Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡ଼ଃ ଶ୍ୟାମାପ୍ରସାଦ ମୁଖାର୍ଜୀ ଭାରତର ଅଖଣ୍ଡତାକୁ ସର୍ବଦା ଗୁରୁତ୍ୱ ଦେଉଥିଲେ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ:ଭାରତୀୟ ଜନସଙ୍ଘର ପ୍ରତିଷ୍ଠତା, ମହାନ ରାଷ୍ଟ୍ରଭକ୍ତ ଡ଼ଃ ଶ୍ୟାମା ପ୍ରସାଦ ମୁଖାର୍ଜୀ ଭାରତୀୟ ଜନତା ପାର୍ଟି କିମ୍ବା ଜନସଙ୍ଘର କାର୍ଯ୍ୟକର୍ତ୍ତାଙ୍କ ପାଇଁ କେବଳ ନେତା ନଥିଲେ ବରଂ ଥିଲେ ଜଣେ ବିଚାରଧାରା । ଭାରତର ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ସେ ସର୍ବଦା ଗୁରୁତ୍ୱ ଦେଉଥିଲେ ବୋଲି ସୋମବାର ନୂଆଦିଲ୍ଲୀ ଠାରେ ଏହି ଯୋଗଜନ୍ମାଙ୍କ ବଳିଦାନ ଦିବସ ଅବସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହା ପୂର୍ବରୁ ଶ୍ରୀ ପ୍ରଧାନ ନୂଆଦିଲ୍ଲୀ ସ୍ଥିତ ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କ ଠାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସହ ଡକ୍ଟର ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି, ଭାରତୀୟ ଜନସଙ୍ଘ କିମ୍ବା ଭାରତୀୟ ଜନତା ପାର୍ଟି କେବଳ ଏକ ସଂଗଠନ ନୁହେଁ ବରଂ ଏକ ବିଚାର । ଆମର ଶାସନ ବ୍ୟବସ୍ଥା ଉପଭୋଗ ପାଇଁ ନୁହେଁ ବରଂ ସୁଶାସନ ପାଇଁ । ଏହା ପଛରେ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ମୂଳ ଚିନ୍ତାଧାରା ଅନ୍ତର୍ନିହିତ । ଡ଼ଃ ମୁଖାର୍ଜୀ ଗୋଟିଏ ଦେଶ – ଗୋଟିଏ ସମ୍ବିଧାନ ପାଇଁ ଲଢେଇ କରି ନିଜକୁ ବଳିଦାନ ଦେଇଥିଲେ । ତାଙ୍କ ପରି ଏକାତ୍ମ ମାନବବାଦର ପ୍ରଣେତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଭଳି ମହାପୁରୁଷ ଆମ ପରି କୋଟି କୋଟି କାର୍ଯ୍ୟକର୍ତ୍ତାମାନଙ୍କ ପାଇଁ ଚିର ନମସ୍ୟ । ଏହି ଏହି ଦୁଇ ମହାନ ନେତୃତ୍ଵଙ୍କ ବିଚାର “ରାଷ୍ଟ୍ର ପ୍ରଥମ ଏବଂ ଏକାତ୍ମ ମାନବବାଦ”କୁ ପାଥେୟ କରି କୋଟି କୋଟି ବିଜେପି କାର୍ଯ୍ୟକର୍ତ୍ତା ନିଜକୁ ସମର୍ପିତ କରିଛନ୍ତି ।ବିଗତ ୧୧ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶ ଯେଉଁ ସଫଳତା ହାସଲ କରିଛି ତାହାର ପ୍ରାରମ୍ଭିକ ବିଚାର ଡକ୍ଟର ମୁଖାର୍ଜୀଙ୍କ ବିଚାର “ରାଷ୍ଟ୍ର ପ୍ରଥମ”ର ସ୍ପଷ୍ଟ ଏବଂ ନୀର୍ଭିକ ସଂକଳ୍ପ ଥିଲା । ଦୀର୍ଘ ୭୨ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ଭାରତ ସରକାର ଅଗଷ୍ଟ ୫, ୨୦୧୯ରେ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରି ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସ୍ୱପ୍ନକୁ ବାସ୍ତବରେ ପରିଣତ କରିଛନ୍ତି ।
ସେ ସମୟରେ କଂଗ୍ରେସର ନୀତିକୁ ବିରୋଧ କରି ଡା. ଶ୍ୟାମାପ୍ରସାଦ ମୁଖାର୍ଜୀ ଏବଂ ଡା. ଆମ୍ବେଦକରଙ୍କ ଭଳି ନେତା ସରକାରରୁ ଇସ୍ତଫା ଦେଇଥିଲେ । ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଦୃଢ଼ ନେତୃତ୍ୱ, ରାଜନୈତିକ ଇଚ୍ଛାଶକ୍ତି ଏବଂ ନିର୍ଭୀକତାର ସହ ନିଜର ବିଚାର ରଖୁଥିଲେ, ଯେଉଁଥିପାଇଁ ତାଙ୍କୁ ଉପହାସ କରାଯାଇଥିଲା । ଜବାହରଲାଲ ନେହେରୁ ତାଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିବାକୁ ମଧ୍ୟ ପଛାଇ ନଥିଲେ, ଯାହାର କଡା ଶବ୍ଦରେ ପ୍ରତିକ୍ରିୟା ରଖିଥିଲେ ମୁଖାର୍ଜୀ । ଏହାବ୍ୟତୀତ ଆଜି ଭରତ ନିଜର ଭାରତୀୟତା ଆଧାରରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି । ଡିଜିଟାଲ ସଫଳତା, ଅନେକ ଜନକଲ୍ୟାଣକାରୀ ଯୋଜନା, ଅନେକ ନୀତିଗତ ବିକାଶ ଆଜି ବିଶ୍ଵରେ ଅନ୍ୟ ରାଷ୍ଟ୍ରକୁ ପ୍ରେରଣା ପ୍ରଦାନ କରୁଛି । ଏହା ପଛରେ ଡକ୍ଟର ମୁଖାର୍ଜୀ ଏବଂ ପଣ୍ଡିତ ଉପାଧ୍ୟାୟଙ୍କ ଭଳି ମହାପୁରୁଷଙ୍କ ଚିନ୍ତାଧାରା ରହିଛି । ଏହି ଐତିହ୍ୟ ଓ ଚିନ୍ତାଧାରା ଆଗକୁ ନେବା ଏବଂ ସୁଶାସନକୁ ଆଗକୁ ବଢାଇବାକୁ ହେବ । ଏହା ଡକ୍ଟର ମୁଖାର୍ଜୀଙ୍କ ପ୍ରତି ସଠିକ୍ ଶ୍ରଦ୍ଧାଞ୍ଜଳି ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ