୍ରାହ୍ମଣ ସାରା ଜୀବନ ପାପକର୍ମ କରିଥିଲେ ସୁଦ୍ଧା ଅକ୍ଷୟତୃତୀୟା ଦିନ ଏହାର ସ୍ତ୍ରୀ ତୃଷାର୍ତ୍ତ ବ୍ରାହ୍ମଣକୁ ଜଳଦାନ କରିଥିଲେ । ସ୍ତ୍ରୀର ସେହି ପୁଣ୍ୟବଳରୁ ଏହାର ପାପ ଖଣ୍ଡନ ହୋଇଛି । ତେଣୁ ଏହାର ଆଉ ନର୍କଭୋଗ ଯୋଗ ନାହିଁ । ମହର୍ଷି ଜନକ ଭାରତୀୟ କୃଷିଜୀବୀ କୁଳର ପ୍ରତିନିଧି ରୂପେ ନିଜେ ଭୂମିପୂଜା କରି ବୀଜବପନ କରୁଥିଲେ । ଭୂମିକର୍ଷଣ ସମୟରେ ସେ ସୀତାଙ୍କୁ ଲାଭ କରିଥିବାରୁ ଋକ୍ ବେଦରେ ସୀତା ଉତ୍କୃଷ୍ଟ ବୀଜଦାତ୍ରୀ ରୂପେ ବର୍ଣ୍ଣିତ ହୋଇଛନ୍ତି । ବୈଦିକ ଋଷିମାନେ ଅକ୍ଷୟ ଶସ୍ୟ ପ୍ରଦାନ କରିବା କାମନାରେ ସୀତାଙ୍କୁ ସ୍ତୁତି କରିଛନ୍ତି । ଆଗ୍ନେୟ ପୁରାଣ, ବିଷ୍ଣୁ ଧର୍ମୋତ୍ତର ପୁରାଣ ଓ ଭବିଷ୍ୟ ପୁରାଣାଦିରେ ଅକ୍ଷୟ ତୃତୀୟାକୁ ଗୋଟିଏ ପ୍ରଶସ୍ତ ଶୁଭଦିନ ରୂପେ ବର୍ଣ୍ଣନା କରାଯାଉଛି ।ଏଭଳି ଅନେକ ତଥ୍ୟ ପୁରାଣ ଶାସ୍ତରରେ ବର୍ଣ୍ଣିତ ହୋଇଥିବା କୁହାଯାଏ।
ପୌରାଣିକ କିମ୍ବଦନ୍ତୀ ସହିତ ଅକ୍ଷୟ ତୃତୀୟାର ଆହୁରି କିଛି ବିଶେଷତ୍ୱ ମଧ୍ୟ୍ୟ ରହିଛି।ଏହି ଦିନ କିଛି ସ୍ୱତନ୍ତ୍ର ଜିନିଷ କିଣିବା ଦ୍ୱାରା ମା’ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ ବୋଲି ଜନ ଶ୍ରୁତି ରହିଛି।ଅକ୍ଷୟ ତୃତୀୟା ଦିନ ଜିନିଷ କିଣିବାର ଶୁଭ ମୁହୂର୍ତ୍ତ ମଧ୍ୟ୍ୟ ରହିଥାଏ। ସୁନା ରୂପା ସହିତ ଅନ୍ୟ କେଉଁ ଜିନିଷ କିଣି ଆଣିବା ଦ୍ୱାରା ଘର ପରିବାରରେ ଧନରେ ଅଭାବ ରହିନଥାଏ। ଏହି ଦିନ ଜିନିଷ କିଣିବା ଅତ୍ୟନ୍ତ ଶୁଭଙ୍କର ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି।ଅକ୍ଷୟ ତୃତୀୟାରେ ସୁନା, ରୂପା ଆଭୂଷଣ ଓ କିଛି ନୂଆ ଜିନିଷ କିଣିବା ଦ୍ୱାରା ଘର ଓ ପରିବାର ର ସୁଖ ସମୃଦ୍ଧି ସମ୍ପନ୍ନତାରେ ବୃଦ୍ଧି ହୋଇଥାଏ। ତେଣୁ କୃଷକ ପରିବାର ନୁଆଁ ଖାଇ, ଛାଡ଼ ଖାଇ ତୁଲନାରେ ଅକ୍ଷୟ ତୃତୀୟାକୁ ବହୁ ସମ୍ମାନ ଓ ରୀତି ନୀତି ଅନୁଯାୟୀ ପାଳନ କରିଥାନ୍ତି।
ଚଳିତ ବର୍ଷ କିଣା କିଣି ପାଇଁ ପଣ୍ଡିତ ମାନେ ଶୁଭ ମୁହୂର୍ତ୍ତ ଧାର୍ଯ୍ୟ କରିଛନ୍ତି।ଅକ୍ଷୟ ତୃତୀୟାରେ କିଣାକିଣିର ପ୍ରଥମ ଶୁଭ ମୁହୂର୍ତ୍ତ ସକାଳ ୫ଟା ୩୩ରୁ ଆରମ୍ଭ ହୋଇ ସକାଳ ୧୦ ଟା ୩୭ ପର୍ଯ୍ୟନ୍ତ ରହିବ। ଏହାପରେ ୨ୟ ଶୁଭ ମୁହୂର୍ତ୍ତ ୧୨ ଟା ୧୮ରୁ ଖରାବେଳ ୧ଟା୫୯ ପର୍ଯ୍ୟନ୍ତ ରହିବ ବୋଲି ପଣ୍ଡିତ ମାନେ କହିଛନ୍ତି। ଅପରାହ୍ନ ପରେ କିଣାକିଣି କୁ ବାରଣ କରାଯାଇଛି।
ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟା ଦିନର ବିଶେଷ ବିଶେଷତ୍ୱ ରହିଛି। ଏହି ଦିନକୁ ଧର୍ମ, କର୍ମ ସହିତ ଦାନ ପୁଣ୍ୟର ଦିନ ଭାବେ ମଧ୍ୟ୍ୟ ବିବେଚିତ କରାଯାଇଥାଏ।
ପବିତ୍ର ରଥଯାତ୍ରା ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ପାଇଁ ଉଦ୍ଧିଷ୍ଟ ରଥ ନିର୍ମାଣ କାର୍ଯ୍ୟ ଏହି ଅକ୍ଷୟ ତୃତୀୟାରୁ ହିଁ ଆରମ୍ଭ ହୋଇଥାଏ। ଏପରିକି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଚନ୍ଦନଯାତ୍ରାର ଶୁଭାରମ୍ଭ ଏହି ଦିନ ହୋଇଥାଏ।ବଳଦେବଜୀଉ ମନ୍ଦିରରେ କୃଷିର ଆରାଧ୍ୟ ଦେବ ହଳାୟୁଧ ବଳରାମଙ୍କର ରେବତୀଙ୍କ ସହ ଅକ୍ଷୟ ତୃତୀୟା ଦିନରେ ହିଁ ବିବାହୋତ୍ସବ ଅନୁଷ୍ଠିତ ହୋଇଥାଏ। ଏପରିକି
ପରଶୁରାମ ଓ ଜୟଦେବଙ୍କ ଜୟନ୍ତୀ ଏହି ଦିନରେ ହିଁ ପାଳନ କରାଯାଇଥାଏ।ବଦ୍ରୀନାଥ ଧାମ ଏହି ଦିନ ଖୋଲାଯାଇଥିବା ବିଧି ରହିଛି।ସତ୍ୟ ଯୁଗର ତ୍ରେତୟା ଯୁଗର ଆରମ୍ଭ ଏହି ଅକ୍ଷୟ ତୃତୀୟା ଦିନ ଆରମ୍ଭ ହୋଇଥିବା ପୁରାଣରେ ଉଲ୍ଲେଖ ରହିଛି। ଏପରିକି
ସମ୍ବଲପୁରରେ ଅନୁଷ୍ଠିତ ହେଉଥିବା ଶୀତଳଶଷ୍ଠୀ ଯାତ୍ରାର ଶୁଭାରମ୍ଭ (ଥାଳ ଉଠା ବିଧି) ଏହି ଅକ୍ଷୟ ତୃତୀୟା ଦିନଠୁ ହିଁ ଅନୁକୂଳ ହୋଇଥାଏ। ତେଣୁ ଏହି ଦିବସର ତାତ୍ପର୍ଯ୍ୟ ଓ ମହିମାକୁ ନେଇ ବିଶେଷ ଆଲୋଚନାର ସମୟ ଅପେକ୍ଷା ରଖୁଛି।
ଅକ୍ଷୟ ତୃତୀୟା ତିଥିରେ ଶ୍ରୀଜୀଉମାନଙ୍କର ରଥନିର୍ମାଣ ପାଇଁ ପରମ୍ପରା ରହି ଆସିଛି। ତନ୍ତ୍ରବିଧି ଅନୁସାରେ ମହାକାଳୀ ମନ୍ତ୍ରରେ ପୂଜିତ କୁରାଢି ଲଗାଇ ବନଯୋଗହୋମର ଆଚାର୍ଯ୍ୟ ତଥା ଦେଉଳ ପୁରୋହିତ ଏହି ତିଥିରେ ରଥନିର୍ମାଣର ଶୁଭାରମ୍ଭ କରିଥାନ୍ତି। ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ ପାଇଁ ଉଦ୍ଦିଷ୍ଟ ଗୋଟିଏ ଧଉରା କାଠ ଗଣ୍ଡିରେ କୁରାଢି ସ୍ପର୍ଶ କରାଯାଇଥାଏ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ଚନ୍ଦନଠାକୁରଙ୍କ ସହ ପଟୁଆରରେ ରଥଖଳାକୁ ଆସିଥାଏ । ଏହାକୁ ତିନିଜଣ ପୂଜାପଣ୍ଡା ଆଣିଥାନ୍ତି । ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖସ୍ଥ ରଥଖଳାରେ ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ସ୍ତ୍ରୋତୀୟ ବ୍ରାହ୍ମଣମାନେ ବନଯୋଗ ପୂଜା ସମ୍ପାଦନା କରିବାର ବିଧି ରହିଛି । ରୂପକାର, କମାର, ଚିତ୍ରକର, ଭୋଇ, ଅମୀନ ସେବକମାନଙ୍କ ଉପସ୍ଥିତିରେ ବିଶ୍ୱକର୍ମାଙ୍କ ଶାଢୀବନ୍ଧା ନୀତି ପାଳିତ ହୁଏ । ରଥ ସଂହିତା ଓ ଶିଳ୍ପଶାସ୍ତ୍ର ଅବଲମ୍ବନରେ ରଥନିର୍ମାଣ କରାଯାଏ । ଏଥିରେ ୧୧୩୯ ଖଣ୍ଡ କାଠଲାଗିଥାଏ । ସେହି କାଠଗୁଡିକ ହେଲା ଫାସି, ଅସନ, ଧଉରା, ଶିମିଳି, ପାଳଧୂଆ, ମହାନିମ୍ବ, ଗମ୍ଭାରୀ, ମଇ, କଦମ୍ବ, ଦେବଦାରୁ ଇତ୍ୟାଦି । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର କର୍ମଚାରୀ ରଥଖଳାରେ ଉପସ୍ଥିତ ରହି ଏହିକାର୍ଯ୍ୟ ସୁରୁଖୁରରେ ହେବାରେ ସାହାଯ୍ୟ କରିଥାନ୍ତି । ବାହାର ଚନ୍ଦନ ଯାତ୍ରାର ଶେଷଦିନ ରଥ ଅଖରେ ଚକ ଲାଗିଥାଏ।
ଏହି ଦିବସ ବା ତିଥି ର ବିଶେଷ ମହାତ୍ମା ହେଉଛି ଯେ,ଏହି ଦିନଠାରୁ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା ଆରମ୍ଭ ହୋଇଥାଏ । ଏତଦବ୍ୟତୀତ ଓଡ଼ିଶାର ଅନ୍ୟ ସ୍ଥାନରେ ମଧ୍ୟ ଚନ୍ଦନ ଯାତ୍ରା ପାଳନ କରାଯାଏ । ଚନ୍ଦନଯାତ୍ରା ଶ୍ରୀମନ୍ଦିରରେ ସବୁଠୁ ଅଧିକ ଦିନ ଧରି ପାଳିତ ହେଉଥିବା ଏକ ମହାନ ପର୍ବ । ଏହା ଅକ୍ଷୟ ତୃତୀୟାଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ (ସ୍ନାନପୂର୍ଣ୍ଣିମାର ପୂର୍ବଦିନ) ପର୍ଯ୍ୟନ୍ତ ମୋଟ ୪୨ ଦିନ ଧରି ଅନୁଷ୍ଠିତ ହୋଇଥାଏ । ଏହା ଅକ୍ଷୟ ତୃତୀୟାଠାରୁ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ ୨୧ଦିନ ନରେନ୍ଦ୍ର ପୁଷ୍କରଣୀରେ ବାହାର ଚନ୍ଦନଯାତ୍ରା ରୂପେ ଓ ପରବର୍ତ୍ତୀ ୨୧ଦିନ (ଜ୍ୟୈଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ) ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭିତର ଚନ୍ଦନ ରୂପେ ପାଳିତ ହୋଇଥାଏ।
ଏହିଭଳି ବିଶେଷ ତାତ୍ପର୍ଯ୍ୟ ରଖୁଥିବା ଅକ୍ଷୟ ତୃତୀୟା ଜୀବନ ଧାରଣ ପାଇଁ ପ୍ରତିଟି ମାନବ ସମାଜ କୁ ଅକ୍ଷୟ ଦାନ କୁହାଯିବ। ଏହି ଦିବସ ଧରିତ୍ରୀ ମାଟି ଉପରେ ନିଜର ନିର୍ଭରଯୋଗ୍ୟ ପେଟ ପାଟଣା ଓ ଧନ ଧାନ୍ୟର ପୂର୍ଣ୍ଣତା ପ୍ରାପ୍ତିର ପୁଣ୍ୟତା ପାଇଁ ଏକ ସଂକଳ୍ପର ଦିନ ଏହାକୁ ଆମ୍ଭେ ସମସ୍ତେ ମାନିବାକୁ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ